କାଶ୍ମୀରରେ ଆତଙ୍କବାଦୀଙ୍କୁ ଆଉ ମିଳିବନି ତ୍ରାହି ! ଏଣିକି ଖୋଜି ଖୋଜି ଏନକାଉଣ୍ଟର କରିବେ ଓଡ଼ିଆ ଆଇପିଏସ ଅଧିକାରୀ ସ୍ୱୟଂପ୍ରକାଶ ପାଣି

59

କନକ ବ୍ୟୁରୋ : ଆତଙ୍କବାଦୀଙ୍କୁ ସାବାଡ କରିବେ ଓଡ଼ିଆ ପୁଅ । ଖୋଜି ଖୋଜି ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିବେ ଓଡିଆ ଆଇପିଏସ ଅଧିକାରୀ ସ୍ୱୟଂପ୍ରକାଶ ପାଣି । ଜମ୍ମୁ-କଶ୍ମୀର ସରକାର ଆଇପିଏସ୍ ଅଧିକାରୀ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। କଶ୍ମୀର ରେଞ୍ଜର ଆଇଜି ଦାୟିତ୍ୱରେ ଥିବା ମୁନୀର ଖାନଙ୍କୁ ହଟାଇ ତାଙ୍କ ସ୍ଥାନରେ ଓଡ଼ିଆ ଆଇପିଏସ୍ ଅଧିକାରୀ ସ୍ୱୟଂ ପ୍ରକାଶ ପାଣିଙ୍କୁ ନିଯୁକ୍ତ କରାଯାଇଛି। ସ୍ୱୟଂ ପ୍ରକାଶ ଏବେ ଦକ୍ଷିଣ କଶ୍ମୀରର ଡିଆଇଜି ଅଛନ୍ତି। କଶ୍ମୀରର ଏଭଳି ଅତି ଗୁରୁତ୍ୱପୂର୍ଣ୍ଣ ପଦବି ହାସଲ କରିବାରେ ୪୧ ବର୍ଷୀୟ ସ୍ୱୟଂପ୍ରକାଶ ହେଉଛନ୍ତି କନିଷ୍ଠତମ ଅଧିକାରୀ। ୨୦୦୦ ମସିହା ଜମ୍ମୁ-କଶ୍ମୀର କ୍ୟାଡରର ଆପିଏସ୍ ଅଧିକାରୀ ସ୍ୱୟଂପ୍ରକାଶଙ୍କ ଏହି ନୂତନ ନିଯୁକ୍ତି ସମ୍ପର୍କରେ ଆଜି ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ କମିଟି ମୋହର ମାରିଛି।

ତିନି ଦିନ ତଳେ ହସପିଟାଲ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ରାଜ୍ୟ ସରକାର ଏହି ଅଦଳବଦଳ କରିଛନ୍ତି। ପୂର୍ବରୁ ଜାତୀୟ ତଦନ୍ତକାରୀ ସଂସ୍ଥାଏବଂ ଗୁଇନ୍ଦା ବିଭାଗରେ ଅଭିଜ୍ଞ ଅନୁଭୂତି ସାଉଁଟିଥିବା ସ୍ୱୟଂପ୍ରକାଶଙ୍କ ଦକ୍ଷତାରେ କ୍ୟାବିନେଟ୍ କମିଟି ବିଶେଷ ଭାବରେ ମୁଗ୍ଧ ବୋଲି କହିଛନ୍ତି। ସ୍ୱୟଂ ପ୍ରକାଶ ଦକ୍ଷିଣ କାଶ୍ମୀରର ଡିଆଇଜି ଥିବା ବେଳେ ଆତଙ୍କବାଦୀଙ୍କ ବିରୋଧରେ ସଂଖ୍ୟାଧିକ ଏନକାଉଣ୍ଟର ଚଳାଇଥିଲେ। ଏଥିରେ ବହୁସଂଖ୍ୟକ ଆତଙ୍କବାଦୀ କମାଣ୍ଡରଙ୍କୁ ନିପାତ କରାଯାଇଥିଲା।

ସ୍ୱୟଂଙ୍କର ସମସ୍ତ ଏନକାଉଣ୍ଟର ଯୋଜନାବଦ୍ଧ ହେବା ସହ ପ୍ରାୟ ସଫଳ ହେଉଥିଲା। ସ୍ୱୟଂଙ୍କର ଏଭଳି ଦକ୍ଷତାକୁ ସ୍ୱୀକୃତି ଜଣାଇ ରାଜ୍ୟ ସରକାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ରାଜ୍ୟର ଆଉ ଜଣେ ଓଡ଼ିଆ ଆଇପିଏସ୍ ଅଧିକାରୀ ବସନ୍ତ କୁମାର ରଥଙ୍କୁ ଆଇଜି ରୂପେ ନିଯୁକ୍ତ କରାଯାଇଛି।