ପୁଣି ଫେରିଲା ସ୍ୱାଇନ୍ ଫ୍ଲୁ ଆତଙ୍କ ! ରାଜ୍ୟରେ ୧୮ ଜଣ ରୋଗୀ ଏଚ୍୧ଏନ୍୧ରେ ଆକ୍ରାନ୍ତ

36

କନକ ବ୍ୟୁରୋ : ଓଡ଼ିଶାକୁ ପୁଣି ଫେରିଲା ସ୍ୱାଇନ୍ ଫ୍ଲୁ ଆତଙ୍କ । ରାଜ୍ୟରେ ୧୮ ଜଣ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ୫ ଜଣ ରୋଗୀ ଚିହ୍ନଟ ହେବା ପରେ ଆଜି ୧୦ଟି ନମୂନାର ପରୀକ୍ଷାରୁ ୫ଟି ପଜିଟିଭ୍ ବାହାରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୮ ଜଣ ରୋଗୀଙ୍କ ରକ୍ତ ନମୂନା ଯାଂଚ୍ କରାଯାଇଛି । ସେଥିରୁ ୧୮ ଜଣ ରୋଗୀ ସ୍ୱାଇନ୍ ଫ୍ଲୁ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି ।

ଗତକାଲି ଚିହ୍ନଟ ହୋଇଥିବା ୫ ଜଣ ସ୍ୱାଇନ୍ ଫ୍ଲୁ ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏନେଇ ସତର୍କତା ଜାରି କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ମେଡ଼ିକାଲରେ ସ୍ୱାଇନ୍ ଫ୍ଲୁ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

୨୦୦୯ ମସିହାରେ ଭାରତରେ ପ୍ରଥମ ଥର ପାଇଁ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୦୩୫ ଜଣଙ୍କ ଜୀବନ ଯାଇଥିଲା । ୨୦୦୯ ଓ ୨୦୧୦ରେ ଓଡିଶାରେ ମଧ୍ୟ ସ୍ୱାଇନ୍ ଫ୍ଲୁରେ ବହୁ ରୋଗୀ ମୃତ୍ୟୁ ବରଣ କରିଥିଲେ । ତେଣୁ ଚଳିତ ବର୍ଷ ସ୍ୱାଇନ୍ ଫ୍ଲୁର ପ୍ରଥମ ଖବର ଆସିବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର ।

ଏବେ ନଜର ପକାନ୍ତୁ କେମିତି ସ୍ୱାଇନ ଫ୍ଲୁକୁ ଚିହ୍ନଟ କରିହେବ । ଏନେଇ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟଣ ରହିଛି ।

• ଜ୍ୱର,କାଶ ଓ ଛିଙ୍କ ଲାଗି ରହିବା
• ନାକ ଜାମ୍ ହେବା
• ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା
• ମୁଣ୍ଡବିନ୍ଧା ଓ ଶରୀର ବିନ୍ଧା
• ସ୍ଥଳ ବିଶେଷରେ ବାନ୍ତି ଓ ରକ୍ତ ବାନ୍ତି ହେବା

୨୦୦୯ ମସିହା ଅପେକ୍ଷା ସ୍ଥିତି ବଦଳିଛି । ଏଣୁ ସ୍ୱାଇନ ଫ୍ଲୁ କୁ ଏଚ୍ ୧ ଏନ୍ ୧ ଭୂତାଣୁ ବଦଳରେ ସିଜନାଲ ଇନଫ୍ଲୁଏଞ୍ଜା କୁହାଯାଉଛି । ଏହା ସହ ଜିଲ୍ଲା ସ୍ତରରୁ ସ୍ୱାଇନ ଫ୍ଲୁ ଚିହ୍ନଟ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଶିଶୁ,ବୃଦ୍ଧ ଓ ଗର୍ଭବତୀଙ୍କୁ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ପ୍ରାଥମିକ ସ୍ତରରୁ ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଖାଇଲେ ସ୍ୱାଇନ୍ ଫ୍ଲୁ ରୋଗୀ ଖୁବଶୀଘ୍ର ସୁସ୍ଥ ହୋଇ ପାରିବେ ।