ସ୍ୱସ୍ତି ଚିଲିକା ରିସୋର୍ଟ ଉଦ୍‌ଘାଟିତ

73

କନକ ବ୍ୟୁରୋ : ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ବହୁତ ସମୃଦ୍ଧ । ବେଳାଭୂମିଠାରୁ ଆରମ୍ଭ କରି ଜଳପ୍ରପାତ, ମନ୍ଦିରରୁ ଅଭୟାରଣ୍ୟ, ଉଷ୍ମ ପ୍ରସବଣଠାରୁ ହ୍ରଦ ପର୍ଯ୍ୟନ୍ତ ବହୁ ଦର୍ଶନୀୟ ସ୍ଥାନ ରହିଛି । ରାଜ୍ୟ ସରକାର ମଧ୍ୟ ଏହାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି । ଅଧିକ ପର୍ଯ୍ୟଟକ କିପରି ରାଜ୍ୟକୁ ଆସିବେ ସେଥିପାଇଁ ନୀଳ ନକ୍ସା ମଧ୍ୟ ପ୍ରସ୍ତୁତ ହେଉଛି । ଆନ୍ତର୍ଜାତିକ ପର୍ଯ୍ୟଟକ କିପରି ଓଡ଼ିଶାକୁ ସିଧାସଳଖ ଆସିପାରିବେ ସେ ନେଇ ରାଜ୍ୟ ସରକାର ଅଧିକ ନଜର ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ନିକଟ ଅତୀତରେ ମାଲେସିଆରୁ ଭୁବନେଶ୍ୱରକୁ ସିଧାସଳଖ ବିମାନସେବା ବି ଆରମ୍ଭ ହୋଇଛି । ଚିଲିକା କୂଳରେ ଗଢ଼ି ଉଠିଥିବା ଅତ୍ୟାଧୁନିକ ‘ସ୍ୱସ୍ତି ଚିଲିକା ରିସୋର୍ଟ’ର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଶ୍ରୀ ପଟ୍ଟନାୟକ ପୁଣି କହିଲେ, ଚିଲିକା ଏସିଆ ମହାଦେଶର ଅନ୍ୟତମ ଆକର୍ଷଣ। ଶୀତ ଋତୁରେ ଏଠାକୁ ବହୁ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଥା’ନ୍ତି। ସେମାନଙ୍କୁ ଦେଖିବାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ିଯାଏ। ‘ସ୍ୱସ୍ତି ଚିଲିକା ରିସୋର୍ଟ’ ଭଳି ଅତ୍ୟାଧୁନିକ ରିସୋର୍ଟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ଆରାମଦାୟକ ରହଣି ଯୋଗାଇବାରେ ସମର୍ଥ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ।

ଏହାସହ ମୁଖ୍ୟମନ୍ତ୍ରୀ ଚିଲିକା କୂଳରେ ଏକ ବୋଟିଂ ସ୍ଥଳର ମଧ୍ୟ ଉଦ୍‌ଘାଟନ କରିଥିଲେ। ଉତ୍ସବରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ, ବିଧାୟକ ସୁଜ୍ଞାନୀ କୁମାରୀ ଦେଓ, ବିଧାୟକ ପି.ସି. ସେଠୀ ଓ ଗଞ୍ଜାମ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ପର୍ଯ୍ୟଟନ କ୍ଷେତ୍ରରେ ଚିଲିକାର ଭୂମିକା ଓ ଏପରି ରିସୋର୍ଟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସ୍ୱସ୍ତି ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଜେ କେ ମହାନ୍ତି, ଅଧ୍ୟକ୍ଷ ବି କେ ମହାନ୍ତି ଓ ନିର୍ଦ୍ଦେଶକ ଚିରଞ୍ଜୀବ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଖୁବଶୀଘ୍ର କେନ୍ଦ୍ରାପଡ଼ାର ଭିତରକନିକାରେ ସ୍ୱସ୍ତିର ଆଉ ଏକ ହୋଟେଲ୍‌ ଖୋଲିବାକୁ ଶ୍ରୀ ମହାନ୍ତି ଆଶା ରଖିଛନ୍ତି ବୋଲି ଏହି ଅବସରରେ ପ୍ରକାଶ କରିଥିଲେ।

ପ୍ରାୟ ୯ ଏକର ଜମିରେ ପ୍ରାୟ ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ସ୍ୱସ୍ତି ଚିଲିକା ରିସୋର୍ଟ । ଏଥିରେ ୭୮ଟି ରୁମ୍‌ ରହିଛି । ଚାରିଟି ବିଭାଗରେ ରୁମ୍‌ଗୁଡ଼ିକୁ ବିଭକ୍ତ କରାଯାଇଛି । ମିଡ୍‌-ଲେକ୍‌ କାଉଣ୍ଟ୍ରିରେ ୩୬ଟି ଭିଲ୍ଲା, ଓ୍ଵିଣ୍ଡଚାଇମ୍‌ରେ ୩୬ଟି, ମାଇଲ୍‌ ପଣ୍ଡରେ ୫ଟି ଓ ସେଞ୍ଚୁରିରେ ଗୋଟିଏ ରୁମ୍‌ ରହିଛି । ରୁମ୍‌ଗୁଡ଼ିକରୁ ଚିଲିକାର ସୌନ୍ଦର୍ଯ୍ୟ ଯେପରି ସମ୍ପୂର୍ଣ୍ଣ ଭଲ ଭାବେ ଦେଖାଯିବ ସେହି ଅନୁଯାୟୀ ସେଗୁଡ଼ିକର ଡିଜାଇନ୍‌ କରାଯାଇଛି । ଏହାଛଡ଼ା ରିସୋର୍ଟ ମଧ୍ୟରେ ୫ଟି ସୁଇମିଂ ପୁଲ୍‌ ସହ ଗୋଟିଏ କମନ୍‌ ପୁଲ୍‌ ବଡ଼ ଓ ଛୋଟ ପିଲାଙ୍କ ପାଇଁ ରହିଛି। ପୁଣି ଇକାୟା ସ୍ପା ସେଣ୍ଟର, ଏକ୍‌ତାରା ଖୋଲା ଥିଏଟର ଓ ବିବାହ ବା ପାର୍ଟି ପାଇଁ ‘ସାହାନାଇ’ ନାମକ ଲନ୍‌ ବି ରହିଛି। ଓଡ଼ିଶାକୁ ଆସୁଥିବା ସମ୍ଭ୍ରାନ୍ତଶ୍ରେଣୀୟ ପର୍ଯ୍ୟଟକଙ୍କ ପାଇଁ ଏହା ନିଶ୍ଚିତ ଭାବେ ବିଶ୍ୱ ମାନର ଆତିଥେୟତା ଦେଇପାରିବ ବୋଲି ସ୍ୱସ୍ତି ଗ୍ରୁପ୍‌ ପକ୍ଷରୁ ଆଶାପ୍ରକଟ କରାଯାଇଛି ।