କଳାହାଣ୍ଡିରେ ପିଆଜ ଅଭାବୀ ବିକ୍ରି ପ୍ରସଙ୍ଗ ! ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା,ସଂରକ୍ଷଣ ପାଇଁ ବ୍ୟବସ୍ଥା ନଥିବାରୁ ଦଲାଲଙ୍କ ଶିକାର ହେଉଛନ୍ତି ଚାଷୀ

30

କନକ ବ୍ୟୁରୋ : କଳାହାଣ୍ଡିରେ ପିଆଜର ଅଭାବି ବିକ୍ରି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । କହିଛନ୍ତି ଅମଳ ଅଧିକ ହୋଇଥିବା ବେଳେ ସଂରକ୍ଷଣ ପାଇଁ ବ୍ୟବସ୍ଥା ନଥିବାରୁ ଚାଷୀ ଅଳ୍ପ ଟଙ୍କାରେ ନିଜ ଉତ୍ପାଦିତ ପିଆଜକୁ ବିକ୍ରି କରୁଛି । ଆଳୁ ପାଇଁ ଯେଉଁଭଳି କୋଲଷ୍ଟୋର କରାଯାଇଛି ପିଆଜ ପାଇଁ ସେଭଳି କିଛି ବ୍ୟବସ୍ଥା ନଥିବା କଥା ମନ୍ତ୍ରୀ ସ୍ୱୀକାର କରିଛନ୍ତି ।

ଏଥିପାଇଁ ସେ ପରୋକ୍ଷରେ ଉଦ୍ୟାନ କୃଷି ବିଭାଗକୁ ଦାୟୀ କରିଛନ୍ତି । ଗତ ବର୍ଷ ବାହାର ରାଜ୍ୟରୁ ଅଧିକ ଟଙ୍କାରେ ପିଆଜ ଆମଦାନି କରିଥିବାରୁ ଚଳିତ ବର୍ଷ ଉଦ୍ୟାନ ବିଭାଗ ଅଧିକ ପିଆଜ ଚାଷ କରିଛନ୍ତି । ହେଲେ ଅମଳ ହୋଇଥିବା ପିଆଜ ରଖିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଫଳରେ ଚାଷୀ ଦଲାଲାର ଶିକାର ହୋଇ ମାତ୍ର ୫ ଟଙ୍କାରେ ପିଆଜ ବିକୁଛନ୍ତି ।

କୃଷିମନ୍ତ୍ରୀ ଦାମୋଦର ରାଉତ ମଧ୍ୟ କଳାହାଣ୍ଡି ପିଆଜର ଅଭାବି ବିକ୍ରି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି, ପୂର୍ବରୁ ବଲାଙ୍ଗିରରୁ ପିଆଜ ଅଭାବି ବିକ୍ରିର ଖବର ଆସିଥାଏ । ହେଲେ ଚଳିତ ବର୍ଷ କଳାହାଣ୍ଡିରୁ ପିଆଜର ଅଭାବି ବିକ୍ରି ଖବର ଆସିଥିବା ତାଙ୍କୁ ଜଣାନାହିଁ ।

କଳାହାଣ୍ଡି ଚାଷୀ ପିଆଜ ଅଭାବି ବିକ୍ରିର ଶିକାର ହେବା ନେଇ ଜିଲ୍ଲା ମାର୍କେଟିଂ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ । ସେ ଯାହା ବି ହେଉନା କାହିଁକି କୃଷି ମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ, ରାଜ୍ୟରେ ପ୍ରତିବର୍ଷ ଚାଷୀ ପିଆଜ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି ।