କାମ ଦେଉନି ସ୍ୱଚ୍ଛ ଭାରତ ଅଭିଯାନ! ପରିମଳ, ନିର୍ମଳ ଜଳ ଅଭାବ ରୋଗ ବଢ଼ାଉଛି

82

ପ୍ରଦୂଷଣମୁକ୍ତ ପରିବେଶ ପାଇଁ ପରିଚ୍ଛନ୍ନତା ଉପରେ ମୋଦି ସରକାର ଗୁରୁତ୍ୱ ଦେଇ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ଚାଲୁ ରଖିଛନ୍ତି। ଏତେ ସତ୍ତ୍ୱେ ଭାରତୀୟମାନଙ୍କୁ ବିଭିନ୍ନ ରୋଗ କବଳରୁ ନିସ୍ତାର ନାହିଁ। ବିଶୁଦ୍ଧ ଜଳାଭାବ ସାଙ୍ଗକୁ ଉପଯୁକ୍ତ ପରିମଳ ଅଭାବରୁ ଭାରତୀୟଙ୍କ ଠାରେ ରୋଗାକ୍ରାନ୍ତ ହେବାର ଆଶଙ୍କା ଚୀନବାସୀଙ୍କ ଠାରୁ ୪୦ ପ୍ରତିଶତ ଅଧିକ ବୋଲି ଜଣାଯାଇଛି। ସେହିପରି ୨୦୧୬ ମସିହା ପାଇଁ ପ୍ରସ୍ତୁତ ରିପୋର୍ଟରେ ମୋଟ ରୋଗାକ୍ରାନ୍ତ ଭାରତୀୟଙ୍କ ମଧ୍ୟରୁ ୧୫ ପ୍ରତିଶତ ହେଉଛନ୍ତି କେବଳ ଅପପୁଷ୍ଟିର ଶିକାର ହୋଇଥିବା ଗର୍ଭବତୀ ଏବଂ ଶିଶୁ। ୧୯୯୦ ମସିହାରୁ ୨୦୧୬ ମସିହା ଯାଏ ଦେଶର ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ରୋଗ ବ୍ୟାପିବାର ମାତ୍ରା ଏବଂ ତାହାର କାରଣ ସମ୍ପର୍କିତ ସର୍ବେକ୍ଷଣରୁ ଏଭଳି ସୂଚନା ମିଳିଛି।

ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମଆର), ଭାରତୀୟ ସର୍ବ ସାଧାରଣ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ(ପିଏଚଏଫଆଇ) ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ଏବଂ ପରିମାପକ ପ୍ରତିଷ୍ଠାନ (ଆଇଏଚଏମଇ) ପକ୍ଷରୁ ମିଳିତ ଭାବେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ରୋଗ ବୋଝ ଉପରେ କରାଯାଇଥିବା ଏହି ସର୍ବେକ୍ଷଣର ଫଳାଫଳକୁ ଆଜି ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁ ଉନ୍ମୋଚନ କରିଛନ୍ତି। ଦେଶରେ ସ୍ୱଚ୍ଛ ଭାରତ କାର୍ୟ୍ୟକ୍ରମ ଚାଲୁ ହେବାର ଦୁଇ ବର୍ଷ ବିତିଥିଲେ ହେଁ ଦେଶବାସୀ ବହୁ ସଂଖ୍ୟାରେ ରୋଗାକ୍ରାନ୍ତ ହେବା ପଛରେ ବାୟୁ ପ୍ରଦୂଷଣର ବିଶେଷ ଭୂମିକା ରହିଥିବା ଜଣାଯାଇଛି। ବିଶ୍ୱର ସର୍ବାଧିକ ଭାରତୀୟ ଏଥି ଯୋଗୁଁ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡ଼ିତ। ଏହି ରିପୋର୍ଟ ଅନୁଯାୟୀ, ଗତ ୨୬ ବର୍ଷ ଭିତରେ ମୁଣ୍ଡପିଛା ରୋଗାକ୍ରାନ୍ତ ହେବାର ଆଶଙ୍କା ଏକ ତୃତୀୟାଂଶ କମିଆସିଛି। ତେବେ ବିଭିନ୍ନ ରାଜ୍ୟ ପାଇଁ ଏହା ଭିନ୍ନ ଭିନ୍ନ ସ୍ଥିତିରେ ରହିଛି।

ସେହିପରି ୧୯୯୦ ମସିହା ପରଠାରୁ ଅପପୁଷ୍ଟିର ଶିକାର ହେଉଥିବା ମା’ ଏବଂ ଶିଶୁଙ୍କ ସଂଖ୍ୟା କ୍ରମାଗତ ଭାବେ କମି କମି ଆସିଥିଲେ ହେଁ ସ୍ଥିତି ତଥାପି ସଂଗିନ ରହିଛି। ବିଶେଷ କରି ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ପରି ଆଠଟି ଯାକ ସାମାଜିକ ଏବଂ ଆର୍ଥିକ ଅନଗ୍ରସର ରାଜ୍ୟ ସମେତ ଆସାମରେ ମଧ୍ୟ ଅପପୁଷ୍ଟ ମା’-ଶିଶୁଙ୍କ ସଂଖ୍ୟା ଉଲ୍ଲେଖନୀୟ ରହିଛି। ଏହି ଅପପୁଷ୍ଟି ଯୋଗୁଁ ଚୀନବାସୀଙ୍କ ତୁଳନାରେ ଭାରତୀୟ ଗର୍ଭବତୀ ଏବଂ ଶିଶୁଙ୍କ ଠାରେ ରୋଗାକ୍ରାନ୍ତ ହେବାର ଆଶଙ୍କା ୧୨ ଗୁଣ ଅଧିକ ବୋଲି ଜଣାଯାଇଛି। ଏହି ଆଶଙ୍କା କେରଳବାସୀଙ୍କ ପାଇଁ ସବୁଠୁ କମ ରହିଥିଲେ ହେଁ ତାହା ବି ସାଧାରଣ ଚୀନ ଲୋକଙ୍କ ଅପେକ୍ଷା ୨.୭ ଗୁଣ ଅଧିକ ରହିବା ସୂଚନା ଚିନ୍ତାର ବିଷୟ ହୋଇଛି।