ଚଢାଉ ଭୟରେ ନୁହେଁ ୭ ବର୍ଷ ତଳୁ ସଜେଇ ହୋଇଛି ଡାକ୍ତରଖାନା…ସମ୍ବଲପୁରର ସୁନ୍ଦର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚାରିଆଡେ ଜୋର ଧରିଛି ଚର୍ଚ୍ଚା

ଡାକ୍ତରଖାନାର ପରିବେଶ କହୁଛି ସ୍ୱଚ୍ଛତା ହିଁ ଯୋଗାଇ ଉତ୍ତମ ସ୍ୱାସ୍ଥ୍ୟସେବା

474

କନକ ବ୍ୟୁରୋ: ସ୍ୱାସ୍ଥ୍ୟକେନ୍ଦ୍ରର ପରିବେଶକୁ ନେଇ ଅନେକ ସମୟରେ ଅନେକ ଅଭିଯୋଗ ଆସିଥାଏ । କେବେ ଅସ୍ୱାସ୍ଥ୍ୟକର ପରିବେଶ ତ ପୁଣି କେବେ ଡାକ୍ତରଖାନା ଭିତରେ ଗାଇଗୋରୁ ଓ କୁକୁରଙ୍କ ଅବାଧ ବିଚରଣ ଖବର ଗଣମାଧ୍ୟମରେ ପ୍ରସାରଣ ହୋଇଥାଏ । ଗତ କିଛି ଦିନ ହେବ ରାଜ୍ୟ ସରକାରଙ୍କ ଫାଇଫ୍ ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ବୁଲି ଡାକ୍ତରାଖାନାରେ ସ୍ୱାସ୍ଥ୍ୟସେବା ଯାଂଚ କରୁଛନ୍ତି । ଏଥିପାଇଁ ଡାକ୍ତରଖାନା ଗୁଡିକରେ ତରବରିଆ ଭାବେ ପରିବେଶ ସୁଧାରିବା ପାଇଁ ଚେଷ୍ଟା କରାଯାଉଥିବା ଚର୍ଚ୍ଚା ହେଉଛି ।

ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମରେ ଫାଇଭ୍-ଟି ସଚିବ ଭି.କାର୍ତିକେୟନ୍ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ଓ ଏନଆର୍ଏଚଏମ ନିର୍ଦେଶିକାଙ୍କ ଅଚାନକ ଗସ୍ତ ପରେ ନିଲମ୍ବିତ ହୋଇଛନ୍ତି ସୁନ୍ଦରଗଡ ସିଡିଏମଓ । ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ରୋଗୀଙ୍କ ଅଭିଯୋଗ ପରେ ଜିଲ୍ଲାପାଳଙ୍କୁ ନୋଟିସ କରିଛନ୍ତି ଫାଇଫ ଟି ସଚିବ ।

ଫାଇଭ୍-ଟି ସଚିବଙ୍କ ଗସ୍ତ ନେଇ ସୂଚନା ମିଳିବା ନୟାଗଡରେ ତରବିରଆ ଭାରେ ଚାଲିଥିଲା ମରାମତି କାମ । ସଚିବ- ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତ ପୂର୍ବରୁ ରାସ୍ତାରେ ପଡ଼ୁଥିଲା ପିଚୁ, ଯୁଦ୍ଧକାଳିନ ଭିତିରେ ଚାଲିଥିଲା ସଫେଇ କାର୍ଯ୍ୟକ୍ରମ । ଯାହା ଗଣମାଧ୍ୟମରେ ପ୍ରସାଣର ହେବା ପରେ ଅନେକ ପ୍ରଶ୍ନ ସାଧାରଣଲୋକଙ୍କ ମନରେ ଉଙ୍କି ମାରିଥିଲା ।

ସମ୍ବଲପୁର ମହାନଗର ନିଗମ ୧ ନମ୍ବର ଓାର୍ଡ ଚାଉଁରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରବେଶ କଲେ ଆକୃଷ୍ଟ କରୁଛି ଡାକ୍ତରଖାନାର ସୁନ୍ଦର ପରିବେଶ । ସବୁଆଡେ ସବୁଜ ବଳୟ । ସୁନ୍ଦର ସୁନ୍ଦର ଫୁଲ ଗଛ ସହ ଔଷଧିୟ ଗଛରେ ଭରି ରହିଛି ଡାକ୍ତରଖାନା । ମେଡିକାଲ ଭିତରେ ରୋଗୀଙ୍କ ପାଇଁ ଥିବା ଶଯ୍ୟା ଠାରୁ ଆରମ୍ଭ କରି ଡାକ୍ତରଙ୍କ ଚ୍ୟାମ୍ବର, ସବୁ କିଛି ଚକାଚକ୍ । ଛୋଟ ଶିଶୁମାନଙ୍କ ମନ ଜିଣିବା ପାଇଁ ଡାକ୍ତରଖାନାରେ ଦୋଳିର ବ୍ୟବସ୍ଥା କରାଯାଇଛି । ଡାକ୍ତରଖାନାର ଔଷଧ ବିତରଣ କେନ୍ଦ୍ର, ଶୈଚାଳୟ ସବୁ କିଛି ପରିଷ୍କାର ଓ ପରିଚ୍ଛନ ରହିଛି ।

ଚାଉଁରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଜାଇବା ପାଇଁ ସାତ ବର୍ଷ ତଳେ ଏଠାରେ ନିୟୋଜିତ ଥିବା ଡାକ୍ତର, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀ ପ୍ରୟାସ ଆରମ୍ଭ କରିଥିଲେ । ଆଗକୁ ଡାକ୍ତରଖାନା ପରିସରେ ଏକ ହର୍ବାଲ ଗାର୍ଡେନ ପ୍ରସ୍ତୁତ କରିବା ପାଇଁ ଯୋଜନା ରଖିଛନ୍ତି ବର୍ତ୍ତମାନର ଡାକ୍ତର । ତେବେ ଡାକ୍ତରଖାନାରେ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା ଥିବା ବେଳେ ଅଳିଆ ଆବର୍ଜନା ପକାଇବା ପାଇଁ ସ୍ଥାନେ ସ୍ଥାନେ ଡଷ୍ଟବିନ୍ ରହିଇଛି । ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଉତମ ବ୍ୟବହାର ସହ ଯୋଗାଇ ଦିଆଯାଉଛି ଉତ୍ତମ ସେବା ।