ଓଡିଶାରେ ହେବ ପେଟ୍ରୋଲିୟମ କ୍ରାକର କମ୍ପାନୀ: ୪୩ ହଜାର କୋଟିର ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତାଇୱାନ ପ୍ରତିନିଧି ।

59

କନକ ବ୍ୟୁରୋ: ଓଡିଶାରେ ହେବ ବଡ ଧରଣର ପୁଞ୍ଜିନିବେଶ । ଏନେଇ ତାଇୱାନ ସିପିସି କର୍ପୋରେସନର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ସିପିସି କର୍ପୋରେସନର ସଭାପତି ସୁନ-ଚିନ୍ ଲିଙ୍କ ନେତୃତ୍ୱରେ ଏକ ବ୍ୟବସାୟିକ ପ୍ରତିନିଧି ଦଳ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଞ୍ଜି ନିବେଶ ପାଇଁ ଆଲୋଚନା କରିଛନ୍ତି । ପାରାଦୀପ ଠାରେ ଏହି କମ୍ପାନୀ ୪୩ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ଏକ ପେଟ୍ରୋଲିୟମ କ୍ରାକର କମ୍ପାନୀ ପ୍ରତିଷ୍ଠା କରିବ ।

ଏହି ପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ପାରାଦ୍ୱୀପରେ ପେଟ୍ରୋଲିୟମ କ୍ଷେତ୍ରରେ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରୀଜ୍ ପ୍ରତିଷ୍ଠା ଦିଗରେ ସହାୟକ ହେବ । ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ଓଡିଶାରେ ଯଥେଷ୍ଟ ସୁଯୋଗ ରହିଛି । ପୁଞ୍ଜି ନିବେଶ ଓ ପ୍ରକଳ୍ପ କାର୍ଯ୍ୟକାରିତାରେ ଓଡିଶା କ୍ରମାଗତ ଦେଶର ୩ଟି ରାଜ୍ୟ ମଧ୍ୟରେ ରହିଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟର ଶିଳ୍ପ ବିକାଶ ଯୋଜନା ୨୦୦୫ ଅନୁଯାୟୀ ୬ଟି ପ୍ରମୂଖ ଫୋକସକ୍ଷେତ୍ର ମଧ୍ୟରେ କେମିକାଲ ଓ ପେଟ୍ରୋ କେମିକାଲ କ୍ଷେତ୍ର ସ୍ଥାନିତ ହୋଇଛି । ଏହି କ୍ଷେତ୍ରର ବିକାଶ ପାଇଁ ଏକ ଉତ୍ତମ ବ୍ୟବସାୟିକ ପରିବେଶ, ଭିତ୍ତିଭୂମି ଓ ସୁଦକ୍ଷ ମାନବ ସମ୍ବଳ ଯୋଗାଇ ଦେବା ହେଉଛି ରାଜ୍ୟର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଅଗାମୀ ଦିନରେ ଓଡିଶା ଓ ତାଇୱାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟିକ ସହଯୋଗ ବୃଦ୍ଧି ପାଇବ ବୋଲି କହିଛନ୍ତି ପ୍ରତିନିଧି ଦଳର ସଭାପତି ।