କନକ ବ୍ୟୁରୋ : ବାରବାଟୀରେ ହୋଇପାରିବନି ଟି-୨୦ ମ୍ୟାଚ୍  । ଏ ନେଇ ବିସିସିଆଇକୁ ଜଣାଇଛି ଓସିଏ । ବାଲିଯାତ୍ରା ଥିବାରୁ ଏଥିପାଇଁ ମ୍ୟାଚ୍ ହୋଇପାରିବନି ବୋଲି ଓଡିଶା କ୍ରିକେଟ ଆସୋସିଏସନ୍ କହିଛି । ନଭେମ୍ବର ୪ରେ ଏହି ମ୍ୟାଚ୍ ପାଇଁ ବିିସିସିଆଇ ଘୋଷଣା କରିଥିଲା । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ମ୍ୟାଚ୍ ହେବାର ଥିଲା । କିନ୍ତୁ ଏହି ମ୍ୟାଚ୍ ପାଇଁ ଆଜି ଅକ୍ଷମତା ପ୍ରକାଶ କରିଛି ଓସିଏ । ସେପଟେ କ୍ରୀଡାପ୍ରେମୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ -ନ୍ୟୁଜଲାଣ୍ଡ୍ ଟି ୨୦ ବଦଳରେ ଭାରତ ଶ୍ରୀଲଙ୍କା ଟି-୨୦ ଆୟୋଜନ କରିବାକୁ ବିସିସିଆଇକୁ ନିବେଦନ କରିଛି ଓସିଏ ।

ବାରବାଟୀରେ ଆଜିଯାଏଁ ୧୮ଟି ଦିନିକିଆ ମ୍ୟାଚ୍ ଖେଳାଯାଇଥିବା ବେଳେ ୨ଟି ଟେଷ୍ଟ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳାଯାଇଛି । ତେବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ବେଳେ ବୋତଲ ମାଡ ପ୍ରସଙ୍ଗରେ ବାରବାଟୀ ବଦନାମର ଶିକାର ହୋଇଥିଲା । ହେଲେ ଏହାପରେ ଚଳିତବର୍ଷ ହୋଇଥିଲା ଦିନିକିଆ ମ୍ୟାଚ୍ । ଯେଉଁଥିରେ ଭାରତ ବାଜିମାତ୍ କରିଥିଲା ।

ସେହିଭଳି ଭାରତ ଗସ୍ତରେ ମଧ୍ୟ ଆସିବ ଅଷ୍ଟ୍ରେଲିଆ ଦଳ । ଗସ୍ତରେ ୫ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ । ଦିନିକିଆ ମ୍ୟାଚ୍ ଗୁଡିକ ଚେନ୍ନାଇ, ବେଙ୍ଗାଳୁରୁ, ନାଗପୁର, ଇନ୍ଦୋର ଓ କୋଲକାତାରେ ଖେଳାଯିବ । ହାଇଦ୍ରାବାଦ, ରାଂଚି ଓ ଗୌହାଟିରେ ଖେଳାଯିବ ଟି-୨୦ ମ୍ୟାଚ୍ ।

ଭାରତ ଗସ୍ତରେ ଆସି ଶ୍ରୀଲଙ୍କା ୩ଟି ଟେଷ୍ଟ ମ୍ୟାଚ୍, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ । ଟେଷ୍ଟ ମ୍ୟାଚ୍ ଗୁଡିକ କୋଲକାତା, ନାଗପୁର, ଓ ଦିଲ୍ଲୀରେ ଖେଳାଯିବାକୁ ଥିବା ବେଳେ ଦିନିକିଆ ମ୍ୟାଚ୍ ଧର୍ମଶାଳା, ମୋହାଲି ଓ ଭାଇଜାଗରେ ହେବ । ଟି-୨୦ ମ୍ୟାଚ କୋଚିନ, ଇନ୍ଦୋର ଓ ମୁମ୍ବାଇରେ ଖେଳାଯିବ । ବିସିସିଆଇ ସୁତ୍ରରୁ ଏହି ସୂଚନା ମିଳିଛି ।

ତେବେ କେଉଁ ମାସରେ କେଉଁ ଦଳ ଭାରତ ଗସ୍ତରେ ଆସୁଛନ୍ତି ଓ କେବେ କେଉଁଠାରେ ମ୍ୟାଚ୍ ହେବ ସେନେଇ ବିଶଦ ତଥ୍ୟ ଦିଆଯାଇନାହିଁ ।