ଦୃଢ ଇଚ୍ଛାଶକ୍ତି ଆଣିଦେଲା ସଫଳତା ! ମାତ୍ର ୨୧ ବର୍ଷ ବୟସରେ ହାତେଇଲେ ‘ଚାଟାର୍ଡ ଆକାଉଣ୍ଟଟାଣ୍ଟ, କମ୍ପାନି ସେକ୍ରେଟାରୀ ଓ ସିଏମଏ’ର ଡିଗ୍ରୀ

45

କନକ ବ୍ୟୁରୋ : ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ମାତ୍ର୨୧ ବର୍ଷ ବୟସରେ ହାସଲ କରିଛନ୍ତି ୪ଟି ବଡ ବଡ ପ୍ରଫେସନାଲ କୋର୍ସର ଡିଗ୍ରୀ । ଯେଉଁ ବୟସରେ ଛାତ୍ରଛାତ୍ରୀ ମାନେ ପ୍ରଫେସନାଲ କୋର୍ସ ବିଷୟରେ ଭାବିବା ଆରମ୍ଭ କରିଥାନ୍ତି ସେହି ବୟସରେ ଚାଟାର୍ଡ ଆକାଉଣ୍ଟଟାଣ୍ଟ, କମ୍ପାନି ସେକ୍ରେଟାରୀ ଓ ସିଏମଏ ଭଳି ୩ଟି କଷ୍ଟସାଧ୍ୟ କୋର୍ସରେ ଉତ୍ତୀର୍ଣ୍ଣ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ଭାରତରେ ଦେଖିବାକୁ ମିଳିଛି ।

ଗୁଜରାଟର ଆଦିତ୍ୟ ଜାଭର । ବୟସ ମାତ୍ର ୨୧ । କିନ୍ତୁ ହାତରେ ୪ଟି ବଡ ବଡ ପ୍ରଫେସନାଲ କୋର୍ସର ଡିଗ୍ରୀ । ଚାଟାର୍ଡ ଆକାଉଣ୍ଟଟାଣ୍ଟ, କମ୍ପାନି ସେକ୍ରେଟାରୀ ଓ ସିଏମଏ ଭଳି ପ୍ରଫେସନାଲ କୋର୍ସର ଡିଗ୍ରୀ ହାତେଇବାରେ ସେ ଦେଶର ସବୁଠାରୁ କନିଷ୍ଠତମ ଛାତ୍ର ଭାବେ ରେକର୍ଡ କରିଛନ୍ତି । ଏହାପୂର୍ବରୁ ଏହି ୩ଟି କୋର୍ସର ଡିଗ୍ରୀ ହାତେଇବାର ରେକର୍ଡ ଦିଲ୍ଲୀର ସାର୍ଥକ ଆହୁଜା ଓ ପଲ୍ଲବୀ ସଚଦେବାଙ୍କ ନାମରେ ଥିଲା । ଉଭୟ ୨୩ ବର୍ଷ ବୟସରେ ଏହି କୃତୀତ୍ୱ ହାସଲ କରିଥିଲେ । କିନ୍ତୁ ଗତ ବୁଧବାର ସିଏମଏର ଫଳ ପ୍ରକାଶ ପାଇବା ସହ ଏହି ଦୁହିଁଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଆଦିତ୍ୟ ।

କେବଳ ଏହି ୩ଟି ଡିଗ୍ରୀ ନୁହେଁ ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ୱ ବିଦ୍ୟାଳୟରୁ ବାଣିଜ୍ୟରେ ସାତ୍ନକ ଡିଗ୍ରୀ ମଧ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି ଆଦିତ୍ୟ । ତା ଛଡା ବିବିଏ ପରୀକ୍ଷାର ଫଳାଫଳ ଅପେକ୍ଷାରେ ଏବେ ଆଦିତ୍ୟ । ଏବେ ବି ତାଙ୍କ ମନରୁ ଲିଭିନି ପାଠ ପଢାର ନିଆଁ । ପାଠ ପଢା ଯେମିତି ତାଙ୍କ ପାଇଁ ଏକ ନିଶା ପାଳଟି ଯାଇଛି । ଆଦିତ୍ୟଙ୍କ କହିବା ଅନୁଯାୟୀ, ଏବେ ସେ ଆଇଆଇମରେ ପଢିବା ପାଇଁ କ୍ୟାଟ୍ ପ୍ରବେଶିକା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଇଆଇମରେ ପାଠପଢା ଶେଷ କରିବା ପରେ ଏଲଏଲବି ପଢିବା ପାଇଁ ଆଦିତ୍ୟଙ୍କର ସ୍ୱପ୍ନ ରହିଛି ।

ଗୁଜରାଟରେ ଦୀର୍ଘ ୨୦ ବର୍ଷ ଧରି ରହି ଆସୁଛନ୍ତି ଆଦିତ୍ୟଙ୍କ ପରିବାର । ଅ।।ଦିତ୍ୟଙ୍କ ବାପା ମହେଶ ଜାଭର ଜଣେ କପଡା ବ୍ୟବସାୟୀ ହୋଇଥିବା ବେଳେ ତାଙ୍କ ମା ଜଣେ ସ୍କୁଲ ଶିକ୍ଷୟତ୍ରୀ । ତେବେ ତାଙ୍କ ବାପା ମଧ୍ୟ ଚାଟାର୍ଡ ଆକାଉଣ୍ଟଟାଣ୍ଟ କୋର୍ସ କରିଥିଲେ ମଧ୍ୟ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିନଥିଲେ । କିନ୍ତୁ ପୁଅ ଆଦିତ୍ୟ ଏତେ କମ ବୟସରୁ ୩ଟି କଷ୍ଟସାଧ୍ୟ ବିଷୟରେ ଉତ୍ତୀର୍ଣ୍ଣ ହୋଇ ବାପାଙ୍କ ସ୍ୱପ୍ନ ପୂରଣ କରିଛନ୍ତି ।