ରାଜ୍ୟରେ ସ୍ୱାଇନ ଫ୍ଲୁ ଆତଙ୍କ ! ୧୫୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୨୧ ଜଣଙ୍କ ମୃତ୍ୟୁୁ

54

କନକ ବ୍ୟୁରୋ : ରାଜ୍ୟରେ ସ୍ୱାଇନ ଫ୍ଲୁ ଆତଙ୍କ ସୃଷ୍ଟି କରିଛି । ସ୍ୱାଇନ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିଚାଲିଛି । ରୋଗୀଙ୍କ ମୃତ୍ୟୁ ମଧ୍ୟ ହେଉଛି । ବର୍ତମାନ ସୁଦ୍ଧା ସ୍ୱାଇନ୍ ଫ୍ଲୁରେ ରାଜ୍ୟରେ ୧୫୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୨୧ ଜଣଙ୍କ ମୃତ୍ୟୁୁ ଘଟିଲାଣି । କେବଳ କଟକ ବଡ ମେଡିକାଲରେ ୬ ଜଣ ସ୍ୱାଇନ୍ ଫ୍ଲୁ ରୋଗୀଙ୍କ ପ୍ରାଣ ଗଲାଣି । ୧୦ରୁ ଅଧିକ ଆକ୍ରନ୍ତ ଏବେ ଏସସିବିର ସ୍ୱାଇନ୍ ଫ୍ଲୁ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲ, ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପ୍ରାୟ ସବୁଦିନ ରକ୍ତ ନମୂନା ପରୀକ୍ଷା କରାଯାଉଥିବା ବେଳେ ପଜିଟିଭ୍ ରହୁଛି । ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଓ ଡେଙ୍ଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

ସ୍ୱାଇନ୍ ଫ୍ଲୁ ହେଉଛି ଏକ ସଂକ୍ରାମକ ରୋଗ । ସ୍ୱାଇନ୍ ଫ୍ଲୁ ବା ଏଚୱାନ୍ଏନୱାନ୍ ଇନଫ୍ଲୁଏଂଜା ମହାମାରୀର ରୂପ ନେଇସାରିଛି । ୪ ଟି ଭାଇରସ୍ ର ସଂଯୋଜନ କାରଣରୁ ଏହି ଇନଫ୍ଲୁଏଂଜା ସୃଷ୍ଟି ହୋଇଥାଏ । ଏହି ରୋଗ ଦ୍ରୁତ ଗତିରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ । ପ୍ରଥମରୁ ଏହି ରୋଗର ଲକ୍ଷଣ ସାମାନ୍ୟ ହୋଇଥାଏ । କିନ୍ତୁ ଠିକ୍ ସମୟରେ ଚିକିତ୍ସା ନକଲେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ । ଆରମ୍ଭରେ ଜ୍ୱର, କାଶ, ମୁଣ୍ଡବ୍ୟଥା, ଥକାପଣ, ମାଂସପେଶୀ ଓ ଗଣ୍ଠି ବ୍ୟଥା, ଗଳା ଦରଜ ଇତ୍ୟାଦି ଲକ୍ଷଣ ଦେଖା ଦେଇଥାଏ । ଏପରି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଖାନା ଯାଇ ପରୀକ୍ଷା କରାଇନେବା ଉଚିତ୍ ।

ଯଦି ରିପୋର୍ଟ ପଜିଟିଭ୍ ଆସେ ତେବେ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଏହି ଫ୍ଲୁର ଆଂଟି ଭାୟରାଲ ଡ୍ରଗ୍ ଟ୍ୟାମି ଫ୍ଲୁ ଦ୍ୱାରା ଏହାର ଚିକିତ୍ସା ସମ୍ଭବ । କାଶ କିମ୍ବା ଛିଂକ ସମୟରେ ମୁହଁରେ ରୁମାଲ କିମ୍ବା ସଫା କପଡା ଦେବା ଉଚିତ । ସବୁଠୁ ବଡ କଥା ହେଲା ଏହି ରୋଗର ଲକ୍ଷଣକୁ ଅଣଦେଖା ନକରି ତୁରନ୍ତ ଏହାର ଚିକିତ୍ସା କରିବା ଉଚିତ୍ । କାରଣ ସଠିକ୍ ସମୟରେ ଚିକିତ୍ସା ହେଲେ ଏହି ରୋଗରୁ ଆରୋଗ୍ୟ ହେବା ସମ୍ଭବ । ସମସ୍ତଙ୍କୁ ପ୍ରତିଷେଧକ ଟୀକା ଦେବାର ଆବଶ୍ୟକତା ନାହିଁ । ଶିଶୁ ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟୀକା ଦେବାର ଆବଶ୍ୟକତା ରହିଛି । ଶ୍ୱାସ, ଡାଇବେଟିସ, ହୃଦରୋଗୀ ପ୍ରତିଷେଧକ ଟୀକା ନେବା ନିହାତି ଆବଶ୍ୟକ । ଡାକ୍ତରଙ୍କ ସହ ପରାମର୍ଶ କରି ବଜାରରୁ ପ୍ରତିଷେଧକ ଟୀକା ନିଆଯାଇପାରେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।