ବନ୍ଧୁକ ଛାଡି ଧରିଲେ ଅଟୋ ଷ୍ଟିଅରିଂ ! ମାଓ ନେତା ସୂର୍ଯ୍ୟ ଓରଫ୍ ରାମା କାୱାସୀଙ୍କ ସ୍ୱାଭିମାନର କାହାଣୀ…

86

କନକ ବ୍ୟୁରୋ : ଟପ ମାଓ ନେତାଙ୍କ ହାତରେ ଅଟୋ ଷ୍ଟିଅରିଙ୍ଗ । ଅଟୋମେଟଡ ବନ୍ଧୁକ ଧରି ଜଙ୍ଗଲରେ ରାଜ କରୁ ଥିବା ଟପ୍ ମାଓ ନେତା ସୁର୍ଯ୍ୟ ଓରଫ ଅଶୋକ ଏବେ ଅଟୋ ଚାଳକ । ଦୁଇ ବର୍ଷ ତଳେ ସୂର୍ଯ୍ୟ ଓ ତାଙ୍କ ସ୍ତ୍ରୀ ମାଓ ନେତ୍ରୀ ମାଳତୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ପରେ ସେମାନେ ଆନ୍ଧ୍ରରେ କୁଲି କାମ କରି ପେଟ ପୋଷୁଥିଲେ । ଆଉ ଏବେ ବ୍ୟାଙ୍କରୁ ରୁଣ ଆଣି ଏକ ଅଟୋ କିଣି ବେଶ ଦୁଇ ପଇସା ରୋଜଗାର କରି ସ୍ୱାଭିମାନ ସହ ବଂଚୁଛନ୍ତି । ଦେଖିବା ମାଓ ନେତାଙ୍କ ସ୍ୱାଭିମାନର କାହାଣୀ ।

୨ ବର୍ଷ ତଳେ ମାଥିଲି ଥାନା ମହୁପଦର ଜଙ୍ଗଲରେ ହାତରେ ଅତ୍ୟାଧୁନିକ ଇନ୍ସାସ ବନ୍ଧୁକ ଧରି ଜନତାଙ୍କ ଗହଣରେ ଉପସ୍ଥିତ ଥିଲେ ସୂର୍ଯ୍ୟ । ସୁର୍ଯ୍ୟଙ୍କ ନାଁ ଶୁଣିବା ମାତ୍ରେ ଥରି ଉଠୁଥିଲା ପୁରା ବୌପାରିଗୁଡା ସମେତ ମହୁପଦର ଅଂଚଳ । ଏ.କେ ୪୭ ଓ ଇନ୍ସାସ ବନ୍ଧୁକ ଧରୁଥିବା ହାତରେ ଏବେ ଅଟୋ ଷ୍ଟିଅରିଙ୍ଗ । ୨୦ରୁ ଅଧିକ ହତ୍ୟାକାଣ୍ଡରେ ସମ୍ପୃକ୍ତ ମାଓନେତା ଏବେ କିଛି ପଇସାରେ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଇବାର ଦାୟିତ୍ୱ ତୁଲାଉଛନ୍ତି । ଆଉ ଲାଲଗଡ ଛାଡି ସମାଜର ମୁଖ୍ୟସ୍ରୋତ ସହ ଯୋଡି ହେବା ପାଇଁ ଅନ୍ୟ ସାଥୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

୨୦୧୭ ମସିହା ଜୁନ୍ ମାସରେ ତତ୍କାଳିନ ମାଲକାନଗିରି ଏସ.ପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ଏମ.କେ.ଭି ଡିଭିଜନାଲ କମିଟିର ସଦସ୍ୟ ସୂର୍ଯ୍ୟ ଓରଫ ରାମା କାଓାସୀ । ପତ୍ନୀ ମାଓ ନେତ୍ରୀ ମାଳତି ଓରଫ ୱେଲି ମାଡକାମୀ ମଧ୍ୟ ଆତ୍ମସମର୍ପଣ କରିଥିଲେ । ଆତ୍ମସମର୍ପଣ ପରେ ଉଭୟ ସ୍ୱାମୀ- ସ୍ତ୍ରୀ ଆନ୍ଧ୍ରରେ କୁଲି କାମ କରି ପେଟ ପୋଷୁଥିଲେ । ଏବେ ବ୍ୟାଙ୍କରୁ ରୁଣ ଆଣି ଏକ ଅଟୋ କିଣିଛନ୍ତି ସୂର୍ଯ୍ୟ ।

ସୂଚନାଯୋଗ୍ୟ ମାଲକାନଗିରି କାଲିମେଳା ଥାନା ବଡିଗେଟା ଗାଁର ସୂର୍ଯ୍ୟ ୨୦୦୦ ମସିହାରେ ଜିଲ୍ଲାର ପ୍ରଥମ ଓଡିଆ କ୍ୟାଡର ଭାବେ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ । ମୋଟୁ, କାଲିମେଳା, ଚିତ୍ରକୋଣ୍ଡା ଅଂଚଳରେ ଲାଲ୍ ସଙ୍ଗଠନକୁ ମଜବୁତ କରିଥିଲେ ।୨୦ରୁ ଅଧିକ ହତ୍ୟାକାଣ୍ଡ ଓ ବିସ୍ଫୋରଣରେ ସାମିଲ ଥିଲେ । ୨୦୦୮ ତେଲେରାଇ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨୦୧୬ ରାମଗୁଡାରେ ୨ ବି.ଏସ.ଏଫ ଯବାନଙ୍କୁ ହତ୍ୟାର ମାଷ୍ଟର ମାଇଣ୍ଡ । ଆତ୍ମସମର୍ପଣ ପୂର୍ବରୁ ୪ ବର୍ଷ ଧରି କୋରାପୁଟ ବୌପାରୀଗୁଡା ଦଳମର ମୁଖ୍ୟ ଦାୟିତ୍ୱ ତୁଳାଇଛନ୍ତି । ଅଶୋକ ଆନ୍ଧ୍ର ଓଡିଶା ବର୍ଡର ଯୋନାଲ କମିଟି ଏମ୍.କେ.ଭି.ବି ଡିଭିଜନରେ ଡି.ଏସ୍.ଏମ୍ କ୍ୟାଡର ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ମାଓନେତ୍ରୀ ମାଳତୀ ୨୦୦୬ରୁ ଲାଲ ସଂଗଠନରେ ଏରିଆ କମିଟି ସଦସ୍ୟ ଭାବେ ସକ୍ରୀୟ ଥିଲେ ।ତାଙ୍କ ନାଁରେ ମଧ୍ୟ ୪ଲକ୍ଷ ଟଙ୍କାର ପୁରସ୍କର ଥିଲା ।