ଆକାଶରେ ନିଖୋଜ ହେଲା କେନ୍ଦ୍ରମନ୍ତ୍ରୀଙ୍କ ବିମାନ ! ତ୍ରିଭେନ୍ଦ୍ରମରୁ ମରିସସ୍ ଯାଉଥିବାବେଳେ ୧୪ ମିନିଟ୍ ପାଇଁ କଂଟ୍ରୋଲ ରୁମ୍ ସହ ବିଚ୍ଛିନ୍ନ ହେଲା ମେଘଦୂତ

80

କନକ ବ୍ୟୁରୋ: ଆକାଶରେ ୧୪ ମିନିଟ ପାଇଁ ନିଖୋଜ ହେଲା ଭିଭିଆଇପି ବିମାନ ମେଘଦୂତ । ତେବେ ବଡ କଥା ହେଉଛି ମେଘଦୂତରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଯାତ୍ରା କରୁଥିଲେ । ତ୍ରିଭେନ୍ଦ୍ରମରୁ ସୁଷମା ସ୍ୱରାଜ ମରିସସ ଯିବା ବେଳେ ଏହି ଅଘଟଣ ଘଟିଛି । ତାଙ୍କୁ ନେଇ ଯାଉଥିବା ବିମାନ ମେଘଦୂତ ସହ ୧୨ରୁ ୧୪ ମିନିଟ ଯାଏଁ କଂଟ୍ରୋଲ ରୁମ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ତେବେ ମାରିସିଆନ ଏୟାର ଟ୍ରାଫିକ କଂଟ୍ରୋଲ ମେଘଦୂତ ବିମାନ ସହ ଯୋଗାଯୋଗ କରିନପାରିବା ପରେ ଚାଂଚଲ୍ୟ ଖେଳିଯାଇଥିଲା ।

ମାରିସସ ଦ୍ୱୀପର ବାୟୁସୀମାରେ ସୁଷମାଙ୍କ ବିମାନ ପ୍ରବେଶ କରିବା ପରେ ଏପରି ଘଟିଥିଲା, ଯାହା ସମସ୍ତଙ୍କୁ ୧୨ରୁ ୧୪ ମିନିଟ ଯାଏଁ ସ୍ତବ୍ଧ କରିଦେଇଥିଲା । ଏୟାର ଟ୍ରାଫିକ୍ କଂଟ୍ରୋଲ ପ୍ରାୟତଃ କୌଣସି ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ଅଧଘଂଟା ପରେ ନିଖୋଜ ଘୋଷଣା କରିଥାଏ । ହେଲେ ମାରିସିଆନ ଏୟାର ଟ୍ରାଫିକ ୧୨ ମିନିଟ ଭିତରେ ଆଲାର୍ମ ଦେଇଥିଲା । ହେଲେ କିଛି ସମୟ ପରେ ପୁଣି ମେଘଦୂତ ସହ ଯୋଗାଯୋଗ ସମ୍ଭବ ହୋଇଥିଲା ।

ମହାସଗାରୀୟ ଅଂଚଳରେ ରାଡାର କଭରେଜ ନଥିବା ବେଳେ ଯୋଗାଯୋଗର ଏକମାତ୍ର ମାଧ୍ୟମ ଭିଏଚଏଫ କମ୍ୟୁନିକେସନ । ତେବେ ଏହା ମହାସଗାରୀୟ ଅଂଚଳରେ ଠିକରେ କାମ କରିନଥିବାରୁ ବିମାନ ନିଖୋଜ ଭଳି ସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ୫ ଦିନିଆ ଆଫ୍ରିକା ଗସ୍ତରେ ଯାଇଛନ୍ତି ସୁଷମା ସ୍ୱରାଜ, ଗସ୍ତ ଅବସରରେ ସେ ବ୍ରିକ୍ସ ବୈଠକ ସହ ଇଣ୍ଡିଆ –ବ୍ରାଜିଲ- ସାଉଥ ଆଫ୍ରିକା ମିନିଷ୍ଟିରିଆଲ ମିଟିଙ୍ଗରେ ସାମିଲ ହେବେ ।