ସତୀଶଙ୍କ ସ୍ୱଚ୍ଛ ଭାରତ ! ଇଣ୍ଡିଆ ଗେଟ ପରିସରକୁ ସଫା ରଖିବା ଅଭିଯାନରେ ସାଥୀ ସାଜିଛି ସ୍କୁଟି

48

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ସ୍ୱଚ୍ଛ ଭାରତ ଅଭିଯାନର ପ୍ରଭାବ ଏବେ ପ୍ରାୟ ପ୍ରତି ଲୋକଙ୍କ ନିକଟରେ ଦେଖିବାକୁ ମିଳୁଛି । ଅଧିକାଂଶ ଯୁବଗୋଷ୍ଠୀ ଏବେ ନିଜର ଆଖପାଖ ପରିବେଶକୁ ସଫା ରଖିବା ପାଇଁ ଆଗକୁ ଆସୁଛନ୍ତି । କେବଳ ଯୁବକ ନୁହେଁ ବରଂ ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ବ୍ୟକ୍ତି ବିଶେଷ ମଧ୍ୟ ଏବେ ପରିବେଶକୁ ସଫା ରଖିବା ପାଇଁ ବେଶ ସଚେତନ ଅଛନ୍ତି । ଆଉ ଏହାର ନିଚ୍ଛକ ଉଦାହରଣ ହେଉଛନ୍ତି ଦିଲ୍ଲୀର ସତୀଶ କୁମାର ।

download (3)ଦିଲ୍ଲୀର ସତୀଶ କୁମାର । ବୟସ ୭୯ ଛୁଇଁଲାଣି । କିନ୍ତୁ ସେ ଏଭଳି କିଛି କାର୍ଯ୍ୟ କରିଛନ୍ତି ଯାହା ତାଙ୍କୁ ଚର୍ଚ୍ଚାର ପରିସରକୁ ଟାଣି ଆଣିଛି । ପ୍ରତିଦିନ ଭୋର ୪ଟା ସମୟରେ ତାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳେ । ପ୍ରତିଦିନ ଭୋର ୪ଟା ସମୟରେ ନିଜର ସ୍ପେଶାଲ ସ୍କୁଟିରେ ଇଣ୍ଡିଆ ଗେଟ ଅଭିମୁଖେ ବାହାରି ଯାଆନ୍ତି ସତୀଶ । ସେଠାରେ ପହଞ୍ଚିବା ପରେ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଆରମ୍ଭ ହୁଏ କସରତ । ସେ ଇଣ୍ଡିଆ ଗେଟ ପାଶ୍ୱର୍ରେ ପାଖାପାଖି ୨ ଘଂଟା ପର୍ଯ୍ୟନ୍ତ ରୁହନ୍ତି ଏବଂ ସେହି ସ୍ଥାନରୁ ଅଳିଆ ଆର୍ବଜନାକୁ ପରିଷ୍କାର କରନ୍ତି । ଏପରିକି ପ୍ରାତଃ ଭ୍ରମଣରେ ଆସୁଥିବା ଲୋକମାନେ ମଧ୍ୟ ଏହି କାର୍ଯ୍ୟରେ ତାଙ୍କୁ ବେଶ ସହଯୋଗ କରିଥାନ୍ତି । ତେବେ ଏଭଳି କାମ କରିବା ପଛରେ ମଧ୍ୟ ଏକ ରହସ୍ୟ ଲୁଚି ରହିଛି ।

୭୯ ବର୍ଷ ବୟସରେ ଏହି ବ୍ୟକ୍ତି ଜଣକ ବିଗତ ବର୍ଷ ସେପ୍ଟେମ୍ବର ମାସରେ ଇଣ୍ଡିଆ ଗେଟ ସମ୍ମୁଖରେ ନିଜ ଜନ୍ମଦିବସ ପାଳନ କରିବାକୁ ଆସିଥିଲେ । ସେହି ସମୟରେ ହିଁ ଯବାନଙ୍କ ସ୍ମାରକ ତଥା ଇଣ୍ଡିଆ ଗେଟର ପରିସ୍ଥ୍ିତି ଦେଖି ଏହାକୁ ସଫା କରିବାର ନିର୍ଣ୍ଣୟ ନେଇଥିଲେ । ସେବେଠାରୁ ଲଗାତାର ଭାବେ ସତିଶ ଏହି ସ୍ଥାନକୁ ସଫା କରିବାକୁ ଭୋର ୪ଟାରୁ ଆସିଥାନ୍ତି । ସତିଶ ନିଜ ସ୍ପେଶାଲ ସ୍କୁଟିରେ ଇଣ୍ଡିଆଗେଟକୁ ଆସିଥାନ୍ତି । ଆଉ ସାଙ୍ଗରେ ନିଜର ଆଶାବାଡି ଆଣିବାକୁ କେବେ ମଧ୍ୟ ଭୁଲନ୍ତି ନାହିଁ । ସେଠାରେ ଥିବା ଡଷ୍ଟବିନ୍ରେ ଆବର୍ଜନା ନପକାଉଥିବ ଲୋକମାନଙ୍କୁ ଗାଳି କରନ୍ତି । ଅନେକ କହିବାପରେ ଯଦି ଲୋକମାନେ ଡଷ୍ଟବିନରେ ଅଳିଆ ନପକାନ୍ତି ସେ ନିଜ ବାଡି ଦେଖାଇ ଲୋକମାନଙ୍କୁ ଡରାନ୍ତି । ତାଙ୍କର ଏଭଳି ଉଦ୍ୟମ ପାଇଁ ଇଣ୍ଡିଆଗେଟ ପାଖାପାଖି ସ୍ଥାନରେ ଦୋକାନ ବସାଇଥିବା ବ୍ୟବସାୟୀମାନେ ମଧ୍ୟ ଧୀରେ ଧୀରେ ଏହି ବ୍ୟକ୍ତିଙ୍କୁ ଜାଣିବାକୁ ଲାଗିଲେଣି ।

ସତୀଶ ଯେଉଁ ସ୍କୁଟିରେ ଇଣ୍ଡିଆଗେଟ ପାଖକୁ ଆସନ୍ତି ତାହା ଭିନ୍ନ ଅଟେ । ଧଳା ରଂଗର ଏହି ସ୍କୁଟି ୩ଚକିଆ ବିଶିଷ୍ଟ ରହିଛି । ସତିଶଙ୍କର ଏହି ସ୍କୁଟି ଆଗରେ ଏକ ତଉଲିଆ ଲାଗିଥାଏ । ଯେତେବେଳେ କୌଣସି ବ୍ୟକ୍ତି ଆବର୍ଜନା ଉଠାଇ ତାଙ୍କ ପଲିଥିନ ବ୍ୟାଗରେ ପକାନ୍ତି ସତିଶ ସାନିଟାଇଜରରେ ସେହି ବ୍ୟକ୍ତିଙ୍କ ହାତ ସଫା କରି ତଉଲିଆରେ ପୋଛି ଦେଇଥାନ୍ତି ।