ବଢ଼ୁଛି ସ୍ୱାଇନ୍ ଫ୍ଲୁ ସଙ୍କଟ ! ପୁଣି ୧୫ ନୂଆ ରୋଗୀ ଚିହ୍ନଟ

23

କନକ ବ୍ୟୁରୋ : ବଢ଼ୁଛି ସ୍ୱାଇନ ଫ୍ଲୁ ସଙ୍କଟ । ମଙ୍ଗଳବାର ୩୦ଟି ରକ୍ତନମୁନା ଯାଂଚରୁ ପୁଣି ୧୫ଟି ପଜିଟିଭ୍ ବୋଲି ଜଣାପଡିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ପରୀକ୍ଷଣ ହୋଇଥିବା ୪୬୦ଟି ସାମ୍ପୁଲ ମଧ୍ୟରୁ ୧୫୫ଟି ଏଚ୍ୱାନଏନୱାନ୍ ପଜିଟିଭ୍ ବାହାରିଛି । ଏହା ସହିତ ଏପର୍ଯ୍ୟନ୍ତ ଏହି ରୋଗରେ ଚଳିତ ବର୍ଷ ୯ଜଣଙ୍କ ପ୍ରାଣ ଯାଇ ସାରିଲାଣି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଲାଗି ରହିଛି ।

ସ୍ୱାଇନଫ୍ଲୁର ସ୍ଥିତି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ପ୍ରତାପ କହିଛନ୍ତି ସରକାରୀ ଡାକ୍ତରଖାନାରେ ମେଡିସିନ୍ ପ୍ରଚୁର ମହଜୁଦ ରହିଛି । ଘରୋଇ ହସ୍ପିଟାଲରେ ମାଗଣା ଔଷଧ ଟୀକା ଦିଆଯାଉଛି । ସାଧାରଣ ଲୋକଙ୍କୁ ଆଗୁଆ ପ୍ରତିଷେଧକ ଟୀକା ଦିଆଯାଉନି । ସମସ୍ତେ ପ୍ରତିଷେଧକ ନେବାର ଆବଶ୍ୟକତା ନାହିଁ । ଡାକ୍ତରଙ୍କ ପରାମର୍ଶରେ ଟୀକା ନେବାକୁ କହିଛନ୍ତି ପ୍ରତାପ ।

ସୂଚନାଯୋଗ୍ୟ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିଚାଲିଛି । ରୋଗୀଙ୍କ ମୃତ୍ୟୁ ମଧ୍ୟ ହେଉଛି । ରାଜ୍ୟରେ ସ୍ୱାଇନ୍‌ ଫ୍ଲୁକୁ ନେଇ ସତର୍କ ଘଣ୍ଟି ବାଜିଲାଣି । ବେକାବୁ ସ୍ୱାଇନ୍‌ ଫ୍ଲ’ ଧୀରେ ଧୀରେ ଘାତକ ସାବ୍ୟସ୍ତ ହେଉଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାଇନ୍‌ ଫ୍ଲୁ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା କଥା କୁହାଯାଉଥିଲେ ହେଁ, ତାହା ସ୍ୱାଇନ୍‌ ଫ୍ଲୁକୁ ରୋକିବାରେ ସଫଳ ହୋଇପାରି ନାହିଁ । ବରଂ ପ୍ରତ୍ୟେକ ଦିନ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଗକୁ ଶୀତ ଦିନ ଆସୁଥିବା ବେଳେ ସ୍ୱାଇନ୍‌ ଫ୍ଲୁର ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି ।