ଧ୍ୱସ୍ତବିଧ୍ୱସ୍ତ ସିରିଆରେ ରାସାୟନିକ୍ ଆକ୍ରମଣ ! ଶହେରୁ ଅଧିକ ମୃତ, ୨୦୦ରୁ ଅଧିକ ଗୁରୁତର

32

କନକ ବ୍ୟୁରୋ : ଧ୍ୱସ୍ତବିଧ୍ୱସ୍ତ ସିରିଆ ପୂର୍ବାଞ୍ଚଳର ଘୌଟା ସହରରେ ବଡ ଧରଣର ରାସାୟନିକ ଆକ୍ରମଣ ହୋଇଛି । ଏଥିରେ ଅତି କମରେ ଶହେରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୨ ଶହକୁ ଅଧିକ ଗୁରୁତର ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି । ସିରିଆର ସରକାର ବିରୋଧୀ ବିଦ୍ରୋହୀ ଏହି ଆକ୍ରମଣ କରିଥିବା ଜଣାପଡିଛି । ସ୍ଥାନୀୟ କିଛି ସଙ୍ଗଠନଙ୍କ କହିବା ଅନୁସାରେ, ଶନିବାର ରାତିରେ ଆକାଶମାର୍ଗରୁ ରାସାୟନିକ ଭର୍ତ୍ତି ବ୍ୟ।ରେଲ ତଳକୁ ଫିଙ୍ଗାଯାଇଥିଲା । ସିରିଆରେ ଏଭଳି ରାସାୟନିକ ଆକ୍ରମଣ ଏକ ବଡ ସଙ୍କଟ ସୃଷ୍ଟି କରିଚି । ଏହି ଆକ୍ରମଣ ପରେ ହଜାର ହଜାର ଲୋକ ସହର ଛାଡି ପଳାୟନ କରିଛନ୍ତି । ଅଧିକାଂଶ ଲୋକଙ୍କ ଶ୍ୱାସ-ପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଛି ।

ଘଟଣା ପରେ ସହରକୁ ସେନା ଚାରିପଟେ ଘେରାଉ କରି ରଖିଛି । ତେଣୁ ବର୍ତ୍ତମାନ ସେଠାରେ ପ୍ରକୃତ ସ୍ଥିତି କଣ ଜଣାପଡୁନାହିଁ । ସିରିଆ ଉପରେ ରାସାୟନିକ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏଥିପାଇଁ ଋଷକୁ ଦାୟୀ କରିଛନ୍ତି । ଏଥିପାଇଁ ଋଷ ଓ ସିରିଆକୁ ବହୁମୂଲ୍ୟ ଦେବାକୁ ପଡିପାରେ ବୋଲି ଆମେରିକା ଧମକ ଦେଇଛି । ଗତ ୭ ବର୍ଷ ମଧ୍ୟରେ ସିରିଆ ଗୃହଯୁଦ୍ଧରେ ଛାରଖାର ହୋଇଯାଇଛି । ସିରିଆର ଭବିଷ୍ୟତ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୧୧ରୁ ସେଠାରେ ଗୃହଯୁଦ୍ଧ ଲାଗିରହିଛି । ୨୦୧୩ ମସିହାରେ ରକେଟ ଯୋଗେ ସିରିଆରେ ହୋଇଥିବା ରାସାୟନିକ ଆକ୍ରମଣରେ ପ୍ରାୟ ୯ ଶହ ଲୋକେ ପ୍ରାଣ ହରାଇଥିଲେ ।

ସ୍ୱେଚ୍ଛାସେବୀ ସଂଗଠନ ‘ହ୍ଵାଇଟ ହେଲମେଟ’ ମୃତାହତଙ୍କୁ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ, ବିଷାକ୍ତ ଗ୍ୟାସ୍ ଥିବା ବ୍ୟାରେଲ ବୋମାଗୁଡ଼ିକୁ ଶନିବାର ଦିନ ହେଲିକପ୍ଟରରୁ ଏହି ଅଞ୍ଚଳରେ ପକାଯାଇଥିଲା । ସିରିଆ ସରକାରଙ୍କ ଦ୍ୱାରା ନିଜ ଦେଶର ଲୋକଙ୍କ ବିରୋଧରେ ଏଭଳି ବିଷାକ୍ତ ରାସାୟନିକ ଆକ୍ରମଣ ପୂର୍ବରୁ ମଧ୍ୟ ହୋଇସାରିଛି । ତେବେ ଏହି ରାସାୟନିକ ଆକ୍ରମଣ ପଛରେ ଆମେରିକା ନା ରୁଷିଆର ହାତ ରହିଛି,ତାହା ଏଯାବତ୍ ସ୍ପଷ୍ଟ ହୋଇପାରି ନାହିଁ ।

ସିରିୟା ସରକାର କହିଛନ୍ତି ଯେ ଏଥିରେ ରୁଷର ହାତ ନାହିଁ ଏବଂ ଏଭଳି ଆକ୍ରମଣକୁ ସରକାର କେବେ ହେଲେ ପ୍ରୋତ୍ସାହନ ଦେଇନାହାନ୍ତି । ସିରିଆ ବିଦ୍ରୋହୀଙ୍କୁ ନିପାତ ପ୍ରକ୍ରିୟା ଜାରି ରଖିଥିବା ରୁଷ୍ ସେନା ଏହି କାଣ୍ଡ ଘଟାଇଛି ବୋଲି ଚର୍ଚ୍ଚା ଜୋର୍ ଧରିଛି । ତେବେ ସରକାର ଏଭଳି ଅଭିଯୋଗକୁ ଖଣ୍ଡନ କରି ଏହାର ତଦନ୍ତ କରାଯିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି କହିଛନ୍ତି । ତେବେ ଏହି ଆକ୍ରମଣ ପାଇଁ ରୁଷକୁ ସିଧାସଳଖ ଆମେରିକା ଦାୟୀ କରିଛି । ଆମେରିକାର କିଛି ସଂଗଠନ ସିରିୟା ଗ୍ୟାସ ଆକ୍ରମଣ ପୀଡ଼ିତଙ୍କ ଉଦ୍ଧାର କାର୍ୟ୍ୟ କରୁଛନ୍ତି ।