ସୁରତ ନାବାଳିକା ଦୁଷ୍କର୍ମ ମାମଲା : ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ଗିରଫ କଲା ଗୁଜରାଟ ପୋଲିସ

46

କନକ ବ୍ୟୁରୋ : ବହୁଚର୍ଚ୍ଚିତ ସୁରତ ନାବାଳିକା ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ଗିରଫ କରିଛି ଗୁଜରାଟ ପୋଲିସ । ମୁଖ୍ୟ ଅଭିଯୁକ୍ତ ଜଣକ ରାଜସ୍ଥାନ ଗଙ୍ଗାନଗର ଜିଲ୍ଲାର ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗୁଜରାଟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା । ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମଧ୍ୟ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛନ୍ତି । ଗୁଜରାଟ ପୋଲିସ ଓ ଅହମ୍ମଦାବାଦ କ୍ରାଇମବ୍ରାଂଚର ପ୍ରାୟ ୪ଶହ ପୋଲିସ କର୍ମଚାରୀଙ୍କୁ ଏହି ମାମଲାର ଅଧିକ ଛାନଭିନ ପାଇଁ ନିୟୋଜିତ କରାଯାଇଛି । ଘଟଣାସ୍ଥଳଠାରୁ ୩ କିଲୋମିଟର ପରିଧି ଭିତରେ ସିସିଟିଭି ଫୁଟେଜ ଓ ମୋବାଇଲ କଲ ଡାଟାକୁ ଯାଂଚ କରାଯାଉଛି । ଏପ୍ରିଲ ୬ ତାରିଖରେ ସୁରତର ପାଣ୍ଡେସରାରେ ଏକ ବୁଦା ଭିତରୁ ୯ରୁ ୧୩ବର୍ଷର ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

 

ଝିଅଟି ଦେହରେ ୮୬ଟି କ୍ଷତଚିହ୍ନ ରହିଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଅତି ବିଭତ୍ସ ଭାବରେ ଧର୍ଷଣ କରାଯାଇଥିବା ସ୍ପଷ୍ଟ ହୋଇଥିଲା । ତେବେ ଝିଅଟି କେଉଁ ଅଂଚଳର ଜାଣିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବା ସହ ପଡୋଶୀ ରାଜ୍ୟମାନଙ୍କୁ ଝିଅ ବାବଦରେ ସୂଚନା ପ୍ରଦାନ କରିଥିଲା ଗୁଜରାଟ ପୋଲିସ । ଝିଅଟି ଓଡିଶାର ହୋଇଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଥିଲା । ହେଲେ ଝିଅଟିର ଫଟୋ ଦେଖି ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ତାଙ୍କ ଝିଅ ବୋଲି ଦାବି କରିଥିଲେ । ଯାହାକୁ ସ୍ପଷ୍ଟ କରିବା ଲାଗି ମୃତକଙ୍କ ଡିଏନଏ ଟେଷ୍ଟ କରାଯାଇଛି । ସେହିପରି ମୃତେଦହ ମିଳିବାର ତିନିଦିନ ପରେ ଅର୍ଥାତ ଏପ୍ରିଲ ୯ ତାରିଖରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଥିଲା । ସଂପୃକ୍ତ ମହିଳା ଝିଅଟିର ମାଆ ହୋଇଥିବା ନେଇ ମଧ୍ୟ ପୋଲିସ ସନ୍ଦେହ କରୁଛି । ଏବଂ ସେହି ଦିଗରେ ଛାନଭିନ ଜାରି ରଖିଛି ।