ସାଂଘାତିକ ହେଉଛି ସ୍ୱାଇନ୍ ଫ୍ଲୁ ! ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ

29

କନକ ବ୍ୟୁରୋ: ଏସସିବିରେ ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ୧୦ରେ ପହଂଚିଛି । ଚିକିତ୍ସା ସତ୍ୱେ ମୃତ୍ୟୁ ସଂଖ୍ୟା ବଢିଚାଲିବା ଏସସିବି କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି । ଗତକାଲି କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣ ଜଗତସିଂହପୁରର ବୋଲି ଜଣାପଡିଛି । ଏହାସହ ରାଜ୍ୟରେ ସ୍ୱାଇନ ଫ୍ଲୁ ମୃତକଙ୍କ ସଂଖ୍ୟା ୩୨ରେ ପହଂଚିଛି ।

ତେବେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ମୋଟ ସ୍ୱାଇନ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ୩୨୯ରହିଛି । ଯାହା ୨୦୧୦ର ସର୍ବାଧିକ ୯୯ଜଣ ଆକ୍ରାନ୍ତଙ୍କ ସଂଖ୍ୟାକୁ ପାର କରିଛି । ବର୍ଷା ଲାଗିରହିଥିବା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତକାଲି ୩୮ଟି ସ୍ୱାବ୍ ନମୁନା ପରୀକ୍ଷା ପାଇଁ ଆରଏମଆରସିକୁ ପଠାଯାଇଥିଲା । ଏଥିରେ ୧୨ଟି ନମୁନା ପଜିଟିଭ୍ ରହିଛି । ଏହାକୁ ମିଶାଇ ରାଜ୍ୟରେ ଚଳିତବର୍ଷ ୩୨୯ଜଣ ଚିହ୍ନଟ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୬ଜଣ ଥିବା ବେଳେ କଟକ, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ସୋନପୁରର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଏଥିରୁ ଏସସିବିରେ ଜଣେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଆକ୍ରାନ୍ତଙ୍କ ମଧ୍ୟରେ ୯ଜଣ ପୁରୁଷ ଓ ୩ଜଣ ମହିଳା ରହିଥିବା ବେଳେ ଏଥିରେ ୫ବର୍ଷର ଶିଶୁ ରହିଛି । ପୁରୁଷଙ୍କ ବୟସ ୩୬, ୩୭, ୫୫, ୫୬, ୬୧, ୬୭, ୬୮ ଓ ୭୫ ଥିବା ବେଳେ ମହିଳାଙ୍କ ବୟସ ୪୫, ୫୭ ଓ ୬୯ବର୍ଷ ବୋଲି ଜଣାପଡ଼ିଛି । ଚଳିତବର୍ଷ ଏ ପର୍ଯ୍ୟନ୍ତ ୯୭୮ଟି ସ୍ୱାବ୍ ନମୁନା ପରୀକ୍ଷା ହୋଇଛି ।

ସେହିପରି ମଙ୍ଗଳବାର ୨୯ଟି ନମୁନା ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଥିଲା । ଏଥିରୁ ୧୪ଟି ନମୁନା ପଜଟିଭ୍ ରହିଛି । ଏଥିରେ ୯ଜଣ ପୁରୁଷ ରହିଥିବା ବେଳେ ୫ଜଣ ମହିଳା ରହିଛନ୍ତି । ଜଣେ ଶିଶୁ ରହିଛନ୍ତି । ଏଥିରେ ଖୋର୍ଦ୍ଧା ଓ କଟକ ଜିଲ୍ଲାର ସର୍ବାଧିକ ୩ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।
ଏହାସହ ବଲାଙ୍ଗୀର ଜିଲ୍ଲା ୨, ଅନୁଗୁଳ, ଜଗତସିଂହପୁର, ଗଞ୍ଜାମ, ସୋନପୁର, ବରଗଡ଼ ଓ କନ୍ଧାମାଳ ଜିଲ୍ଲାର ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଏସସିବି ଓ ଭିମସାରରେ ୩ଜଣ ଲେଖାଏଁ, ଏମ୍ସ, ଏମକେସିଜି ଓ ଭୁବନେଶ୍ୱରର ରେଳବାଇ ହସ୍ପିଟାଲରେ ଜଣେ ଲେଖାଏଁ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଚଳିତବର୍ଷ ଏପର୍ୟ୍ୟନ୍ତ ମୋଟ ୯୧୦ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରେ ୩୧୧ଜଣ ଆକ୍ରାନ୍ତ ରହିଥିଲା ।

ଅନ୍ୟପଟେ ରାଜ୍ୟରେ ସ୍ୱାଇନ୍-ଫ୍ଲୁର ଆତଙ୍କକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି । ଏନେଇ କ୍ୟାପିଟାଲ ହସ୍ପିଟାଲର ସ୍ୱାଇନ୍ ଫ୍ଲୁ ଓ୍ଵାର୍ଡରେ ଥିବା ଆଇସୋଲେସନ୍ ଆଇସିୟୁରେ ଭେଣ୍ଟିଲେଟରର ବ୍ୟବସ୍ଥା କରାଯାଇଛି । ଏହାସହ ୪ଟି ମନିଟରର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆବଶ୍ୟକ ପରିମାଣର ଔଷଧ ଓ ମାସ୍କ ମଧ୍ୟ ଯୋଗାଇ ଦିଆଯାଇଛି ।