ପୁଣି ନୂଆ ବିଧାୟକ ପ୍ରାର୍ଥୀ ଦେଖିଲା ଭୁବନେଶ୍ୱର ଉତ୍ତର । ୩ଟି ନିର୍ବାଚନରେ ୩ଥର ପ୍ରାର୍ଥୀ ବଦଳାଇଲା ବିଜେଡି, ଏଥର ସୁଶାନ୍ତଙ୍କୁ ସାମ୍ନା କରିବେ ଅପରାଜିତା ।

422

କନକ ବ୍ୟୁରୋ: ପୁଣି ବଦଳିଲା ଭୁବନେଶ୍ୱର ଉତ୍ତର ବିଜେଡି ପ୍ରାର୍ଥୀ । ତିନୋଟି ନିର୍ବାଚନରେ ବଦଳିଲା ବିଜେଡି ବିଧାୟକ ପ୍ରାର୍ଥୀ । ପ୍ରିୟଦର୍ଶୀଙ୍କ ଟିକେଟ୍ କଟିଲା ନୂଆ ମୁହଁକୁ ଭରସିଲେ ବିଜେଡି ସୁପ୍ରିମୋ । ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ଶେଷରେ ବିଜେଡି ସୁପ୍ରିମୋ ଏହି ବିଧାନସଭା କ୍ଷେତ୍ର ପାଇଁ ସୁଶାନ୍ତ ରାଉତଙ୍କୁ ଟିକେଟ୍ ଦେଇଛନ୍ତି । ତେବେ ତୃତୀୟ ଥର ପାଇଁ ଏହି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଦଳାଇଛି ବିଜେଡି । ବର୍ତ୍ତମାନର ବିଧାୟକ ପ୍ରିୟଦର୍ଶୀଙ୍କୁ ଟିକେଟ୍ ତାଲିକାରୁ ବାଦ୍ କରି ଉତ୍ତର ବିଜେଡିର ମଙ୍ଗ ସୁଶାନ୍ତ ରାଉତଙ୍କୁ ଧରାଇଛନ୍ତି ବିଜେଡି ସୁପ୍ରିମୋ ।

୨୦୦୯ରେ ଗଠନ ହୋଇଥିବା ଏହି ନିର୍ବାଚନ ମଣ୍ଡଳୀ ଏଯାବତ୍ ଦୁଇଟି ନିର୍ବାଚନ ଦେଖିଥିଲେ ମଧ୍ୟ ଏଥିରେ ବିଜେଡି ଦୁଇଥର ବିଜୟ ତିଳକ ପିନ୍ଧିଛି । ୨୦୦୯ ନିର୍ବାଚନରେ ଏଠାରେ ବିଜେଡି ପ୍ରାର୍ଥୀ ଭାଗୀରଥି ବଡ଼ଜେନା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଗୋଲକ ମହାପାତ୍ରଙ୍କୁ ପରାସ୍ତ କରିଥିଲେ । ତେବେ ୨୦୧୪ରେ ତିନି ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ । ବିଜେଡି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଦିଲ୍ଲୀପ ମହାନ୍ତିଙ୍କୁ ୪୮ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ । କିନ୍ତୁ ଚଳିତଥର ବିଜେଡି ସୁପ୍ରିମୋ ପ୍ରିୟଦର୍ଶୀଙ୍କୁ ବାଦ୍ ଦେଇ ସୁଶାନ୍ତଙ୍କୁ ଉତ୍ତର ଭୁବନେଶ୍ୱର ମଙ୍ଗ ଧରାଇଛନ୍ତି ।

ସେପଟେ ଗତ ଦୁଇଟି ନିର୍ବାଚନରେ ବିଜେଡିର ପ୍ରମୁଖ ପ୍ରତିଦ୍ୱନ୍ଦୀ ରହିଥିବା ବିଜେପି ମଧ୍ୟ ଏହି ଆସନକୁ କବଜା କରିବାକୁ ଏଥର ପ୍ରାର୍ଥୀ ବଦଳାଇଛି । ଆଉ ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ । ତେବେ ଅପରାଜିତା ଗତଥର କଂଗ୍ରେସ ତରଫରୁ ଟିକେଟ୍ ପାଇ କଟକ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ଏହାପରେ ବିଜେପିରେ ସାମିଲ ହେବାପରେ ତାଙ୍କୁ ବିଜେପି ଏହି ଆସନରୁ ଟିକେଟ୍ ଦେଇଛି । ଏବେ ବିଜେଡି ମଧ୍ୟ ତାଙ୍କ କାର୍ଡ଼ ଖୋଲିଛି ଆଉ ଅପରାଜିତାଙ୍କୁ କଡ଼ା ଟକ୍କର ଦେବା ପାଇଁ ସୁଶାନ୍ତଙ୍କୁ ଭରସି ଟିକେଟ୍ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।