ଫେରିଛି ଟି-୨୦ କ୍ରିକେଟର ଫିଭର ! ବାରବାଟୀ କାଉଂଟରରେ ଟିକେଟ ପାଇଁ ଲାଗୁଛି ଲମ୍ବା ଭିଡ, ଆଜି ବି ଟିକେଟ ବିକ୍ରି ଜାରି ରହିବ

32

କନକ ବ୍ୟୁରୋ: ବାରବାଟୀରେ ଆସନ୍ତା ୨୦ତାରିଖରେ ହେବ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଟି-୨୦ ଟକ୍କର । ଏଥିପାଇଁ ଆରମ୍ଭ ହୋଇଥିବା ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ଆଜି ମଧ୍ୟ ଜାରି ରହିବ । ଗତକାଲି କାଉଂଟର ବନ୍ଦ ହେବା ବେଳକୁ ପ୍ରାୟ ୮୦ ପ୍ରତିଶତ ଟିକେଟ ବିକ୍ରି ହୋଇଯାଇଥିବା ଜଣାପଡିଛି । ଆଜି ସକାଳ ୯ଟାରୁ ଅବଶିଷ୍ଟ ଟିକେଟ ବିକ୍ରି କରାଯିବ । କାଉଂଟରରେ ୭ ପ୍ରକାରର ଟିକେଟି ବିକ୍ରି କରାଯାଉଛି । ଏହି ଟିକେଟ ଗୁଡିକର ମୂଲ୍ୟ ୪୦୦ ଟଙ୍କାରୁ ୮ ହଜାର ମଧ୍ୟରେ ରହିଛି । ଜଣେ କେବଳ ୨ଟି ଟିକେଟ କିଣିବାର ନିୟମ ରହିଛି । ଟିକେଟ କିଣିବା ପାଇଁ ବାରିକେଟ୍ ଆଗରେ ଲମ୍ବା ଧାଡି ଲାଗୁଛି । ସେପଟେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବହୁ ପଦକ୍ଷେପ ନେଇଛି ଓସିଏ ଓ କମିଶନରେଟ ପୋଲିସ ।

ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ କ୍ରିକେଟ ପାଇଁ ଶନିବାରଠୁ କାଉଣ୍ଟର ଟିକେଟ ବିକ୍ରି ଆରମ୍ଭ ହୋଇଛି । ଆରମ୍ଭରୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଥିବାରୁ ପ୍ରଥମ ଦିନରେ ପ୍ରାୟ ୯୦ ପ୍ରତିଶତ ଟିକେଟ ବିକ୍ରି ହୋଇଯାଇଛି । ଶନିବାର ପାଇଁ ମାତ୍ର ୩୪୦ ଟିକେଟ୍ ଉପଲବ୍ଧ ଥିବାବେଳେ ଏହା କେବଳ ୩୦୦୦ରୁ ଅଧିକ ଟଙ୍କା ମୂଲ୍ୟ ବିଶିଷ୍ଟ ସ୍ପେଶାଲ ଏନକ୍ଲୋଜର୍ (୨୩୩), କର୍ପୋରେଟ୍ ବକ୍ସ (୧), ଏସି ବକ୍ସ (୧୦୬) ହୋଇଥିବାରୁ ସାଧାରଣ କ୍ରିକେଟପ୍ରେମୀ ନିରାଶ ହୋଇଛନ୍ତି । ଆଜି ଏହି ବଳକା ଟିକେଟ ଗୁଡ଼ିକ କେବଳ ୧ ନମ୍ବର କାଉଣ୍ଟରରେ ବିକ୍ରି କରାଯିବ।

କାଉଣ୍ଟରରେ ବିକ୍ରି ପାଇଁ ୧୨, ୫୨୯ ଟିକେଟ୍ ଉଦ୍ଧିଷ୍ଟ ଥିଲା । ସେଥିମଧ୍ୟରୁ ୧ ନମ୍ବର କାଉଣ୍ଟରରେ ସ୍ପେଶାଲ ଏନକ୍ଲୋଜୋର, ନିଉ ପ୍ୟାଭିଲିଅନ୍, ଏସି ଗ୍ୟାଲେରୀ, କର୍ପୋରେଟ୍ ବକ୍ସ ଟିକେଟ ବିକ୍ରୀ କରାଯାଇଥିଲାବେଳେ ପ୍ରଥମ ୩ ଘଣ୍ଟା ଭିଡ ରହିଥିଲା । ଅନ୍ୟପକ୍ଷରେ ଗ୍ୟାଲେରୀ ଟିକେଟ ପାଇଁ ଉଦ୍ଧିଷ୍ଟ ଥିବା ୨ ଓ ୩ ନମ୍ବର ଗ୍ୟାଲେରୀରେ ଅସମ୍ଭାଳ ଭିଡ ଦେଖବାକୁ ମିଳିଥିଲା । ଟିକେଟ ପାଇଁ ପୂର୍ବଦିନ ରାତି ଅଧରୁ ଦର୍ଶକମାନେ ଧାଡ଼ିରେ ଛିଡ଼ା ହୋଇଥିଲାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପୁଲିସ୍ ମୁତୟନ ହୋଇଥିଲା ।

ହେଲେ ମହିଳାମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇନଥିବାରୁ ୩ ନମ୍ବର କାଉଣ୍ଟର ପାଖରେ ମହିଳା ଓ ଯୁବତୀମାନେ ସ୍ୱତଃ ଏକ ନୂଆ ଧାଡ଼ି ତିଆରି କରିଥିଲେ । ପୁଲିସର ସହାୟତାକ୍ରମେ ମହିଳାଙ୍କୁ ଟିକେଟ କିଣିବାକୁ ସୁଯୋଗ ଦିଆଯାଇଥିଲା। ତେବେ ଟିକେଟ କିଣାକୁ ନେଇ ଏକାଧିକ ଥର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ପକେଟମାରମାନେ ବି ସକ୍ରିୟ ହୋଇଯାଇଥିଲେ ।

ଅନ୍ୟପଟେ, ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭରୁ କେଳେଙ୍କାରୀ ସାମନାକୁ ଆସିଛି । ଓସିଏ ଅନୁବନ୍ଧିତ ସଂସ୍ଥା ଓ ବିସିସିଆଇ ପ୍ରାୟୋଜକଙ୍କ ପାଇଁ ଉଦ୍ଦିଷ୍ଟ ଟିକେଟ ଶୁକ୍ରବାର ଦିନ ଚାଲିଥିବା ବିକ୍ରି ଚାଲିଥିବା ବେଳେ ହଠାତ ଖେଳାଳି ରିହାତି ୨୦୦ ଟଙ୍କିଆ ଟିକେଟ ଉଭାନ ହୋଇଯାଇଛି । ନିଦ୍ଦଷ୍ଟ ସଂଖ୍ୟକ ଖେଳାଳି ଓ ଅନୁବନ୍ଧିତ ସଂସ୍ଥା ପାଇଁ ଟିକେଟ ଛପା ଯାଇଥିବା ବେଳେ ତାହା ଅଧାରୁ କିଭଳି ସରିଗଲା ତାକୁ ନେଇ ପ୍ରଶ୍ନ ଉଠିଛି । ରିହାତି ଦରରେ ବିକ୍ରି ହେବାକୁ ଥିବା ଟିକେଟକୁ କିଏ ଗାଏବ କରିଛି ନା ଜାଲ ପ୍ରମାଣ ପତ୍ର ଦେଖାଇ ସଂସ୍ଥା ଅଥବା ବ୍ୟକ୍ତି ଏହି ଟିକେଟ ନେଇ ଯାଇଛନ୍ତି,ତାହାର ତଦନ୍ତ ପାଇଁ ଦାବି ହୋଇଛି ।