ସାଂସଦ ସାଧ୍ୱୀ ପ୍ରଜ୍ଞାଙ୍କୁ ମିଳିଲା ପାଉଡର୍ ଲଗା ଅଜ୍ଞାତ ଚିଠି : ଚିଠିରେ ମୋଦି-ଶାହ-ଡୋଭାଲଙ୍କ ଫଟୋରେ ପଡିଛି ଛକିି ଚିହ୍ନ , ପୋଲିସର ଜାଞ୍ଚ୍ ଆରମ୍ଭ

180

ଭୋପାଳରେ ଭାରତୀୟ ଜନତା ପାର୍ଟି (ବିଜେପି) ର ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଜଣେ ସଂନ୍ଦିଗ୍ଧଙ୍କ ଚିଠି ମିଳିଛି । ଯେଉଁଥିରେ ଉର୍ଦ୍ଦୁ ଭାଷାରେ ଲେଖାହୋଇଛି । ଏହି ଚିଠିରେ ପାଉଡର ମଧ୍ୟ ମିଳିଛି । ଫରେନ୍ସିକ୍ ଟିମ୍ ସାଧ୍ୱୀ ପ୍ରଜ୍ଞାଙ୍କ ବାସଭବନରେ ଉପସ୍ଥିତ ରହି ଏହି ଘଟଣାର ଜାଞ୍ଚ୍ କରୁଛି । ପାଉଡର୍ ସହିତ ଉର୍ଦ୍ଦୁରେ ଯେଉଁ ଚିଠି ଲେଖାହୋଇଛି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହମନ୍ତ୍ରୀ ଅମିତ୍ ଶାହ , ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ପ୍ରଜ୍ଞା ଠାକୁରଙ୍କ ଫଟୋରେ କ୍ରସ୍ ଚିହ୍ନ ହୋଇଛି । ସାଧ୍ୱୀ ପ୍ରଜ୍ଞାଙ୍କ ଜଣେ ଷ୍ଟାଫ୍ ଏହି ପତ୍ରକୁ ଦେଖିବା କ୍ଷଣି ପୋଲିସକୁ ସୂଚନା ଦେଇଥିଲେ । ଯାହାପରେ ସାଂସଦଙ୍କ ଘରେ ପୋଲିସ୍ ଅଧିକାରୀ ପହଁଚି ଯାଇଥିଲେ । ପୋଲିସ୍ ଚିଠିକୁ ଜାଞ୍ଚ୍ କରିବା ପାଇଁ ଏଫଏସଏଲ୍ ଟିମ୍ କୁ ହସ୍ତାନ୍ତର କରିଛନ୍ତି ।

ଏହି ଅଜଣା ଚିଠି ମିଳିବା ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର କହିଛନ୍ତି ଏହା କୌଣସି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ହୋଇପାରେ , କିନ୍ତୁ ମୁଁ ଏଥିରେ ଡରୁନାହିଁ । ଏହି ପତ୍ର ଉର୍ଦ୍ଦୁରେ ଲେଖାଯାଇଥିବା ବେଳେ ଏହା ସହ ଆଉ କିଛି ପତ୍ର ମଧ୍ୟ ସଂଲଗ୍ନ ହୋଇରହିଛି । ମୋତେ ପୂର୍ବରୁ ମଧ୍ୟ ଏଭଳି ଚିଠି ମିଳିଛି ଏବଂ ପୋଲିସ୍ ମଧ୍ୟ ଏହି ଚିଠି ବିଷୟରେ ଅବଗତ ଅଛନ୍ତି । କିନ୍ତୁ ଏନେଇ କେବେ କିଛି ଜାଞ୍ଚ୍ ହୋଇନି । ଏହା ଦେଶର ଶତ୍ରୁଙ୍କ ଏକ ବହୁତ ବଡ଼ ଷଡ଼ଯନ୍ତ୍ର । ସିଏସପି ଭୁପେନ୍ଦ୍ର ସିଂହଙ୍କ କହିବାନୁଯାୟୀ , ଏହି ମାମଲାରେ ଧାରା ୩୨୬ ଏବଂ ୫୦୭ ଅନୁସାରେ ମାମଲା ଥାନାରେ ଦିଆଯାଇଛି ।