ଜାତିସଂଘରେ ପାକିସ୍ତାନ ବିରୋଧରେ ସୁଷମାଙ୍କ ସର୍ଜିକାଲ ଷ୍ଟ୍ରାଇକ ! କହିଲେ, ଭାରତ ଡାକ୍ତର, ବୈଜ୍ଞାନିକ ସୃଷ୍ଟି କରୁଥିବାବେଳେ ଇସଲାମାବାଦ ଗଢ଼ୁଛି ଜେହାଦୀ ଓ ଆତଙ୍କବାଦୀ

34

କନକ ବ୍ୟୁରୋ: ଭାରତ ବିରୋଧରେ ପାକିସ୍ତାନ ଚଳାଇଥିବା ଛାୟାଯୁଦ୍ଧ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର କଡ଼ା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଆତଙ୍କବାଦ ନେଇ ପାକିସ୍ତାନର ଦୋମୁହାଁ ନୀତି ଏବଂ ଏହି ରାଷ୍ଟ୍ରର ଅସଲ ଚରିତ୍ର ସଂପର୍କରେ ଗତକାଲି ପୁଣିଥରେ ବିଶ୍ୱ ନେତୃବୃନ୍ଦଙ୍କୁ ସେ ଚେତାଇ ଦେଇଛନ୍ତି । ଜାତିସଂଘ ସାଧାରଣ ଅଧିବେଶନରେ ଉଦବୋଧନ ଦେଇ ସୁଷମା ଆତଙ୍କବାଦ, ପରିବେଶ, ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଆଦି ପ୍ରସଙ୍ଗରେ ଭାରତର ସ୍ପଷ୍ଟ ମତ ଉପସ୍ଥାପନ କରିଛନ୍ତି । ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇ ତୃତୀୟ ପକ୍ଷର ହସ୍ତକ୍ଷେପ ଲୋଡ଼ୁଥିବା ପାକିସ୍ତାନକୁ ସେ ଭର୍ତ୍ସନା କରିଛନ୍ତି । ଲଗାତାର ଦ୍ୱିତୀୟ ଥର ପାଇଁ ଜାତିସଂଘ ଅଧିବେଶନରେ ହିନ୍ଦୀରେ ଉଦବୋଧନ ଦେଇ ସୁଷମା କହିଛନ୍ତି ଯେ, ଭାରତ ଦାରିଦ୍ର୍ୟ ହଟାଇବା ପାଇଁ ଲଢ଼ୁଥିବା ବେଳେ ପାକିସ୍ତାନ ଭାରତ ବିରୋଧରେ ଲଢ଼ୁଛି ।

ସୁଷମା କହିଥିଲେ ଯେ, ଗୋଟିଏ ସମୟରେ ଭାରତ ଓ ପାକିସ୍ତାନ ସ୍ୱାଧୀନତା ପାଇଥିଲେ ମଧ୍ୟ ଏବେ ସ୍ଥିତି ସଂପୂର୍ଣ୍ଣ ଭିନ୍ନ । ଭାରତ ଆଇଟି ମହାଶକ୍ତି ଭାବେ ଉଭା ହୋଇଥିବା ବେଳେ ପାକିସ୍ତାନ ଏବେ ଆତଙ୍କବାଦର ଆଡ଼ା ପାଲଟିଛି । ଯେଉଁ ରାଷ୍ଟ୍ର ଅମାନୁଷିକ ଆଚରଣର ସୀମା ଲଂଘନ କରି ନିରୀହ ଲୋକଙ୍କୁ ହତ୍ୟା କରୁଛି ଏବଂ ମାନବିକତାର ହତ୍ୟାକାରୀ ପାଲଟିଛି, ସେହି ରାଷ୍ଟ୍ର ଆମକୁ ଏବେ ମାନବିକତାର ପାଠ ପଢ଼ାଇବାକୁ ପ୍ରୟାସ କରିବା ହାସ୍ୟାସ୍ପଦ । ଆତଙ୍କବାଦର ମୁକାବିଲା ପାଇଁ ଏହାର ପରିଭାଷାକୁ ଗୋଟିଏ ମାପକାଠିରେ ଗ୍ରହଣ କରିବାକୁ ହେବ । ଏଥିପାଇଁ ଜାତିସଂଘରେ ପ୍ରସ୍ତାବ ପାରିତ ହେବା ଆବଶ୍ୟକ ବୋଲି ସୁଷମା କହିଛନ୍ତି । ଭାରତ ଆଇଆଇଟି, ଆଇଆଇଏମ ନିର୍ମାଣ କରୁଥିବା ବେଳେ ପାକିସ୍ତାନ ଲସ୍କର-ଏ-ତୋଏବା, ହିଜବୁଲ ମୁଜାହିଦ୍ଦିନ ତିଆର କରୁଛି । ପାକିସ୍ତାନ ଏଭଳି ବିନାଶର ରାସ୍ତା ଛାଡ଼ି ବିକାଶର ରାସ୍ତାରେ ଚାଲିବାକୁ ସୁଷମା ପରାମର୍ଶ ଦେଇଛନ୍ତି ।

ଭାରତ ସରକାର ଦାରିଦ୍ର୍ୟ ଦୂରୀକରଣ ଓ ସମାଜ କଲ୍ୟାଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅହରହ ନୂଆ ନୂଆ ପ୍ରଚେଷ୍ଟା ଜାରି ରଖିଛନ୍ତି । ମୁଦ୍ରା ଯୋଜନା, ଉଜ୍ଜଳା ଯୋଜନା, ବେଟି ବଚାଓ, ବେଟି ପଢ଼ାଓ ଯୋଜନା ଓ ଜନଧନ ଯୋଜନା ସଂପର୍କରେ ସୁଷମା ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଭାରତର ସଂସ୍କୃତି ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବେ ଗ୍ରହଣ କରିଛି । ଆମେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ ବୋଲି ସୁଷମା କହିଥିଲେ । ପରିବେଶ ସନ୍ତୁଳନ ଉପରେ ଗୁରୁତ୍ୱାରୋପ କରି ସୁଷମା କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଘୋର ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଛି । ଏ ଦିଗରେ ବିଶ୍ୱ ସଜାଗ ରହି କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ ।