ଯୁଦ୍ଧମୁହାଁ ପୃଥିବୀ ! ସିରିଆ ଉପରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସେନାର ଜୋରଦାର ଆକ୍ରମଣ, ୠଷ ଦେଲା ଚେତାବନୀ

136

ଯୁଦ୍ଧ ଆଡକୁ ମୁହାଁଉଛି ପୃଥିବୀ । ସିରିଆରେ ମିଳିତ ବାହିନୀର ମିସାଇଲ୍ ଆକ୍ରମଣ ପରେ ବଦଳିବାରେ ଲାଗିଛି ଆନ୍ତର୍ଜାତିକ ସମୀକରଣ । ଆକ୍ରମଣ ପରେ ଲକ୍ଷ୍ୟପୂରଣ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି । ଏଥିପାଇଁ ଟ୍ରମ୍ପ୍ , ଫ୍ରାନ୍ସ ଓ ବ୍ରିଟେନ୍ ସାମରିକ ବାହିନୀକୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ଏହାକୁ ନେଇ ମସ୍କୋ, କଡ଼ା ଆଭିମୁଖ୍ୟ ଦେଖାଇବା ଆରମ୍ଭ କରିଛି । ଏ ନେଇ ରୁଷ୍ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଡକାଇଛି । ଦୁଇ ମହାଶକ୍ତି ମୁହାଁମୁହିଁ ହେବା ଘଟଣା ଯୁଦ୍ଧଆଡ଼କୁ ମୁହାଁଇବା ସ୍ପଷ୍ଟ ହୋଇଛି ।

ଏପ୍ରିଲ୍ ୭ ତାରିଖ୍ ରୁଷ ସହାୟତାରେ ସିରିଆରେ ରାସାୟନିକ ଆକ୍ରମଣ ପରେ ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ । ସିରିଆ ରାଜଧାନୀ ଦାମାସକସ୍ ଉପରେ ବ୍ରିଟେନ୍, ଫ୍ରାନ୍ସ ଓ ଆମେରିକା ମିଳିତ ଭାବେ କରିଛନ୍ତି ଜୋରଦାର ହମଲା । ଏ ନେଇ ରୁଷ୍ ଓ ଆମେରିକା ମୁହାଁମୁହିଁ ହୋଇଛନ୍ତି । ଫଳରେ ବଡ଼ଧରଣର ଯୁଦ୍ଧଆଡ଼କୁ ମୁହାଁଇଛନ୍ତି ବିଶ୍ୱର ଦୁଇ ମହାଶକ୍ତି ।

ଶନିବାର ଭୋର୍ ପ୍ରାୟ ୪ଟା ସମୟରେ ସିରିଆ ରାଜଧାନୀ ଦାମାସକସରେ ଶୁଭିଲା ଜୋରଦାର ଧମାକା । କେହି କିଛି ବୁଝିବା ପୂର୍ବରୁ ସିରିଆ ଆକାଶ କ୍ରମେ କମଳା ରଂଗ ଧାରଣ କରୁଥିଲା । ଦାମାସକସର ପୂର୍ବ ଭାଗରୁ ଧୁଆଁ ଉପରକୁ ଉଠୁଥିଲା ଓ ପ୍ରବଳ ଝଡ଼ ତୋଫାନ ହେବା ଭଳି ଥିଲା ସ୍ଥିତି । ପାଖାପାଖି ଘଣ୍ଟାଏ କାଳ ସିରିଆ ଆକାଶରେ ବିପର୍ଯ୍ୟୟର ଖେଳ ଖେଳି ଚାଲିଥିଲା ମିଳିତ ସେନାର କ୍ରୁଜ୍ ମିସାଇଲ୍ । ସିରିଆ ବାୟୁସେନାର ପ୍ରତିଆକ୍ରମଣ ସତ୍ୱେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ଶହେରୁ ଉଦ୍ଧ୍ୱର୍ ମିସାଇଲ୍ ଭେଦ କରିଥିଲା ଲକ୍ଷ୍ୟକୁ । ଏହାପରେ ଚାଲିଛି ଦୁଇପକ୍ଷ ମଧ୍ୟରେ ବୟାନବାଜି ।

ସିରିଆ ରାଷ୍ଟ୍ରପତି ବସର୍ ଅଲ୍ ଆସାଦ୍ କହିଛନ୍ତି, ଭଲ ଲୋକଙ୍କୁ ଅପମାନିତ କରାଯିବନାହିଁ । ଆକ୍ରମଣର ପରିଣତି ଖୁବ ଭୟଙ୍କର ହେବ । ସେପଟେ ଆମେରିକାକୁ ସତର୍କ କରାଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି, ସିରିଆ ଉପରେ ଆକ୍ରମଣ କ୍ରୋଧର ପ୍ରତିଫଳନ ଓ ଏହା ମାନବୀୟ ବିପତିକୁ ବୃଦ୍ଧି କରିବ । ତେବେ ଏହାର କଡ଼ା ଜବାବ୍ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ସିରିଆ ଉପରେ ଆକ୍ରମଣ ହେଉଛି ନରରାକ୍ଷସ କରିଥିବା ଅପରାଧର ଦଣ୍ଡ ।୨୦୧୮ ଏପ୍ରିଲ୍ ୭ ତାରିଖ । ସିରିଆରେ ରାସାୟନିକ ଆକ୍ରମଣରେ ପ୍ରାଣ ହରାନ୍ତି ୭୦ରୁ ଉଦ୍ଧ୍ୱର୍ ନିରୀହ ଲୋକ । ରୁଷ୍ ସହାୟତାରେ ସିରିଆ ରାଷ୍ଟ୍ରପତି ବସର୍ ଅଲ୍ ଅସଦ୍ ଆକ୍ରମଣ କରିଥିବା ସନ୍ଦେହ କରେ ଆମେରିକା । ଠିକ ସାତ ଦିନ ପରେ ସିରିଆ ସରକାରଙ୍କ ରାସାୟନିକ ଅସ୍ତ୍ରଭଣ୍ଡାରକୁ ଟାର୍ଗେଟ୍ କରି ଆକ୍ରମଣ କରିଛି ଆମେରିକା ।

ସିରିଆ ଆକ୍ରମଣ ପରେ ଦୁଇ ମହାଶକ୍ତି ଆମେରିକା ଓ ରୁଷିଆ ମୁହାଁମୁହିଁ ହୋଇଛନ୍ତି । ରାଷ୍ଟ୍ରପତି ବସର ଅଲ୍ ଅସଦଙ୍କ ସପକ୍ଷରେ ରୁଷ୍ ବାହାରିଥିବା ବେଳେ ତାଙ୍କୁ ବିରୋଧ କରୁଛନ୍ତି ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ପରି ନାଟୋର ସଦସ୍ୟ ରାଷ୍ଟ୍ର । ଅନ୍ୟପଟେ ମିଳିତ ସେନାର ଆକ୍ରମଣକୁ ବିରୋଧ କରି ରୁଷ୍ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଡକାଇଛି । ସେପଟେ ଏହି ଆକ୍ରମଣରେ ସିରିଆ ସରକାରଙ୍କ ରାସାୟନିକ ଅସ୍ତ୍ରଭଣ୍ଡାରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଏକ ଫଟୋ ଜାରି କରି ଦର୍ଶାଇଛି ଫ୍ରାନ୍ସ ।ବଢ଼ିବାରେ ଲାଗିଛି ସିରିଆ ସଙ୍କଟ । ରୁଷ୍-ଆମେରିକା ମୁହାଁମୁହିଁ ହେବାପରେ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ଏହା ଯେକୌଣସି ମୁହୂର୍ତରେ ବଡ଼ ଯୁଦ୍ଧ ଆଡ଼କୁ ମୁହାଁଇବା ଆଶଙ୍କା କରାଯାଉଛି ।