ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ଟି-୨୦ ମ୍ୟାଚ୍ ! ଦର୍ଶକଙ୍କ କୋଳାହଳରେ କମ୍ପିବ ଗ୍ୟାଲେରୀ , ଉତ୍କଣ୍ଠାରେ କ୍ରୀଡା ପ୍ରେମୀ

32
ଆସନ୍ତାକାଲି ଅର୍ଥାତ୍  ଡିସେମ୍ବର ୨୦ରେ ବାରବାଟୀ ଷ୍ଟାଡିୟମରେ କମ୍ପିବ ଗ୍ୟାଲେରୀ । ଛକା , ଚଉକାର ହେବ ବର୍ଷା । ପୁରା କଟକ ପାଲଟିଯିବ କ୍ରୀଡାମୟ । ଟି-୨୦କୁ ନେଇ ଆରମ୍ଭ ହୋଇଯିବ ଖେଳର ଭବିଷ୍ୟବାଣୀ । ଅନ୍ତର୍ଜାତୀୟ  ଟି-୨୦ କ୍ରିକେଟ୍ ମ୍ୟାଚର ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ପାଇଁ ସୋମବାର ଦିନ ଭାରତ-ଶ୍ରୀଲଙ୍କା ଟିମ୍ ଭୁବନେଶ୍ୱରରେ ପହଁଚିଛନ୍ତି ।  ଏନେଇ ଭୁବନେଶ୍ୱର-କଟକ କମିସନରେଟ୍ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଗାଇଡ୍ ଲାଇନ୍ ଜାରି ହୋଇଛି । ଖେଳ ଦେଖିବାକୁ ଆସୁଥିବା ଦର୍ଶକ ଯେମିତି ହଇରାଣ ନହେବେ ସେଥିପାଇଁ ଅସ୍ଥାୟୀ ଯାନବାହାନ ନିୟନ୍ତ୍ରଣ ପାଇଁ ଉପଦେଶନାମା ଜାରି ହୋଇଛି । ଦେଖାଯାଇଛି ଏହି ଟି-୨୦ ମ୍ୟାଚ ପାଇଁ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଛି ।
ଏବର୍ଷ ଟିକେଟ ପାଇଁ ଭିଡ ଜମିବା ରେକର୍ଡ କରିଛି –
 ଗତ ୧୬ ତାରିଖରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଅନଲାଇନରେ ବୁକିଂ ସହ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି ହେଉଛି । ଖେଳ ଦେଖିବାକୁ ଟିକେଟ୍ ବ୍ଲାକରେ ବିକ୍ରି ହେଉଛି  । କୌଣସି ମୂଲଚାଲ କରିବାକୁ କାହାକୁ ସୁଯୋଗ ଦିଆଯାଉନାହିଁ । ୫୦୦ ଟଙ୍କା ଟିକେଟ୍ ୧୫୦୦ଟଙ୍କାରେ ଓ ୬୦୦ ଟଙ୍କିଆ ଟିକେଟ ୨ହଜାରରେ ବିକ୍ରି ହେଉଛି । ପୁଲିସ୍ ଏଥିପ୍ରତି ଗୁରୁତ୍ୱ ଦେଇ ସାଧା ପୋଷାକରେ ଟିକେଟ୍ ବ୍ଲାକରଙ୍କ ଉପରେ ନଜର ରଖିଛନ୍ତି ।
 ଖେଳାଳୀଙ୍କ  ଓ ଦର୍ଶକଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା –
 ବାରବାଟୀରେ ଏହି ଟି-୨୦ ମ୍ୟାଚକୁ ନେଇ ଓସିଏ ଠାରୁ  ପୋଲିସ୍ କମିସନର ଯାଏ ସମସ୍ତେ ତତ୍ପର ହୋଇଉଠିଛନ୍ତି । ମ୍ୟାଚ ସମୟରେ ଯେପରି  ଖେଳାଳି ଓ ଦର୍ଶକଙ୍କର କୌଣସି ଅସୁବିଧା ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ବିଶେଷକରି ଖେଳାଳି ଭୁବନେଶ୍ୱର ବିମାନବନ୍ଦର ପହଁଚିବା ଠାରୁ ନେଇ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ଏବଂ ହୋଟେଲ ମେ ଫେୟାରରେ ରହିଣୀ ଓ ମ୍ୟାଚ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
 ଶେଷ ପର୍ଯ୍ୟାୟରେ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ ଡିଜି ଓ କମିଶନର । ଖେଳାଳିଙ୍କ ଯିବା ଆସିବାଠାରୁ ଆରମ୍ଭ କରି ଷ୍ଟାଡିୟମରେ ଖେଳ ଶେଷ ହେବା ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିରୁ ଯେପରି କୌଣସି ପ୍ରକାର ଅସୁବିଧା ନହୁଏ ତାର ସମୀକ୍ଷା କରିଛନ୍ତି ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ଡଗ୍ ସ୍କାଡ୍ ଦ୍ୱାରା ଷ୍ଟାଡିୟମକୁ ତନ ତନ କରି ଯାଂଚ କରାଯାଇଛି । ଖେଳ ପାଇଁଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି ପୁଲିସ୍ । ଟ୍ୱିନ ସିଟିକୁ ଜଗିବେ ୯୧ ପ୍ଲାଟୁନ୍ ଫୋର୍ସ । କଟକରେ ୬୩ ପ୍ଲାଟୁନ ଏବଂ ଭୁବନେଶ୍ୱରରେ ୧୮ପ୍ଲାଟୁନ୍ ଫୋର୍ସ ମୁତୟନ ହେବ । ସେହିଭଳି ଷ୍ଟାଡିୟମ ଭିତରକୁ କେତେକ ଜିନିଷ ନେବାକୁ ବାରଣ କରିଛି ପୁଲିସ । ପାଣି ବୋତଲ, ଗୁଟକା, ବିଡି, ସିଗାରେଟ୍, ଦିଆସିଲି ଓ ଅନ୍ୟାନ୍ୟ ଜିନିଷ ନେବା ଉପରେ କଟକଣା ଲଗାଯାଇଛି ।
କେମିତି ଯିବେ ବାରବାଟୀ ଷ୍ଟାଡିୟମକୁ –
ସଡକ ପଥରେ କଟକ , କୋଲକତା ଓ ଚେନ୍ନାଇ ଆଦିକୁ ସଂଯୋଗ କରୁଥିବା  ୫ ନଂ ଜାତୀୟ ରାଜପଥ  ସହ ଉତ୍ତମ ଭାବେ  ସଂଯୁକ୍ତ । ରାଜ୍ୟର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ହୋଇଥିବାରୁ ଏହା ପଥ ରେଳପଥ ଦ୍ୱାରା ଉତ୍ତମ ରୂପେ ସଂଯୁକ୍ତ । ଏଣୁ ଦେଶ  ତଥା ରାଜ୍ୟର ଅନେକ ଅଂଚଳରୁ ଚାହିଁଲେ ରେଳ ପଥରେ ଆସି କଟକରେ ପହଁଚିପାରିବେ । ବସ୍ ଯୋଗେ ଆପଣ ଆସି କଟକ ବାଦାମବାଡି ବସ୍ ଟର୍ମିନସରେ ଓହ୍ଲାଇପାରିବେ ।  ବିଜୁ ପଟ୍ଟନାୟକ ବିମାନ ବନ୍ଦର କଟକ ଠାରୁ  ମାତ୍ର ୨୮ କିମି ଦୂରରେ ଅବସ୍ଥିତ । ରାଜ୍ୟ ତଥା ଦେଶ ବାହାରୁ ଆସି ଏହିଠାରେ ଓହ୍ଲାଇ କଟକକୁ ଆସିପାରିବେ । ବାଦାମବାଡି ବସ୍ ଷ୍ଟାଣ୍ଡରୁ  ସବୁବେଳେ ଅଟୋର ସୁବିଧା ରହିଛି ।
 ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ହୋଇଥିବା ଅନ୍ତର୍ଜାତୀୟ ମ୍ୟାଚ –   ବାରବାଟୀ ଷ୍ଟାଡିୟମରେ  ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ୧୯୮୭ ମସିହାରେ ୪ରୁ ୭ ଜାନୁୟାରୀ ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଠାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା ଟେଷ୍ଟ ମ୍ୟାଚ୍ । ଏହା ସହ ୧୯୯୫ରେ ୮-୧୨ ନଭେମ୍ବର ମଧ୍ୟରେ ମଧ୍ୟ ଦ୍ୱିତୀୟ ଥର ପାଇଁ ଆୟୋଜିତ ହୋଇଥିଲା ଟେଷ୍ଟମ୍ୟାଚ୍ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିଲା ଟେଷ୍ଟ ଲଢେଇ । ପ୍ରଥମ ଦିନିକିଆ ମ୍ୟାଚ ବାରବାଟୀରେ ୨୭ ଜାନୁୟାରୀ ୧୯୮୨ରେ ହୋଇଥିଲା । ଭାରତ ଓ ଇଂଲଣ୍ଡ ସାମ୍ନାସାମ୍ନି ହୋଇଥିଲେ । ଦ୍ୱିତିୟ ଥର ପାଇଁ ବାରବାଟୀରେ ୨୦୧୭ରେ ଅନୁଷ୍ଠିତ ହୋଇଥିଲା ଦିନିକିଆ ମ୍ୟାଚ୍ । ଏଥିରେ ମଧ୍ୟ ଭାରତ- ଇଂଲଣ୍ଡ ଖେଳିଥିଲେ । ଏବଂ ପ୍ରଥମଥର ପାଇଁ ଟି-୨୦ ମ୍ୟାଚ୍ ୫ ଅକ୍ଟୋବର ୨୦୧୫ରେ ବାରବାଟୀରେ ଖେଳାଯାଇଥିଲା । ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଖୁବ୍ ପ୍ରତିଦ୍ୱନ୍ଦିତା ସୃଷ୍ଟି ହୋଇଥିଲା ।