ସ୍ୱାଇନ ଫ୍ଲୁ ନେଲା ଆଉ ୨ଟି ଜୀବନ! ରାଜ୍ୟରେ ସ୍ୱାଇନ୍ ଫ୍ଲୁ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

60

କନକ ବ୍ୟୁରୋ : ସ୍ୱାଇନ ଫ୍ଲୁ ନେଲା ଆଉ ୨ଟି ଜୀବନ । ରାଜ୍ୟରେ ସ୍ୱାଇନ୍ ଫ୍ଲୁ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ହୋଇଛି । ମୋଟ ୭୫୦ଟି ସାମ୍ପଲ ପରୀକ୍ଷଣରୁ ୨୫୯ଜଣ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ପରୀକ୍ଷା ହୋଇଥିବା ସମୁଦାୟ ୪୩ଟି ନମୂନାରୁ ୧୨ଟି ପଜେଟିଭ୍ ଥିବା ଜଣାପଡିଛି । ଯଥାକ୍ରମେ ଏସିବି ରେ ୫ଜଣ ରୋଗୀ, କର କ୍ଲିନିକରେ ୨ଜଣ, ଭିମସାରରେ୨ଜଣ, କଳିଙ୍ଗ ହସ୍ପିଟାଲରେ ଜଣେ, ସମ୍ ହସ୍ପିଟାଲରେ ଜଣେ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ,ଆଜି ୨ଜଣଙ୍କର ମୃତ୍ୟୁ ହୋଇଛି । ସମ ହସ୍ପିଟାଲରୁ ଜଣେ ୫୬ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ,ଅନ୍ୟ ଜଣେ ୫୫ବର୍ଷିୟ ପୁରୁଷ ରୋଗୀଙ୍କର ମୃତ୍ୟୁ ହୋଇଛି । ଏହି ରୋଗୀ ଜଣକ କଟକର ଶାନ୍ତି ହସ୍ପିଟାଲରେ ଭର୍ତ୍ତି ହେଉଥିଲେ । ହସ୍ପିଟାଲରୁ ଚାଲିଯାଇ ଘରେ ଥିବା ବେଳେ ମୃତ୍ୟୁ ଘଟିଥିଲା । ଏହି ୨ଜଣଙ୍କୁ ମିଶାଇ ଆଜି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୩ରେ ପହଁଚିଛି ।

ସ୍ୱାଇନ୍ ଫ୍ଲୁ ହେଉଛି ଏକ ସଂକ୍ରାମକ ରୋଗ । ସ୍ୱାଇନ୍ ଫ୍ଲୁ ବା ଏଚୱାନ୍ଏନୱାନ୍ ଇନଫ୍ଲୁଏଂଜା ମହାମାରୀର ରୂପ ନେଇସାରିଛି । ୪ ଟି ଭାଇରସ୍ ର ସଂଯୋଜନ କାରଣରୁ ଏହି ଇନଫ୍ଲୁଏଂଜା ସୃଷ୍ଟି ହୋଇଥାଏ । ଏହି ରୋଗ ଦ୍ରୁତ ଗତିରେ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ । ପ୍ରଥମରୁ ଏହି ରୋଗର ଲକ୍ଷଣ ସାମାନ୍ୟ ହୋଇଥାଏ । କିନ୍ତୁ ଠିକ୍ ସମୟରେ ଚିକିତ୍ସା ନକଲେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ । ଆରମ୍ଭରେ ଜ୍ୱର, କାଶ, ମୁଣ୍ଡବ୍ୟଥା, ଥକାପଣ, ମାଂସପେଶୀ ଓ ଗଣ୍ଠି ବ୍ୟଥା, ଗଳା ଦରଜ ଇତ୍ୟାଦି ଲକ୍ଷଣ ଦେଖା ଦେଇଥାଏ । ଏପରି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଖାନା ଯାଇ ପରୀକ୍ଷା କରାଇନେବା ଉଚିତ୍ ।