ସ୍ୱାଇନ୍ ଫ୍ଲୁରେ ପୁଣି ୨ ମୃତ ! ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି

27

କନକ ବ୍ୟୁରୋ: ରାଜ୍ୟରେ ସୋମବାର ପୁଣି ୨ଜଣ ସ୍ୱାଇନ୍ ଫ୍ଲୁରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡ଼ା ଓ ଅନ୍ୟଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ମିଳିଛି । ଦୁହେଁ ରାଜଧାନୀର ଦୁଇଟି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ଚଳିତବର୍ଷ ସ୍ୱାଇନ୍ ଫ୍ଲୁ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି ।

ତେବେ ଗତ କିଛି ଧରି ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟାରେ ସମାନ୍ୟ କମିବାରେ ଲାଗିଥିବା ଜଣାପଡ଼ିଛି । ଶନିବାର ୪, ଗତକାଲି ୧ ଓ ସୋମବାର ୪ଜଣ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଚଳିତବର୍ଷ ଆକ୍ରାନ୍ତ ସଂଖ୍ୟା ୩୫୦ରେ ପହଞ୍ଚିଛି । ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଭୀମ୍ସାରରେ, ଅନ୍ୟ ୩ଜଣ ରାଜଧାନୀର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨ଜଣ ରହିଥିବା ବେଳେ ବଲାଙ୍ଗୀର ଓ ସୁନ୍ଦରଗଡ଼ର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଚଳିତବର୍ଷ ଏ ପର୍ଯ୍ୟନ୍ତ ୧୦୫୯ଟି ସ୍ୱାବ୍ ନମୁନା ପରୀକ୍ଷା ହୋଇଛି ।

ଅନ୍ୟପଟେ ରାଜ୍ୟରେ ସ୍ୱାଇନ୍ ଫ୍ଲୁ ସହିତ ତାଳ ଦେଇ ବଢ଼ି ଚାଲିଛି ଡେଙ୍ଗୁ । ରାଜ୍ୟରେ ଚଳିତ ବର୍ଷ ୭୩୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୩ଜଣ ଏଥିରେ ପ୍ରାଣ ହରାଇଛନ୍ତି । ଭଦ୍ରକରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଭଦ୍ରକରେ ୧୩୪, କଟକ ଓ ବାଲେଶ୍ୱର ୧୨୯, ଯାଜପୁର ୬୯, ଖୋର୍ଦ୍ଧା ୩୯, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ୩୪ ଲେଖାଏଁ, ଗଞ୍ଜାମରେ ୨୭, କେନ୍ଦୁଝର ୨୩, ଢେଙ୍କାନାଳ ୧୫, ବରଗଡ଼ରେ ୧୩, ବଲାଙ୍ଗୀର ଓ ମୟୂରଭଞ୍ଜରେ ୮ଲେଖାଏଁ, ସୋନପୁର, ଅନୁଗଳ, ଓ କଳାହାଣ୍ଡିରେ ୫ଲେଖାଏଁ, ରାୟଗଡ଼ାରେ ୪, ସୁନ୍ଦରଗଡ଼ ଓ ଦେବଗଡ଼ରେ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟ ବାହାରର ୧୩ଜଣ ଡେଙ୍ଗୁ ରୋଗୀଙ୍କୁ ଓଡ଼ିଶାରେ ଚିହ୍ନଟ କରାଯାଇଛି। ଅପରପକ୍ଷେ ମାଲକାନଗିରି, ଝାରସୁଗୁଡ଼ା, ଗଜପତି ଓ କୋରାପୁଟରେ ଏ ପର୍ଯ୍ୟନ୍ତ କୌଣସି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି । ଚଳିତବର୍ଷ ୭୦ପ୍ରତିଶତ ରୋଗୀ ରାଜ୍ୟ ବାହାରେ ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଡେଙ୍ଗୁର ନିୟନ୍ତ୍ରଣ ପାଇଁ ୨ଟି ଫଗିଂ ମେସିନକୁ ଟାଙ୍ଗୀ ବ୍ଲକର ଭରତପୁର ଅଞ୍ଚଳରେ ନିୟୋଜିତ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।