ପୁରୀ ସ୍ୱର୍ଗଦ୍ୱାରରେ ହେବ ନବୀକରଣ : ପ୍ରାୟ ୨କୋଟି ଟଙ୍କା ଖର୍ଚ୍ଚରେ ପ୍ରତିଷ୍ଠା ହେବ ଇଲେକ୍ଟ୍ରିକ ଚୁଲା

58

କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ସ୍ୱର୍ଗଦ୍ୱାରରେ ଶବଦାହ କଲେ ସ୍ୱର୍ଗପ୍ରାପ୍ତି ହୁଏ । ଏଭଳି ବିଶ୍ୱାସ ରହିଛି ହିନ୍ଦୁ ଧର୍ମରେ । ସେପଟେ ଶବପୋଡିବା ଯୋଗୁଁ ସୃଷ୍ଟି ହେଉଥିବା ଧୂଆଁ ଓ ପାଉଁଶ ପରିବେଶକୁ ପ୍ରଦୂଷିତ କରୁଛି ଏବଂ ଏଥି ପାଇଁ ଇଲେକ୍ଟ୍ରିକ ଚୁଲ୍ଲା ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ୨୦୧୪ରୁ ନିର୍ମାଣ ହୋଇଥିବା ବିଦ୍ୟୁତ ଚୁଲ୍ଲା ଅଚଳ ହୋଇ ପଡିଛି । ଏପଟେ ଆଇକନିକ ସିଟି ଯୋଜନାରେ ଆଉ କିଛି ଚୁଲ୍ଲା ନିର୍ମାଣ କରିବା ପାଇଁ ଯୋଜନା କରିଛି ପ୍ରଶାସନ । କିନ୍ତୁ ହିନ୍ଦୁ ଧର୍ମର ବିରୋଧ କରୁଥିବା ଦର୍ଶାଇ ଇଲେକଟ୍ରିକ ଶବଦାହ ଚୁଲ୍ଲାକୁ ପ୍ରତିବାଦ କରୁଛନ୍ତି କିଛି ସଂଗଠନ ।

ପୁରୀ ସ୍ୱର୍ଗଦ୍ୱାରରେ ନିର୍ମିତ ହେବ ଆଉ କେତୋଟି ବୈଦ୍ୟୁତିକ ଶବଦାହ ଚୁଲ୍ଲା । ଏଥିପାଇଁ ୧ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । କେନ୍ଦ୍ର ସରକାର ଆଇକନିକ ସିଟି ଯୋଜନାରେ ଏହି କାର୍ଯ୍ୟକ୍ରମ ହାତକୁ ନେବେ । ଏଥିରେ ବୈଦ୍ୟୁତିକ ଚୁଲ୍ଲା ସ୍ଥାପନ ସହ ସ୍ୱର୍ଗଦ୍ୱାରର ସୌନ୍ଦର୍ଯ୍ୟକରଣ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି । କିନ୍ତୁ ଆରପଟେ ୨୦୧୪ରୁ ସ୍ଥାପନ ହୋଇଥିବା ବୈଦ୍ୟୁତିକ ଶବଦାହ ଚୁଲ୍ଲା ବ୍ୟବହାର ନହୋଇ ପଡି ରହିଛି ।

ରିପୋର୍ଟ ଅନୁସାରେ ଏହି ଚୁଲ୍ଲାରେ ବର୍ତମାନ ସୁଦ୍ଧା ମାତ୍ର ୭୦ଟି ଶବ ପୋଡାଯାଇଛି । କାଠରେ ଶବଦାହ ଯୋଗୁଁ ସୃଷ୍ଟି ହେଉଥିବା ଧୂଆଁ ଓ ପାଉଁଶ ପରିବେଶ ପ୍ରଦୂଷଣ ବି କରେ । ଏହାକୁ ରୋକିବା ପାଇଁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ଏହା ଆଧାରରେ ଶବଦାହ ଚୁଲ୍ଲା ସ୍ଥାପନ ହୋଇଥିଲା ।

ହିନ୍ଦୁ ଧର୍ମ ଅନୁସାରେ ଶବଦାହ ପରେ ଅସ୍ଥି ସଂଗ୍ରହ କରି ବିସର୍ଜନ କରିବାର ପରମ୍ପରା ରହିଛି । କିନ୍ତୁ ବୈଦ୍ୟୁତିକ ଶବଦାହ ଚୁଲ୍ଲାରେ ଅସ୍ଥି ବାହାରି ନଥାଏ । ତେଣୁ ସାଧାରଣରେ ଲୋକେ ଏହି ଚୁଲ୍ଲା ବ୍ୟବହାର କରିବାକୁ ଅମଙ୍ଗ । ଏଠାରେ ଇଲେକ୍ଟ୍ରିକ ଚୁଲ୍ଲା ସ୍ଥାପନ ହିନ୍ଦୁ ଧର୍ମର ପରିପନ୍ଥୀ ବୋଲି ଅଭିଯୋଗ ହେଉଛି ।

ପରିବେଶ ପ୍ରଦୂଷଣ ରୋକିବା ଦୃଷ୍ଟିରୁ ବୈଦ୍ୟୁତିକ ଶବଦାହ ଚୁଲ୍ଲାର ଆବଶ୍ୟକତା ଥିବା ବେଳେ ଏନେଇ ସଚେତନତା ସୃଷ୍ଟି ହେବା ଜରୁରୀ । ନହେଲେ ଆଗାମୀ ଦିନରେ ଲକ୍ଷ ଲକ୍ଷ ଟଙ୍କା ଦେଇ ନିର୍ମାଣ ହେବାକୁ ଥିବା ଚୁଲ୍ଲା ସେପରି ବ୍ୟବହାର ନହୋଇ ଖତଖାଇବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –