ସ୍ୱାଇନ୍‌ ଫ୍ଲୁ ନେଲା ଆଉ ୨ଜୀବନ ! ୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

24

କନକ ବ୍ୟୁରୋ : କାୟା ମେଲାଉଛି ସ୍ୱାଇନ୍‌ ଫ୍ଲୁ । ଆଜି ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି । ପୂର୍ବରୁ ସ୍ୱାଇନ୍‌ ଫ୍ଲୁରେ ଭୁବନେଶ୍ୱରରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଆଜି ୨୪ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୩ଜଣଙ୍କର ପଜିଟିଭ ମିଳିଥିଲା । ସେହିଭଳି ଏପର୍ଯ୍ୟନ୍ତ ରାଜ୍ୟରେ ୨୩୦ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଛି। ସେଥିରୁ ୫୯ ଜଣଙ୍କର ପଜିଟିଭ୍‌ ମିଳିଛି ।

୨୦୦୯ ମସିହାରେ ଭାରତରେ ପ୍ରଥମ ଥର ପାଇଁ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୦୩୫ ଜଣଙ୍କ ଜୀବନ ଯାଇଥିଲା । ୨୦୦୯ ଓ ୨୦୧୦ରେ ଓଡିଶାରେ ମଧ୍ୟ ସ୍ୱାଇନ୍ ଫ୍ଲୁରେ ବହୁ ରୋଗୀ ମୃତ୍ୟୁ ବରଣ କରିଥିଲେ । ତେଣୁ ଚଳିତ ବର୍ଷ ସ୍ୱାଇନ୍ ଫ୍ଲୁର ପ୍ରଥମ ଖବର ଆସିବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର ।

ଏବେ ନଜର ପକାନ୍ତୁ କେମିତି ସ୍ୱାଇନ ଫ୍ଲୁକୁ ଚିହ୍ନଟ କରିହେବ । ଏନେଇ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟଣ ରହିଛି ।

• ଜ୍ୱର,କାଶ ଓ ଛିଙ୍କ ଲାଗି ରହିବା
• ନାକ ଜାମ୍ ହେବା
• ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା
• ମୁଣ୍ଡବିନ୍ଧା ଓ ଶରୀର ବିନ୍ଧା
• ସ୍ଥଳ ବିଶେଷରେ ବାନ୍ତି ଓ ରକ୍ତ ବାନ୍ତି ହେବା

୨୦୦୯ ମସିହା ଅପେକ୍ଷା ସ୍ଥିତି ବଦଳିଛି । ଏଣୁ ସ୍ୱାଇନ ଫ୍ଲୁ କୁ ଏଚ୍ ୧ ଏନ୍ ୧ ଭୂତାଣୁ ବଦଳରେ ସିଜନାଲ ଇନଫ୍ଲୁଏଞ୍ଜା କୁହାଯାଉଛି । ଏହା ସହ ଜିଲ୍ଲା ସ୍ତରରୁ ସ୍ୱାଇନ ଫ୍ଲୁ ଚିହ୍ନଟ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଶିଶୁ,ବୃଦ୍ଧ ଓ ଗର୍ଭବତୀଙ୍କୁ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ପ୍ରାଥମିକ ସ୍ତରରୁ ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଖାଇଲେ ସ୍ୱାଇନ୍ ଫ୍ଲୁ ରୋଗୀ ଖୁବଶୀଘ୍ର ସୁସ୍ଥ ହୋଇ ପାରିବେ ।