ୟୁପି ବିଧାନସଭା ବିସ୍ଫୋରକ ଘଟଣାର ଆରମ୍ଭ ହେଲା ଛାନଭିନ୍ ! ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଲେ ଏନଆଇଏ କରୁ ତଦନ୍ତ

33

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବିଧାନସଭାରୁ ବିସ୍ଫୋରକ ସାମଗ୍ରୀ ମିଳିବା ଘଟଣା ଉତ୍ତରପ୍ରଦେଶରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ସେପଟେ ଏହାକୁ ନେଇ ମୁହଁ ଖୋଲିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ । ୧୨ ତାରିଖର ବଜେଟ୍ ଅଧିବେଶନରେ ବିଧାୟକଙ୍କ ବ୍ୟତୀତ ଅନ୍ୟ କାହାକୁ ବିଧାନସଭା ଭିତରକୁ ଅନୁମତି ଦିଆଯାଉନଥିବା ବେଳେ ୧୩ ତାରିଖ ବିସ୍ଫୋରକ ମିଳିବା ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ଯୋଗୀ । ଏଥିସହିତ ଘଟଣାର ଏନଆଇଏ ତଦନ୍ତ ହେବାକୁ ଅପିଲ କରିଛନ୍ତି ଯୋଗୀ ଆଦିତ୍ୟନାଥ ।

ଅନ୍ୟପଟେ ପୁଲିସ୍ ଘଟଣାର ଛାନଭିନ୍ ଜାରି ରଖିଛି । ସେପଟେ ଅଗଷ୍ଟ ୧୫ ତାରିଖରେ ୟୁପି ବିଧାନସଭାକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଥିବା ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ୍ । ଗିରଫ ଯୁବକ ଜଣକ ହେଉଛନ୍ତି ଫରହାନ୍ ଅହମଦ୍ । ଦ୍ୱିତୀୟ ବର୍ଷର ଏହି ସ୍ନାତକ ଛାତ୍ର ଜଣକ ଦେଓରିଆ ଜିଲ୍ଲାର । ଜୁଲାଇ ୬ ତାରିଖରେ ଏଡିଜି ଏକେ ପ୍ରସାଦଙ୍କୁ ଏହି ଛାତ୍ର ଜଣକ ଧମକ ଦେଇ କହିଥିଲା ଯେ, ଅଗଷ୍ଟ ୧୫ ତାରିଖରେ ସେ ୟୁପି ବିଧାନସଭାକୁ ବୋମାରେ ଉଡାଇଦେବ । ଘଟଣାରେ ଯୁବକଙ୍କ ସଂପୃକ୍ତି ଖୋଜିବାରେ ଲାଗିଛି ପୁଲିସ୍ ।