ପୋଲାଭରମ ପ୍ରକଳ୍ପ ଦ୍ୱାରା କ୍ଷୟକ୍ଷତିର ଆକଳନ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ :ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କ ଦ୍ୱାରା ମୋଟୁ ଅଂଚଳର ୨୦ଟି ଗାଁରେ ଚାଲିଛି ଅନୁଧ୍ୟାନ

42

କନକ ବ୍ୟୁରୋ : ଗୋଟିଏ ପଟେ ମହାନଦୀ ବିବାଦ, ଅନ୍ୟପଟେ ପୋଲାଭରମ ପ୍ରକଳ୍ପ । ପଶ୍ଚିମରେ ଛତିଶଗଡ ତ ଦକ୍ଷିଣରେ ଆନ୍ଧ୍ରର ଦାଦାଗିରି । ଉଭୟ ମହାନଦୀ ଓ ପୋଲାଭରମ ପ୍ରକଳ୍ପକୁ ନେଇ ଓଡିଶାର କ୍ଷତି ହେବ କୁହାଯାଉଥିଲେ ମଧ୍ୟ ପ୍ରକୃତରେ କେତେ କ୍ଷତି ହେବ ସେ ନେଇକୌଣସି ନିର୍ଦ୍ଧିଷ୍ଟ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନଥିଲା । ଏହାକୁ ଆଖି ଆଗରେ ରଖି ପୋଲାଭରମ ପ୍ରକଳ୍ପ ଦ୍ୱାରା କେତେ କ୍ଷତି ହେବ ସେ ନେଇ ସର୍ଭେ କାମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପୋଲାଭରମ ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲ୍ଲାରେ ପ୍ରକୃତ କ୍ଷୟକ୍ଷତି ଆକଳନ କରିବା ପାଇଁ ବିଧିବଦ୍ଧ ସର୍ଭେ ଆରମ୍ଭ ହୋଇଛି ।

ମାଲକାନଗିରି ଜିଲ୍ଳା ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ତତ୍ୱାବଧାନରେ ୨୦ଜଣ ସଦସ୍ୟଙ୍କୁ ନେଇ ୪ଟି ଟିମ୍ ଗଠନ କରି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ୨୦ ଦିନ ଧରି ଏହି ସର୍ଭେ ଚାଲିବ । ମୋଟୁ ଅଂଚଳର ୨୦ଟି ଗାଁରେ ଅନୁଧ୍ୟାନ କରୁଛନ୍ତି ଅନୁଧ୍ୟାନକାରୀ ଦଳ । ପୂର୍ବରୁ ମାଲକାନଗିରି ମୋଟୁ ଅଂଚଳର ୩ଟି ଗ୍ରାମପଂଚାୟତର ୨୦ରୁ ୨୫ଟି ଗାଁ ଜଳ ମଗ୍ନ ହେବ ବୋଲି ବିଭିନ୍ନ ସଂଗଠନ ଦାବି କରି ଆସୁଛନ୍ତିି । ଏହା ଦ୍ୱାରା ୨୦ରୁ ୨୫ ହଜାର ହେକ୍ଟର ଜଙ୍ଗଲ ଓ ଚାଷ ଜମି ଜଳମଗ୍ନ ହେବ ବୋଲି ମଧ୍ୟ କୁହାଯାଉଥିଲା । ପୋଲାଭରମ ପ୍ରକଳ୍ପ ଦ୍ୱାରା ରାଜ୍ୟର କେତେ କ୍ଷତି ହେବ ଏହି ସର୍ଭେରୁ ସ୍ପଷ୍ଟ ହୋଇପାରେ ।