ଘାତକ ହେଉଛି ସ୍ୱାଇନ୍ ଫ୍ଲୁ ! ଏଚୱାନ୍ ଏନୱାନ୍ ଭୂତାଣୁ ନେଲା ଆଉ ଦୁଇଟି ଜୀବନ

20

କନକ ବ୍ୟୁରୋ : ରାଜ୍ୟରେ ସ୍ୱାଇନ୍‌ ଫ୍ଲୁକୁ ନେଇ ସତର୍କ ଘଣ୍ଟି ବାଜିଲାଣି । ବେକାବୁ ସ୍ୱାଇନ୍‌ ଫ୍ଲ’ ଧୀରେ ଧୀରେ ଘାତକ ସାବ୍ୟସ୍ତ ହେଲାଣି । ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ଆଉ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଜଣେ କଟକରେ ଏବଂ ଆଉ ଜଣେ ରାଜଧାନୀରେ ପ୍ରାଣ ହରାଇଛନ୍ତି । ମୃତକ ଦୁଇ ଜଣ ହେଉଛନ୍ତି ମହିଳା । ଏହାକୁ ମିଶାଇ ଚଳିତବର୍ଷ ସ୍ୱାଇନ୍‌ ଫ୍ଲୁରେ ଏ ପର୍ୟ୍ୟନ୍ତ ଏଥିରେ ୩ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାଇନ୍‌ ଫ୍ଲୁ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା କଥା କୁହାଯାଉଥିଲେ ହେଁ, ତାହା ସ୍ୱାଇନ୍‌ ଫ୍ଲୁକୁ ରୋକିବାରେ ସଫଳ ହୋଇପାରି ନାହିଁ । ବରଂ ପ୍ରତ୍ୟେକ ଦିନ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ଗୋଟିଏ ଦିନରେ ୧୩ଜଣ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଚଳିତବର୍ଷ ୫୯ଜଣ ଏଥିରେ ଆକ୍ରାନ୍ତ ହୋଇସାରିଲେଣି । ଆଗକୁ ଶୀତ ଦିନ ଆସୁଥିବା ବେଳେ ସ୍ୱାଇନ୍‌ ଫ୍ଲୁର ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି ।

ସେହିପରି ଗୋଟିଏ ଦିନରେ ୧୩ଜଣ ସ୍ୱାଇନ୍‌ ଫ୍ଲୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ୨୪ଟି ନମୁନା ଆରଏମ୍‌ଆରସିକୁ ପରୀକ୍ଷା ପାଇଁ ପଠାଯାଇଥିଲା । ତହିଁରୁ ୧୩ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୩୦ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରୁ ୫୯ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ଭୁବନେଶ୍ୱର, ବାଲେଶ୍ୱର ଓ ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ୩୮ଜଣ ଆକ୍ରାନ୍ତ ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅପରପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାଇନ୍‌ ଫ୍ଲୁ ପାଇଁ ରାଜ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି । ଆକ୍ରାନ୍ତଙ୍କ ସ୍ୱାବ୍‌ ପରୀକ୍ଷା ଓ ଚିକିତ୍ସା ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣାରେ କରାଯିବା ସହିତ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ନିକଟତମ ଲୋକମାନଙ୍କୁ ମାଗଣାରେ ଔଷଧ ଖାଇବାକୁ ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ମେଡିକାଲ କଲେଜ ଓ ହସ୍ପିଟାଲ ସମେତ କ୍ୟାପିଟାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ ମହଜୁଦ ରଖାଯାଇଛି । ନିୟମିତଭାବେ ସ୍ୱାଇନ୍‌ ଫ୍ଲୁର ସମୀକ୍ଷା କରାଯିବା ସହିତ ଗଣମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରାଯାଉଛି । ଏହି ସମୟରେ କ’ଣ କରିବା ଓ କ’ଣ ନ କରିବାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଜନସାଧାରଙ୍କ ପାଇଁ ସୂଚନା ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଚଳିତବର୍ଷ ଦେଶରେ ପ୍ରାୟ ୧୫ହଜାର ୧୨୧ଜଣ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ବେଳେ ୭୩୪ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୩୪୫୦ଜଣ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ବେଳେ ୩୫୮ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ତାମିଲନାଡ଼ୁରେ ୨୯୩୫ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏଥିରେ ୧୫ଜଣଙ୍କ ମୃତ୍ୟୁ, ଗୁଜୁରାଟରେ ୫୪୯ଜଣଙ୍କ ମଧ୍ୟରୁ ୧୦୭, କେରଳରେ ୧୨୫୮ମଧ୍ୟରୁ ୭୦, ରାଜସ୍ଥାନରେ ୪୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୫୯, କର୍ଣ୍ଣାଟକରେ ୨୭୩୨ମଧ୍ୟରୁ ୧୫ ଓ ତେଲେଙ୍ଗାନାରେ ୧୪୭୪ଙ୍କ ମଧ୍ୟରୁ ୧୭ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।