ଓଡିଶାରେ ସ୍ୱଦେଶୀ ଆନ୍ଦୋଳନ : ଓଡିଶାରେ ତନ୍ତବୁଣା ବସ୍ତ୍ରର ପ୍ରସ୍ତୁତିରେ ଘଟିଥିଲା ବୃଦ୍ଧି

370

ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସ୍ୱଦେଶୀ ଆନ୍ଦୋଳନ ଥିଲା ଏକ ଯୁଗାନ୍ତକାରୀ ଅଧ୍ୟାୟ । ବିଦେଶୀ  ଦ୍ରବ୍ୟକୁ ପ୍ରତ୍ୟାଖ୍ୟାନ କରି ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ଥିଲା ଏହି ଆନ୍ଦୋଳନର କାର୍ଯ୍ୟକ୍ରମ ।

ଓଡିଶାରେ ସ୍ୱଦେଶୀ ଆନ୍ଦୋଳନ : 

ଇଂରେଜମାନଙ୍କ ଏକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ବୋଲି କୁହାଯାଏ । ଓଡିଶାର କମିଶନର ଭାରତ ସରକାରଙ୍କୁ ଜଣାଇଥିଲେ ଯେ, ଏହି ସ୍ୱଦେଶୀ ଆନ୍ଦୋଳନ ଓଡିଶାରେ ସେପରି କିଛି  ପ୍ରଭାବ ପକାଇ ନାହିଁ । ମାତ୍ର କମିଶନରଙ୍କ ଏହି ଉକ୍ତିରେ ସତ୍ୟତା ନଥିଲା । ବଙ୍ଗଭଙ୍ଗ ଘୋଷଣା କରାଯିବା ପରେ କଟକରେ ୧୯୦୫ ମସିହା ଅଗଷ୍ଟ ୨୦ ତାରିଖ ଦିନ ଜାନକୀନାଥ ବୋଷଙ୍କ ପୌରାହିତ୍ୟରେ ଏକ ସଭା ଆହ୍ୱାନ କରାଯାଇଥିଲା । ସ୍ୱଦେଶୀ ଭାବନାକୁ ପ୍ରଚାର କରିବା ଥିଲା ଏହି ସଭାର ଆଭିମୁଖ୍ୟ । ସେହି ସଭାରେ ମଧୁସୂଦନ ଦାସ ଯୋଗ ଦେଇ ଏକ ଆବେଗପୂର୍ଣ୍ଣ ଓ ଉଦ୍ଦୀପନାମୂଳକ ବକ୍ତୃତା ପ୍ରଦାନ କରିଥିଲେ । ତାଙ୍କର ଭାଷଣ ଉପସ୍ଥିତ ଲେକାଙ୍କ ହୃଦୟତନ୍ତ୍ରୀରେ ସ୍ୱଦେଶୀ ଭାବନା ଉଦ୍ରେକ କରିଥିଲା । ଭାଷଣ ପ୍ରସଙ୍ଗରେ ଉଦାହରଣ ଦେଇ ସେ କହିଥିଲେ, ଛିଣ୍ଡା ହେଲେ ମଧ୍ୟ ଜାପାନର ଜେନେରାଲ ଟୁଗୋ କେବଳ ଜାପାନ ପ୍ରସ୍ତୁତ ଜୋତା ହିଁ ବ୍ୟବହାର କରୁଥିଲେ । ମଧୁବାବୁ ନିଜେ ତା’ ପୂର୍ବରୁ କଟକରେ ତାରକସି କାମ ପ୍ରତିଷ୍ଠା କରିଥିଲେ ।  ପରେ ପରେ ସେ ବିଭିନ୍ନ ସ୍ଥାନକୁ ଯାଇ ସ୍ୱଦେଶୀ ଆନ୍ଦୋଳନ ନିମନ୍ତେ ଆଦୃତ ସଭାରେ ଭାଷଣ ଦେଇଥିଲେ । ତାଙ୍କର ବକ୍ତୃତା ନୀଳକଣ୍ଠ ଦାସ ଓ ଗୋଦାବରୀଶ ମିଶ୍ରଙ୍କ ପରି ଯୁବଗୋଷ୍ଠୀଙ୍କ ହୃଦୟରେ ଗଭୀର ଆଲୋଡନ ସୃଷ୍ଟି କରିଥିଲା । ସେହି ସମୟରେ ଫକୀରମୋହନ ସେନାପତି, କରୁଣାକର ସାହୁ ଓ ଦୈତାରୀ ଦାସଙ୍କ ବକ୍ତୃତା ଲୋକମାନଙ୍କ ମନରେ ନୂତନ ସ୍ପନ୍ଦନ ସୃଷ୍ଟିି କରିଥିଲା । ଏପରି ଭାବେ ସ୍ୱଦେଶୀ ଭାବନା ପ୍ରଚାରିତ ହେବା ଫଳରେ ବହୁସ୍ଥାନରେ ଲୋକମାନେ ମାଂଚେଷ୍ଟର ପ୍ରସ୍ତୁତ ବସ୍ତ୍ର ଓ ଲିଭରପୁଲ ପ୍ରସ୍ତୁତ ଲୁଣ ପରିହାର କରି ଭାରତରେ ପ୍ରସ୍ତୁତ ଦ୍ରବ୍ୟ ବ୍ୟବହାର କରିଥିଲେ ।

ଓଡିଆ ପତ୍ରପତ୍ରିକାରେ ସ୍ୱଦେଶୀ ଭାବନା ମଧ୍ୟ ସମ୍ବାଦ ଓ ପ୍ରବନ୍ଧ ଆକାରରେ ପ୍ରକାଶିତ ହୋଇଥିଲା । ତନ୍ମଧ୍ୟରୁ ବ୍ରହ୍ମପୁରରୁ ଭି. ଭି  ମୂର୍ତ୍ତିଙ୍କ ସମ୍ପାଦନାରେ ‘ସ୍ୱଦେଶ ଲକ୍ଷ୍ମୀ’, ଭୁବନେଶ୍ୱର ରଥଙ୍କ ସମ୍ପାଦନା ଓ ପରିଚାଳନାରେ ଗଂଜାମରୁ ‘ପ୍ରଜାବନ୍ଧୁ’, ବାରିପଦାର ‘ମନୋରମା’, ଓ ସମ୍ବଲପୁରର ‘ସମ୍ବଲପୁର ହିତୈଷିଣୀ’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ସ୍ୱଦେଶୀ ଆନ୍ଦୋଳନର ଫଳାଫଳ : ଏହି ଐତିହାସିକ ସ୍ୱଦେଶୀ ଆନ୍ଦୋଳନର ଫଳାଫଳ ସୂୁଦୂରପ୍ରସାରୀ ହୋଇଥିଲା । ଅବଶ୍ୟ ଏହା ଉଦାରପନ୍ଥୀ ଓ ଚରମପନ୍ଥୀଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିଥିଲା । ଭାରତର ବିଭିନ୍ନ ସ୍ଥାନରେ ସ୍ୱଦେଶୀ ଲୁଗାକଳ, ଦିଆସିଲି, ସାବୁନ କାରଖାନା, ଜୋତା, ବାସନକୁସନର ନିର୍ମାଣ କେନ୍ଦ୍ରମାନ ସ୍ଥାପିତ ହୋଇଥିଲା । ବିଶେଷତଃ ଓଡିଶାରେ ତନ୍ତବୁଣା ବସ୍ତ୍ରର ପ୍ରସ୍ତୁତି ବହୁପରିମାଣରେ ବୃଦ୍ଧି ହୋଇଥିଲା । ସମ୍ବଲପୁର ଓ ବରଗଡରେ ଉତ୍କୃଷ୍ଟଧରଣର ବସ୍ତ୍ର ପ୍ରସ୍ତୁତ କରାଯାଇଥିଲା । କେତେଜଣ ଧନାଢ଼୍ୟ ବ୍ୟକ୍ତିଙ୍କର ପ୍ରୋତ୍ସାହନ ପଳରେ ବାଣପୁର, ସୁକିନ୍ଦା ଓ ସମ୍ବଲପୁରରେ ବସ୍ତ୍ର ବୟନ ଶିଳ୍ପ ଦ୍ରୁତ ଗତିରେ ଉନ୍ନତି ଅଭିମୁଖେ ଗତି କରିିଥିଲା । ବ୍ରହ୍ମପୁରୀ ପାଟ ଓ ମାଣିଆବନ୍ଧ ଶାଢ଼ି ପ୍ରତି ଲୋକମାନଙ୍କର ଆଦର ବଢ଼ିଯାଇଥିଲା । ପୁରୀ ଜିଲ୍ଲାର ବାଣପୁରରେ ବେତ ନିର୍ମିତ ଜିନିଷ ପ୍ରସ୍ତୁତ କରାଯାଇଥିଲା ।