ମୋଦିଙ୍କ ଆଉ ଏକ ପଦକ୍ଷେପ : ସ୍ୱିସ୍ ବ୍ୟାଙ୍କରେ କିଏ କେତେ ଟଙ୍କା ରଖିଛନ୍ତି ୨୦୧୯ରୁ ଆପେ ମିଳିବ ସୂଚନା

30

କନକ ବ୍ୟୁରୋ : ଦେଶରେ ଥିବା କଳାଧନ ଉପରେ ଅଂକୁଶ ଲଗାଇବାକୁ ମୋଦି ସରକାରଙ୍କ ବିମୁଦ୍ରାକରଣ ନିଷ୍ପତି ପରେ ଆଉ ଏକ ବଡ ସଫଳତା । ଏଣିକି ବିଦେଶରେ ଗଚ୍ଛିତ ଥିବା କଳାଧନ ସଂପର୍କରେ ଜାଣିପାରିବେ ସରକାର । ବିଶେଷ କରି ସ୍ୱିସ ବ୍ୟାଙ୍କରେ କେତେ କଳାଧନ ଜମା ଅଛି ତାହା ଜଣାପଡିବ । ଏଥିଲାଗି ସ୍ୱିସ୍ ବ୍ୟାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ସିବିଡିଟି ଅଧ୍ୟକ୍ଷ ଓ ଭାରତରେ ଥିବା ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ଭିତରେ ଏହି ଚୁକ୍ତି ହୋଇଛି । ବୁଝାମଣା ଅନୁସାରେ ଆଗାମୀ ୨୦୧୯ରୁ ସ୍ୱିସ ବ୍ୟାଙ୍କରେ କେଉଁ ଭାରତୀୟଙ୍କ କେତେ ଟଙ୍କା ଜମା ଅଛି ଆପେଆପେ ଜାଣିପାରିବ ଭାରତ । ୨୦୧୮ବର୍ଷର ତଥ୍ୟ ମଧ୍ୟ ଦେବ ସ୍ୱିଜରଲ୍ୟାଣ୍ଡ । ଗତ ଜୁନ୍ ୬ ତାରିଖରେ ଜେନେଭା ବୈଠକ ସମୟରେ ସ୍ୱିଜରଲାଣ୍ଡ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଭାରତରେ ଟିକସ ଫାଙ୍କି ସ୍ୱିସ ବ୍ୟାଙ୍କରେ ଟଙ୍କା ଜମା କରୁଥିବା ବ୍ୟକ୍ତିଙ୍କ ତାଲିକା ଦେବାକୁ କହିଥିଲେ । ସ୍ୱତଃପ୍ରବୃତ ସୂଚନା ପ୍ରଦାନ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ । ଏହି କ୍ରମରେ ଆଜି ଅର୍ଥମନ୍ତ୍ରାଳୟରେ ଦୁଇଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ବିଦେଶରୁ କଳାଧନ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇ ୨୦୧୪ରେ କ୍ଷମତାକୁ ଆସିଥିଲେ ମୋଦି ସରକାର । ତେଣୁ ପ୍ରତିଶ୍ରୁତି ପୂରଣ ଦିଗରେ କେନ୍ଦ୍ର ସରକାରଙ୍କ ଏହା ଆଉଏକ ବଡ ପଦକ୍ଷେପ ବୋଲି କୁହାଯାଉଛି ।

ଏହା ସହ ଦେଖନ୍ତୁ ମତ ମାଗିଲେ ମୋଦି ! ବଡ ଉଦ୍ଦେଶ୍ୟ ପାଇଁ କଠୋର ନିଷ୍ପତିର ହେବ ସର୍ଭେ