ପଦ ଗଲା ପରେ ବି ଯାଉନି ପୂର୍ବତନ ବିଧାୟକଙ୍କ କ୍ୱାର୍ଟର ପ୍ରୀତି । ୨୬ ବିଧାୟକଙ୍କୁ ବାଚସ୍ପତିଙ୍କ ତାଗିଦ, ତୁରନ୍ତ ଛାଡ଼ ସରକାରୀ କ୍ୱାଟର୍ସ, ନହେଲେ କଟିବ ବିଜୁଳି ଓ ପାଣି ସଂଯୋଗ ।

373

କନକ ବ୍ୟୁରୋ : ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ୍ । ବିଧାୟକ ପଦ ଯାଇଥିଲେ ବି ଘର ଛାଡିନଥିବା ବିଧାୟକଙ୍କୁ ତୁରନ୍ତ କ୍ୱାଟର୍ସ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ଏପରିକି ସରକାରୀ ବାସଭବନ ନ ଛାଡିଲେ ବିଜୁଳି ଓ ପାଣି ସଂଯୋଗ କଟାଯିବ ବୋଲି କହିଛନ୍ତି ବାଚସ୍ପତି । ପୂର୍ବତନ ବିଧାୟକମାନେ ଘର ଛାଡିଲେ, ନୂଆ ବିଧାୟକମାନଙ୍କୁ ଘର ମିଳିବ । ବେଆଇନ ଭାବେ ୨୬ ଜଣ ପୂର୍ବତନ ବିଧାୟକ ସରକାରୀ ଘର ମାଡି ବସିଥିବା ଜଣାପଡିଥିଲା ।

‘ସରକାରୀ କ୍ୱାର୍ଟର ଛାଡ଼ନ୍ତୁ ପୂର୍ବତନ ବିଧାୟକ’ । ‘ନହେଲେ ବନ୍ଦ ହେବ ପାଣି ଓ ବିଜୁଳି’ । ଏଭଳି କିଛି ତାଗିଦ୍ କରିଛନ୍ତି ବାଚସ୍ପତି । ଯେତେବେଳେ ସିଧାସଳଖ ସରକାରୀ ବାସଭବନ ଛାଡ଼ିବା ପାଇଁ ବାଚସ୍ପତି ତାଗିଦ୍ କରିଛନ୍ତି, ସେତେବେଳେ ସ୍ୱାଭାବିକ ଭାବରେ ପ୍ରଶ୍ନ ଆସୁଛି, କେଉଁମାନେ ସେହି ପୂର୍ବତନ ବିଧାୟକ ଯେଉଁମାନେ ସରକାରୀ କ୍ୱାର୍ଟର ମାଡ଼ି ବସିଛନ୍ତି । ସଂଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂଦେଓ, ପ୍ରବୀଣ ଭଞ୍ଜଦେଓ, ବିଜୟଶ୍ରୀ ରାଉତରାୟ, ପ୍ରଭାତ ତ୍ରିପାଠୀ, ଦାମୋଦର ରାଉତ, ବସନ୍ତ ପଣ୍ଡା, ନିତେଶ ଗଙ୍ଗଦେବ ଏବଂ ମହେଶ ସାହୁଙ୍କ ଭଳି ମୋଟ୍ ୨୬ ଜଣ ପୂର୍ବତନ ବିଧାୟକ ଏଯାଏଁ ସରକାରୀ ବାସଭବନ ଛାଡ଼ି ନାହାଁନ୍ତି । ଏହି ୨୬ ଜଣିଆ ତାଲିକାରେ ପୂର୍ବତନ ମନ୍ତ୍ରୀ, ସାଂସଦ ନିର୍ବାଚିତ ହୋଇଥିବା ପୂର୍ବତନ ବିଧାୟକ, ଏମିତି କି ବିଜେପିର ରାଜ୍ୟ ସଭାପତି ପ୍ରମୁଖ ମଧ୍ୟ ରହିଛନ୍ତି ।

ପୂର୍ବତନ ବିଧାୟକ କ୍ୱାର୍ଟର ଛାଡ଼ୁ ନାହାଁନ୍ତି । ନୂଆ ବିଧାୟକଙ୍କୁ କ୍ୱାର୍ଟର ମିଳିପାରୁନାହିଁ । ଏଭଳି ସ୍ଥିତିରେ ବିଧାନସଭା ଅତିଥି ଭବନ ଏବେ ୧୬ ଜଣ ନବ ନିର୍ବାଚିତ ବିଧାୟକଙ୍କ ଠିକଣା ସାଜିଛି । ସରୋଜ ମେହେର, ପ୍ରଦୀପ୍ତ ନାୟକ, କୁସୁମ ଟେଟେ, ମୌସଧୀ ଦାସଙ୍କ ଭଳି ୧୬ ଜଣ ବିଧାୟକ ଏବେ ବିଧାନସଭା ଅତିଥି ଭବନରେ ରହୁଛନ୍ତି । ସେହିପରି ରାଜ୍ୟ ଅତିଥି ଭବନ ପାଲଟିଛି ଆଉ କିଛି ବିଧାୟକଙ୍କ ଅସ୍ଥାୟୀ ଠିକଣା ।

ଗୋଟିଏ ପଟେ ପୂର୍ବତନ ବିଧାୟକ ସରକାରୀ ବାସଭବନ ଛାଡୁ ନଥିବା ବେଳେ ଆଉ ଗୋଟିଏ ପଟେ ସରକାରୀ କ୍ୱାର୍ଟରକୁ ଅନେଇ ବସିଛନ୍ତି ଅନେକ ବିଧାୟକ । ଆଉ ଏସବୁ ଭିତରେ ଏମିତି ଅନେକ ବିଧାୟକ ଅଛନ୍ତି, ଯାହାଙ୍କୁ କ୍ୱାର୍ଟର ଆଲର୍ଟ ହୋଇଥିଲେ ସୁଦ୍ଧା, ପୂର୍ବତନ ବିଧାୟକ ଛାଡ଼ି ନଥିବାରୁ ନିଜ ଠିକଣା ବଦଳାଇ ପାରୁନାହାଁନ୍ତି ।