ମାଓ ସଂଗଠନକୁ ଝଟକା ! ଆତ୍ମସମର୍ପଣ କଲେ ମାଓ ଦମ୍ପତି

37

କନକ ବ୍ୟୁରୋ : ମାଓ ସଂଗଠନକୁ ଝଟକା । କେନ୍ଦ୍ରୀୟ କମିଟି ସଦସ୍ୟର ମାଓ ଦଂପତି ନରସୀମା ରେଡ୍ଡୀ ଓରଫ ଜାମ୍ପାନା ଓ ରଜିତା ଆତ୍ମସମର୍ପଣ କରିଛନ୍ତି । ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟିର ସଚିବ ଥିଲେ ଜାମ୍ପାନା । ଜାମ୍ପାନାଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କାର ପୁରସ୍କାର ଥିଲା । ତେଲେଙ୍ଗାନା ପୁଲିସ ନିକଟରେ ଏହି ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି । ଆଜି ହାଇଦ୍ରାବାଦ ଡିଜିଙ୍କ ନିକଟରେ ଆନୁଷ୍ଠାନିକ ଭାବେ ଆତ୍ମସମର୍ପଣ କରିବେ ମାଓ ଦମ୍ପତି ।

ଅନ୍ୟପଟେ ମାଲକନାଗିରି ଜିଲ୍ଲାରେ ଫେରିଛି ଲାଲ ଭୟ । କାୟା ବିସ୍ତାର କରି ଚାଲିଛନ୍ତି ମାଓବାଦୀ । ଦୁଇ ଦୁଇଟି ଠିକା କମ୍ପାନୀ ଉପରେ ଆକ୍ରମଣ କରି ୧୨ଟି ଗାଡି ପୋଡିବା ସହ ଦୁଇଟି ଭିନ୍ନ୍ ଭିନ୍ନ ଘଟଣାରେ ଦୁଇ ଜଣକୁ ହତ୍ୟା କରିଛି ଲାଲବାହୀନି । ଜିଲ୍ଲାର ଦୁର୍ଗମ ଅଂଚଳରେ ଚାଲି ଥିବା ରାସ୍ତା ନିର୍ମାଣ ଓ ଉନ୍ନୟନ ମୁଳକ କାମ ଏବେ ଠପ ହୋଇଯାଇଛି । ଠିକାଦାରମାନେ ମାଓ ଆକ୍ରମଣରେ ଭୟଭିତ ହୋଇଯାଇଥିବା ବେଳେ ଏବେ ଜିଲ୍ଲାରେ ଥମି ଯାଇଛି ବିକାଶର ଗତି । ଠପ ପଡିଛି ନିର୍ମାଣ କାମ । ଆଉ ଗଡୁନି ରୋଡ ରୋଲର କି ଜେ.ସି.ବି । ଗତ ସୋମବାର ଦିନ ବଣ୍ଡାଘାଟିରେ ଠିକା କ୍ୟାମ୍ପ ଉପରେ ଆକ୍ରମଣ କରି ଆଠଟି ଯାନବାହନ ଓ ପ୍ରୋକଲିନ-ଜେ.ସି.ବି ପୋଡି ଦେଇଥିଲେ ମାଓବାଦୀ । ପରେ ମଙ୍ଗଳବାର ଦିନ ମହୁପଦର ଜନ୍ଦ୍ରାଗୁଡାରେ ଜଣଙ୍କୁ ହତ୍ୟା କରିବା ସହ ବୁଧବାର ଦିନ ନାକାମାମୁଡି-ପିପଲପଦର ଠିକା କ୍ୟାମ୍ପରେ ଆକ୍ରମଣ କରିଥିଲା ଲାଲବାହିନୀ ।

ରାସ୍ତା ନିର୍ମାଣ କାମରେ ଲାଗି ଥିବା ୪ଟି ଗାଡି ପୋଡିବା ସହ ଜଣଙ୍କୁ ହତ୍ୟା କରିଥିଲେ ମାଓବାଦୀ । ଲାଲବାହିନୀର ସିରିଏଲ ଆକ୍ରମଣ ପରେ ଜିଲ୍ଲାର ଠିକାଦାରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଦୁର୍ଗମ ଅଂଚଳର ରାସ୍ତା ନିର୍ମାଣ କାମରେ ଲାଗିଥିବା ଜେ,ସି.ବି, ପ୍ରୋକଲିନ, ଟ୍ରିପର ଗୁଡିକ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନରେ ରଖୁଛନ୍ତି ଠିକାଦାର । ଏଥିପାଇଁ ପରୋକ୍ଷରେ ବିଭାଗିୟ ଆଧିକାରୀଙ୍କ ନିର୍ଦେଶ ଥିବା ଜଣାପଡିଛି । ତେବେ ଏନେଇ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିବାକୁ ନାରାଜ ଠିକାଦାର ଓ କମ୍ପାନୀ କର୍ତ୍ତୃପକ୍ଷ ।