ବାରବାଟୀରେ ଫଟାଫଟ ଲଢେଇ ! ନଭେମ୍ବରରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

59

ବାରବାଟୀ ଷ୍ଟାଡିୟମରେ ହେବ ଫଟାଫଟ ଲଢେଇ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମୁକାବିଲା । ଏନେଇ ଓସିଏ କର୍ତ୍ତୃପକ୍ଷ ସୂଚନା ଦେଇ କହିଛନ୍ତି, ନଭେମ୍ବର ପ୍ରଥମ ସପ୍ତାହରେ ଏହି ମୁକାବିଲା ଦେଖିବାକୁ ମିଳିବ । ନ୍ୟୁଜିଲାଣ୍ଡ ଭାରତ ଗସ୍ତରେ ଆସି ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ । ଦିନିକିଆ ମ୍ୟାଚ୍ ଗୁଡିକ ପୁଣେ, ମୁମ୍ବାଇ ଓ କାନପୁରରେ ହେବାକୁ ଥିବା ବେଳେ ଟି-୨୦ ମ୍ୟାଚ୍ ଗୁଡିକ ଦିଲ୍ଲୀ, କଟକ ଆଉ ରାଜକୋଟରେ ଖେଳାଯିବ ।

ଜାନୁୟାରୀ ୧୯, ୨୦୧୭ରେ ବାରବାଟୀରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଥିଲା । ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା ହାଇଭୋଲଟେଜ୍ ମୁକାବିଲା । ଯେଉଁଥିରେ ଭାରତ ୧୫ ରନରେ ବାଜିମାତ୍ କରିଥିଲା । ବାରବାଟୀରେ ଆଜିଯାଏଁ ୧୮ଟି ଦିନିକିଆ ମ୍ୟାଚ୍ ଖେଳାଯାଇଥିବା ବେଳେ ୨ଟି ଟେଷ୍ଟ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳାଯାଇଛି । ତେବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ବେଳେ ବୋତଲ ମାଡ ପ୍ରସଙ୍ଗରେ ବାରବାଟୀ ବଦନାମର ଶିକାର ହୋଇଥିଲା । ହେଲେ ଏହାପରେ ଚଳିତବର୍ଷ ହୋଇଥିଲା ଦିନିକିଆ ମ୍ୟାଚ୍ । ଯେଉଁଥିରେ ଭାରତ ବାଜିମାତ୍ କରିଥିଲା ।

ସେହିଭଳି ଭାରତ ଗସ୍ତରେ ମଧ୍ୟ ଆସିବ ଅଷ୍ଟ୍ରେଲିଆ ଦଳ । ଗସ୍ତରେ ୫ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ । ଦିନିକିଆ ମ୍ୟାଚ୍ ଗୁଡିକ ଚେନ୍ନାଇ, ବେଙ୍ଗାଳୁରୁ, ନାଗପୁର, ଇନ୍ଦୋର ଓ କୋଲକାତାରେ ଖେଳାଯିବ । ହାଇଦ୍ରାବାଦ, ରାଂଚି ଓ ଗୌହାଟିରେ ଖେଳାଯିବ ଟି-୨୦ ମ୍ୟାଚ୍।

ଭାରତ ଗସ୍ତରେ ଆସି ଶ୍ରୀଲଙ୍କା ୩ଟି ଟେଷ୍ଟ ମ୍ୟାଚ୍, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍ ଖେଳିବ । ଟେଷ୍ଟ ମ୍ୟାଚ୍ ଗୁଡିକ କୋଲକାତା, ନାଗପୁର, ଓ ଦିଲ୍ଲୀରେ ଖେଳାଯିବାକୁ ଥିବା ବେଳେ ଦିନିକିଆ ମ୍ୟାଚ୍ ଧର୍ମଶାଳା, ମୋହାଲି ଓ ଭାଇଜାଗରେ ହେବ । ଟି-୨୦ ମ୍ୟାଚ କୋଚିନ, ଇନ୍ଦୋର ଓ ମୁମ୍ବାଇରେ ଖେଳାଯିବ । ବିସିସିଆଇ ସୁତ୍ରରୁ ଏହି ସୂଚନା ମିଳିଛି ।

ତେବେ କେଉଁ ମାସରେ କେଉଁ ଦଳ ଭାରତ ଗସ୍ତରେ ଆସୁଛନ୍ତି ଓ କେବେ କେଉଁଠାରେ ମ୍ୟାଚ୍ ହେବ ସେନେଇ ବିଶଦ ତଥ୍ୟ ଦିଆଯାଇନାହିଁ ।