ବିଜେପୁରରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ବରିଷ୍ଠ ନେତା ସୁର ରାଉତରାୟଙ୍କ ପ୍ରତିକ୍ରିୟା ! କହିଲେ, ହାରିବା ପଛରେ ହୋଇଛି ଷଡଯନ୍ତ୍ର

25

କନକ ବ୍ୟୁରୋ : ବିଜେପୁରରେ ଶୋଚନୀୟ ପରାଜୟ ପରେ ରାଜ୍ୟ କଂଗ୍ରେସରେ କମ୍ପନ । ପରାଜୟକୁ ନେଇ ପ୍ରତିକ୍ରିୟା ରଖି ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ବିଜେପୁର ହାରିବା ପଛରେ ରହିଛି ଷଡଯନ୍ତ୍ର । ଦଳ ପ୍ରତି ବିଶ୍ୱାସଘାତକା କରିଛନ୍ତି ଦଳର ୩ ମୁଷ୍ଟିମେୟ ନେତା । ବିକ୍ରି ହୋଇଯାଇଛନ୍ତି ନେତା ଓ କର୍ମୀ । ପଂଚାୟତ ନିର୍ବାଚନ ଭଳି ବିଜେପୁର ଉପ ନିର୍ବାଚନ ପରେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି ପ୍ରସାଦ ।

ସବୁ ପ୍ରତୀକ୍ଷାର ଅନ୍ତ ହେଲାପରେ ପ୍ରକାଶ ପାଇଛି ବିଜେପୁର ଉପନିର୍ବାଚନର ଫଳାଫଳ । ବିଜେପୁର ଉପନିର୍ବାଚନର ଫଳାଫଳ କଂଗ୍ରେସ ଦଳକୁ ଜବରଦସ୍ତ ଝଟକା ଦେଇଛି । ନିଜ ଗଡ ରକ୍ଷା କରିବାରେ ସକ୍ଷମ ହୋଇପାରି ନାହିଁ କଂଗ୍ରେସ । ୨୦୦୪ ମସିହାରୁ ଲଗାତାର ତିନି ତିନି ଥର ବିଜେପୁରରେ କଂଗ୍ରେସ ବିଜୟ ହୋଇଥିଲେ ସୁଦ୍ଧା ଚଳିତ ଉପନିର୍ବାଚନରେ ମାଟି କାମୁଡିଛି କଂଗ୍ରେସ । ଯାହା କଂଗ୍ରେସ ଶିବିରରେ ନୈରାଶ୍ୟ ଖେଳାଇ ଦେଇଛି । ସବୁଠାରୁ ବଡ କଥା ହେଲା ଗତ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ୩୨.୧୫ ପ୍ରତିଶତ ଭୋଟ ପାଇଥିବା ବେଳେ ଚଳିତ ଉପନିର୍ବାଚନରେ ଏହା ୫.୬୫ ପ୍ରତିଶତକୁ ଖସି ଆସିଛି । ଏହାସହ ଦଳ ପ୍ରଥମରୁ ତୃତୀୟ ସ୍ଥାନକୁ ଖସି ଆସିବା ସହ ଅମାନତ ହରାଇଛି । ଗାଈସିଲଟ ବ୍ଲକରେ ପ୍ରଣୟଙ୍କର ବଡ ଭୋଟ ବ୍ୟାଙ୍କ ଥିଲେ ମଧ୍ୟ ଏହା କଂଗ୍ରେସର ଅମାନତ ରକ୍ଷା କରିବା ପାଇଁ ସକ୍ଷମ ହୋଇପାରିନାହିଁ । ସାଧାରଣତଃ ଜଣେ ପ୍ରାର୍ଥୀ ମୋଟ ମତଦାନର ୬ ଭାଗରୁ ୧ ଭାଗ ହାସଲ କରି ନ ପାରିଲେ ଅମାନତ ହରାଇଥାନ୍ତି । ଏହି କ୍ରମରେ ଦେଖିବାକୁ ଗଲେ ଚଳିତ ଉପନିର୍ବାଚନରେ ରେକର୍ଡ ୮୨.୧୭ ପ୍ରତିଶତ ମତଦାନ ହୋଇଥିଲା ଅଥାର୍ତ ମୋଟ ୧, ୮୧, ୭୧୬ ଜଣ ଭୋଟର ମତଦାନ କରିଥିଲେ । ତେଣୁ ପାଖାପାଖି ୩୦,୨୮୬ ଭୋଟ ହାତେଇଥିଲେ କଂଗ୍ରେସ ଅମାନତ ହାରଇବାରୁ ବଞ୍ଚିତ ହୋଇ ପାରିଥାନ୍ତା । କିନ୍ତୁ ମାତ୍ର ୫.୬୫ ପ୍ରତିଶତ ଭୋଟ ହାସଲ କରି ଅମାନତ ହରାଇବା ସହ ବିଜେପୁର ଗଡ ମଧ୍ୟ ହରାଇଥିଲା ।

CONGRESS

ବିଜେଡି ପ୍ରାର୍ଥୀ ରୀତା ସାହୁ ୪୧୯୩୩ଟି ଭୋଟରେ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ପରାସ୍ତ କରି ରେକର୍ଡ କରିଛନ୍ତି । ବିଜେଡି ୧୦୨୮୭୧ ଭୋଟ ପାଇ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ବେଳେ ବିଜେପି ୬୦୯୩୮ ଭୋଟ ପାଇ ଦ୍ୱିତୀୟ ସ୍ଥାନକୁ ଲମ୍ଫ ଦେଇଛି । ୨୦୧୯ ପୂର୍ବରୁ ବିଜେପୁର ଉପନିର୍ବାଚନ ସେମିଫାଇନାଲ ସବୁ ଦଳ ପାଇଁ ସେମିଫାଇନାଲ ସଦୃଶ ଥିଲା । କିନ୍ତୁ ଏହାର ଫଳାଫଳ କଂଗ୍ରେସ ଦଳକୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ କରିଛି । ସିଧାସଳଖ ଭାବେ କହିବାକୁ ଗଲେ ବିଜେପୁର ଉପନିର୍ବାଚନ କଂଗ୍ରେସ ଦଳର ମେରୁଦଣ୍ଡ ଭାଙ୍ଗି ଦେଇଛି । ମାତ୍ର ୧୦୨୭୪ଟି ଭୋଟ ପାଇ ପ୍ରଥମରୁ ତୃତୀୟ ସ୍ଥାନକୁ ଖସି ଆସିବା ସହ ଅମାନତ ହରାଇଛି ଭାରତର ସବୁଠାରୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ।