ସ୍ୱଚ୍ଛତା ସୂଚୀରେ ପଛରେ ପଡିଲା ସ୍ମାର୍ଟ ସହର ଭୁବନେଶ୍ୱର ! ପ୍ରକାଶ ପାଇଲା ସ୍ୱଚ୍ଛ ସର୍ଭେକ୍ଷଣ ୨୦୧୮ର ଦ୍ୱିତୀୟ ପର୍ଯ୍ୟାୟ ତାଲିକା, ଜାଣନ୍ତୁ ରାଜ୍ୟ କ୍ୟାଟେଗୋରୀରେ ଓଡ଼ିଶାର ସ୍ଥାନ କେତେ ?

34

କନକ ବ୍ୟୁରୋ: ସହରାଂଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୧୮ର ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ ହୋଇଛି । ରାଜ୍ୟ କ୍ୟାଟେଗୋରୀେରେ ଓଡ଼ିଶା ୨୨ତମ ସ୍ଥାନରେ ରହିଛି । ସେହିପରି ସହର ତାଲିକାରେ ଭୁବନେଶ୍ୱର ୨୪୫ତମ ସ୍ଥାନରେ ରହିଛି । ରାଜ୍ୟ କ୍ୟାଟେଗୋରୀରେ ଝାଡ଼ଖଣ୍ଡ ପ୍ରଥମ ସ୍ଥାନରେ ଥିବା ବେଳେ ସହର ତାଲିକାରେ ମଧ୍ୟପ୍ରଦେଶର ଇନ୍ଦୋର ପ୍ରଥମ ସ୍ଥାନରେ ରହିଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଏହି ସ୍ୱଛ ସର୍ବେକ୍ଷଣରେ ସାମିଲ ହୋଇଥିଲା ବେଳେ ୪ ହଜାର ୨୦୩ଟି ସହର ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ।

ସ୍ୱଚ୍ଛ ସର୍ବେକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଏବେ ବିଏମ୍ସି କର୍ତ୍ତୃପକ୍ଷ ଛାଟିପିଟି ହେଉଛନ୍ତି। ହାତପାହନ୍ତାରେ ସବୁ ସୁବିଧା ଯୋଗାଇବାର ସୁଯୋଗ ଥିଲେ ହେଁ ବିଏମସି କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଆଜି ଭୁବନେଶ୍ୱର ଯେତିକି ସ୍ୱଚ୍ଛ ଅଛି ସେହି ଅନୁଯାୟୀ ସ୍ଥାନ ପାଇଲାନି ବୋଲି ଚର୍ଚ୍ଚା ହେଉଛି। କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନହେବା, କମ୍ପୋଷ୍ଟ ପ୍ଲାଣ୍ଟ ନହେବା, ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ନହେବା, ଆବର୍ଜନା ପୃଥକୀକରଣ ନହେବା, ପଲିଥିନ୍ ମୁକ୍ତ ସହର ନହେବା, ରାଜଧାନୀର କୌଣସି ଗୋଟିଏ ବି ଅଞ୍ଚଳ ପ୍ରକୃତରେ ମଳମୁକ୍ତ ଅଞ୍ଚଳ ନହେବା, ଆବଶ୍ୟକୀୟ ପବ୍ଲିକ ଟଏଲେଟ୍ ନ ରହିବା, ଆବଶ୍ୟକୀୟ ଡଷ୍ଟବିନ୍ ନ ରହିବା, ସବୁ ଅଳିଆ ବୋଝେଇ ଗାଡ଼ି ଜିପିଏସ୍ ଟ୍ରାକିଂ ହୋଇ ନପାରିବା ଇତ୍ୟାଦି। ଏହି ସବୁ ବ୍ୟବସ୍ଥା ବିଏମସି ଯୋଗାଇବା ପାଇଁ ଆବଶ୍ୟକ ସମୟ ଓ ସୁଯୋଗ ଥିଲେ ହେଁ କେତେକ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହାକୁ କାର୍ଯ୍ୟକାରୀ କରିବାରେ ବିଏମସି ବିଫଳ ହୋଇଛି। ଯାହା ବିଏମସି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ପଛରେ ଭୁବନେଶ୍ୱର ପଡ଼ିଥିଲେ ହେଁ ବିଏମସି କର୍ତ୍ତୃପକ୍ଷ ମୁଣ୍ଡରୁ ଦୋଷ ଖସାଇବା ପାଇଁ କହିଛନ୍ତି ଗତ ଥର ୫୦୦ଟି ସହରକୁ ନେଇ ପ୍ରତିଯୋଗିତା ହୋଇଥିବାବେଳେ ଆମେ ୯୪ତମ ସ୍ଥାନରେ ଥିଲୁ। ଚଳିତ ବର୍ଷ ୪୨୦୩ଟି ସହରକୁ ନେଇ ପ୍ରତିଯୋଗିତା ହୋଇଛି। ଗତ ଥର ୧୦ଲକ୍ଷରୁ ଅଧିକ କ୍ୟାଟେଗୋରି ସହରରେ ଆମେ ୯୪ତମ ସ୍ଥାନ ପାଇଥିଲୁ। କିନ୍ତୁ ଚଳିତବର୍ଷ ୧ଲକ୍ଷରୁ ଅଧିକ ସହରକୁ ନେଇ ତାଲିକା ହେବାରୁ ଆମ ସ୍ଥାନ ଖସିଗଲା। ଭୁଆସୁଣୀରେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନହେବା ଆମ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଆଶ୍ଚର୍ୟ୍ୟର ବିଷୟ ଗତ ଥର ଯେଉଁ ସହରଗୁଡ଼ିକ ଶ୍ରେଷ୍ଠ ୧୦ ସହର ତାଲିକାରେ ସ୍ଥାନ ପାଇଥିଲେ ସେମାନେ ଏଥର ବି ପାଖାପାଖି ସ୍ଥାନ ପାଇଛନ୍ତି। ଏପରିକି ଇନ୍ଦୋର ପୂର୍ବଥର ପରି ପ୍ରଥମ ସ୍ଥାନ ବଜାୟ ରଖିଛି। ଯଦି ଅନ୍ୟ ସହରଗୁଡ଼ିକ ପୂର୍ବଥର ଭଳି ଭଲ ସ୍ଥାନ ପାଇଲେ ଭୁବନେଶ୍ୱର କାହିଁକି ପାଇବନି ବୋଲି ପ୍ରଶ୍ନ ଉଠିଛି।

ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର ଯେତିକି ସ୍ୱଚ୍ଛ ହେବା କଥା ସେହିପରି ହୋଇନି। ଅନ୍ୟ ସହରଗୁଡ଼ିକ ପରିମଳ ବ୍ୟବସ୍ଥା ସଜାଡ଼ିବା ପାଇଁ ବହୁ ଅଭିନବ ପଦକ୍ଷେପ ନେଇଥିବାବେଳେ ନିଜ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ବହୁ ପଦକ୍ଷେପ ନେଇଛନ୍ତି। ଏପରିକି ଇନ୍ଦୋରରେ ଧର୍ମଗୁରୁଙ୍କ ଦ୍ୱାରା ସହରକୁ ସ୍ୱଚ୍ଛ ରଖିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ସଚେତନ କରାଯାଉଥିବାବେଳେ ଜରିଗୋଟାଳିମାନେ ଯେପରି ଅଜୈବ ବର୍ଜ୍ୟ ଉଠାଇ ଦେବେ ଏବଂ ଅଧିକ ରୋଜଗାର କରିପାରିବେ ସେଥିପାଇଁ ବସରେ ରିହାତି ଦିଆଯାଉଛି, ସହର ମଝିରେ କମ୍ପୋଷ୍ଟ ପ୍ଲାଣ୍ଟ ହୋଇଛି, ଲୋକଙ୍କୁ କମ୍ ଦାମରେ ଦୁଇଟି ଲେଖାଏ ଡଷ୍ଟବିନ୍ ଯୋଗାଇ ଦିଆଯାଉଛି। ଗ୍ରେଟର୍ ହାଇଦ୍ରାବାଦରେ ଲୋକ ଯେପରି ପଲିଥିନ୍ ବ୍ୟବହାର ନକରିବେ ସେଥିପାଇଁ ଆମିଷ ଦୋକାନରେ ଷ୍ଟିଲ୍ ଟିଫିନ୍ ବାଧ୍ୟମତାମୂଳକ କରାଯାଇଛି, ପ୍ରମୁଖ ଅଞ୍ଚଳ ଓ ବଜାରରେ ଦିନକୁ ତିନିଥର ସଫେଇ ହେଉଥିବାବେଳେ କଲୋନିରେ ଦୁଇଥର ସଫେଇ ହେଉଛି। ଭୁବନେଶ୍ୱରରେ ଡମ୍ପିଂୟାର୍ଡ ଓ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣରେ ସମସ୍ୟା ଅଛି ବୋଲି ବିଏମ୍ସି କର୍ତ୍ତୃପକ୍ଷ କହୁଥିଲେ ହେଁ ପଞ୍ଚଗାନି, ଭେଙ୍ଗରୁଲା, ଆଲ୍ଫୁଜା ଭଳି ସହରରେ ତ ଡମ୍ପିଂୟାର୍ଡ ନାହିଁ। ଏଠାରେ ଜୈବ ଆବର୍ଜନାକୁ ସିଧା କମ୍ପୋଷ୍ଟ ପ୍ଲାଣ୍ଟକୁ ନିଆଯାଉଛି। ବିଏମସି ଭୁବନେଶ୍ୱରକୁ ସ୍ୱଚ୍ଛ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇ ନପାରିବାରୁ ଏଥର ମାର୍କ କମିଛି ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।