ସ୍କ୍ରିନିଂ କମିଟି ସାମ୍ନାରେ ସୁର କହିଲେ ମୁଁ ଡ୍ୟୁଟିରେ ଅଛି । ଏଥର ଜିତିବି, କାହା ସନ୍ଦେହ ନାହିଁ ।

୨୦୧୯ରେ ନିଜ କ୍ୟାରିୟରର ଶେଷ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତେଣୁ ସିମ୍ପାଥୀ ଭୋଟ ସହ ଶେଷ ଥର ପାଇଁ ତାଙ୍କୁ ସୁଯୋଗ ଦେବାକୁ ଭୋଟରଙ୍କୁ ଅପିଲ କରିପାରନ୍ତି ଏହି ଭେଟେରାନ ଲିଡର । ଯାହା ତାଙ୍କ ପଲ୍ଲାକୁ ଭାରି କରିପାରେ ବୋଲି କୁହାଯାଉଛି ।

485

କଂଗ୍ରେସରେ କିଏ ପାଇବେ ଟିକେଟ, ସେନେଇ କସରତ ଚାଲିବା ଭିତରେ ଆଜି ଭୁବନେଶ୍ୱର ଓ କଟକ ସଂସଦୀୟ କ୍ଷେତ୍ର ଓ ଏହା ଅଧୀନରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଜ ଦାବି ଜାହିର କରିଛନ୍ତି କଂଗ୍ରେସ ନେତା । ୱାନ ଟୁ ୱାନ ସମସ୍ତଙ୍କ ସହ ଆଲୋଚନା କରୁଥିଲେ ସ୍କ୍ରିନିଂ କମିଟି ଅଧ୍ୟକ୍ଷ । ଯେଉଁଥିରେ ପ୍ରାଥୀଙ୍କୁ ପଚରା ଯାଉଥିଲା କିଛି ନିର୍ଦ୍ଦିଷ୍ଟ ପ୍ରଶ୍ନ । ଯାହାର ଉତ୍ତର ପ୍ରାର୍ଥୀ ରଖିବା ସହ ବାୟୋଡାଟା ମାଧ୍ୟମରେ ନିଜ ପାଇଁ ଯୁକ୍ତି ଉପସ୍ଥାପନ କରୁଥିଲେ ।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ନିଜ ଦାବି ଜାହିର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କହିଛନ୍ତି, ୧୦୦ ପ୍ରତିଶତ ଇଛା ଅଛି ଜଟଣୀରୁ ନିର୍ବାଚନ ଲଢିବି ଆଉ ଜିତିବି ମଧ୍ୟ । ସ୍କ୍ରିନିଂ କମିଟି ସାମ୍ନାରେ ନିଜ ପାଇଁ ଯୁକ୍ତି କରି ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ଡ୍ୟୁଟିରେ ସର୍ବଦା ପ୍ରସ୍ତୁତ ରହିଛି ।

୨୦୧୪ରେ ଜଟଣୀ ନିର୍ବାଚନ ମଣ୍ଡଳୀରୁ ଲଢି ୫୫ ହଜାର ୨୧୯ ଭୋଟ ପାଇଥିଲେ ସୁରେଶ ରାଉତରାୟ । ବିଜେଡି ପ୍ରାର୍ଥୀ ଭାଗିରଥୀ ବଡଜେନାଙ୍କ ଠାରୁ ୫ ହଜାର ୭୪୭ ଭୋଟରେ ପରାସ୍ତ ହୋଇଥିଲେ । ବଡ କଥା ହେଉଛି, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧୀନରେ କଂଗ୍ରେସ ପ୍ରାର୍ଥୀ ଭାବେ ସବୁଠାରୁ ଅଧିକ ଭୋଟ ପାଇଥିଲେ ସୁରେଶ ରାଉତରାୟ । ଅର୍ଥାତ୍ ନିଜ ସଂଗଠନକୁ ଆୟୁଧ କରି ୨୦୧୯ରେ ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ସୁରେଶ ରାଉତରାୟ ।

୨୦୦୯ରେ ମଧ୍ୟ ସୁରେଶ ରାଉତରାୟ ଜଟଣୀ ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ତାଙ୍କୁ ମିଳିଥିଲା ୪୦ ହଜାର ୬୪୮ ଭୋଟ । ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କ ଠାରୁ ସେ ପରାସ୍ତ ହୋଇଥିଲେ । କୁହାଯାଉଛି, ସୁର ରାଉତରାୟ ୨୦୧୯ରେ ନିଜ କ୍ୟାରିୟରର ଶେଷ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତେଣୁ ସିମ୍ପାଥୀ ଭୋଟ ସହ ଶେଷ ଥର ପାଇଁ ତାଙ୍କୁ ସୁଯୋଗ ଦେବାକୁ ଭୋଟରଙ୍କୁ ଅପିଲ କରିପାରନ୍ତି ଏହି ଭେଟେରାନ ଲିଡର । ଯାହା ତାଙ୍କ ପଲ୍ଲାକୁ ଭାରି କରିପାରେ ବୋଲି କୁହାଯାଉଛି ।

ଖାଲି ନିଜ ପାଇଁ ଦାବି ଉପସ୍ଥାପନ କରିନାହାନ୍ତି ବରଂ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ୩ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାଁ ସେ ସ୍କ୍ରିନିଂ କମିଟି ସାମ୍ନାକୁ ଆଣିଛନ୍ତି । ଖୋର୍ଦ୍ଧା, ଚିଲିକା, ବେଗୁନିଆ, ଜୟଦେବ, ଜଟଣୀ ସମେତ ଭୁବନେଶ୍ୱର ଲୋକସଭା ଆସନ ପାଇଁ ୩ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାଁକୁ ସେ ସୁପାରିଶ କରିଛନ୍ତି ।

ଯେଉଁମାନେ ୩ ଥର ନିର୍ବାଚନ ହାରିଛନ୍ତି, ସେମାନଙ୍କୁ ଟିକେଟ ନଦେବାକୁ ରାହୁଲ ଗାନ୍ଧୀ ନିର୍ଣ୍ଣୟ କରିଥିବା ଚର୍ଚ୍ଚା ଭିତରେ ସୁରେଶ ରାଉତରାୟ କହିଛନ୍ତି, ଯେଉଁମାନେ ବାରମ୍ବାର ଅମାନତ ହରାଉଛନ୍ତି, ସେମାନେ ଟିକେଟ ପାଇବା ସମ୍ଭାବନା କ୍ଷୀଣ । ହେଲେ ଅଳ୍ପ ଭୋଟରେ ହାରୁଥିବା ନେତାଙ୍କୁ ସୁଯୋଗ ମିଳିବ ବୋଲି ସେ ଆଶା ରଖିଥିବା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ।

୨୦୧୪ ନିର୍ବାଚନରେ ସେ କଂଗ୍ରେସର ଇଜ୍ଜତକୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବଂଚାଇ ରଖିଥିଲେ, ଆଉ ଲଗାତର ଭାବେ ନିର୍ବାଚନ ମଣ୍ଡଳୀ ସହ ସଂପର୍କ ରଖି ଲୋକଙ୍କ ପାଇଁ କାମ କରୁଥିବାରୁ ଏଥର ଟିକେଟ ପାଇବା ପାଇଁ ଆଶାବାଦୀ ଅଛନ୍ତି ଏହି ଭେଟେରାନ ଲିଡର ।