ରୋହିଙ୍ଗ୍ୟା ପ୍ରସଙ୍ଗରେ ହାସିନା-ସୁଷମା ଆଲୋଚନା: ୧୮ରେ ସୁପ୍ରିମ କୋର୍ଟରେ ସରକାରଙ୍କ ସତ୍ୟପାଠ

49

କନକ ବ୍ୟୁରୋ: ୩ ଲକ୍ଷରୁ ଊର୍ଦ୍ଧ୍ୱ ରୋହିଙ୍ଗ୍ୟା ଶରଣାର୍ଥୀ ଏବେ ମିଆଁମାରରୁ ଚାଲିଯାଇ ବାଂଲାଦେଶରେ ଆଶ୍ରୟ ନେଇଥିବାରୁ ବାଂଲାଦେଶ ଉପରେ ବୋଝ ବଢିଯାଇଛି । ତେବେ ବାଂଲାଦେଶକୁ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଉଦ୍ଦେଶ୍ୟରେ ଭାରତ ଏହାର ପ୍ରଥମ ପର୍ଯ୍ୟାୟ ରିଲିଫ୍ ସହଯୋଗ ଦେଇଥିବାବେଳେ ଗତକାଲି ବାଂଲାଦେଶକୁ ଅଧିକ ସହଯୋଗ ଦେବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି ।

ସୁଷମା କହିଛନ୍ତି ଯେ, ଭାରତ ମିଆଁମାରକୁ ଏହାର ରୋହିଙ୍ଗ୍ୟା ମୁସଲିମ୍ ଶରଣାର୍ଥୀଙ୍କୁ ଫେରାଇନେବାଲାଗି ଉଭୟ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ଭାବେ ଚାପ ପ୍ରୟୋଗ କରୁଛି ଏବଂ ଏଥିସହ ରୋହିଙ୍ଗ୍ୟା ପ୍ରସଙ୍ଗକୁ ନେଇ ବାଂଲାଦେଶକୁ ଭାରତର ପୂର୍ଣ୍ଣ ସହଯୋଗ ମିଳିବ ବୋଲି ସେ କହିଛନ୍ତି । ସୁଷମା କହିଛନ୍ତି ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ବାଂଲାଦେଶ ଯେମିତି ଅସୁବିଧା ସାମ୍ନା କରିଛି ଭାରତ ମଧ୍ୟ ସମାନ ପରିସ୍ଥିତି ସାମ୍ନା କରୁଛି ଏବଂ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ।

ରୋହିଙ୍ଗ୍ୟା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଥିବାବେଳେ ସେପ୍ଟେମ୍ବର ୧୮ ତାରିଖ ଦିନ କେନ୍ଦ୍ର ସର୍ବୋଚ୍ଚ ନ୍ୟାୟାଳୟରେ ରୋହିଙ୍ଗ୍ୟା ପ୍ରସଙ୍ଗ ନେଇ ସତ୍ୟପାଠ ଦାଖଲ କରିବ ବୋଲି ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ଭାରତରେ ସୁରକ୍ଷା ଦିଗ ପ୍ରତି ବିପଦ ରହିଥିବା ଦୃଷ୍ଟିରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ରୋହିଙ୍ଗ୍ୟା ମୁସଲିମଙ୍କୁ ଚିହ୍ନଟ କରିବା ସହ ବିତାଡ଼ିତ କରିବା ନିର୍ଦ୍ଦେଶ ଦେବାପରେ ଏହାକୁ ଦୁଇଜଣ ରୋହିଙ୍ଗ୍ୟା ଶରଣାର୍ଥୀ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ ।

ୟୁନାଇଟେଡ୍ ନେସନ୍ସ ହାଇ କମିସନ ଅଫ ରିଫ୍ୟୁଜିସ (ୟୁଏନଏଚସିଆର) ଅଧିନରେ ପଞ୍ଜିକୃତ ହୋଇଥିବା ଦୁଇ ଶରଣାର୍ଥୀ ମୋହମ୍ମଦ୍ ସଲିମୁଲ୍ଲା ଏବଂ ମୋହମ୍ମଦ୍ ଶାକିର ସେମାନଙ୍କୁ ଦେଶକୁ ବିତାଡିତ କରିବା ଯୋଜନାକୁ ଚାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ଆଧାର କରି କେନ୍ଦ୍ରକୁ ଏଥିନେଇ ସତ୍ୟପାଠ ଦାଖଲ କରିବାକୁ କହିଥିଲେ । ଅଗଷ୍ଟ ୯ ତାରିଖରେ ସଂସଦରେ ପ୍ରକାଶ ହୋଇଥିବା ରିପୋର୍ଟରେ ସରକାର କହିଥିଲେ ଯେ, ୧୪,୦୦୦ରୁ ଊର୍ଦ୍ଧ୍ୱ ରୋହିଙ୍ଗ୍ୟା ୟୁଏନଏଚସିଆର ଅଧିନରେ ପଞ୍ଜିକୃତ ହୋଇ ଭାରତରେ ରହୁଥିବାବେଳେ ପାଖାପାଖି ୪୦,୦୦୦ ରୋହିଙ୍ଗ୍ୟା ଭାରତରେ ବେଆଇନ ଭାବେ ଆଶ୍ରୟ ନେଇଛନ୍ତି ।