ପୁଣି ଖୋଲିବ କି ସୁରବାବାଙ୍କ କୁହୁକ ପୋଥି ? ଜାମିନ ପାଇବା ପରେ ଆଶ୍ରମକୁ ଫେରିଲେ ବାବା, ପୂଜାପାଠରେ କମ୍ପିଲା ପୂରା ଆଶ୍ରମ

179

କନକ ବ୍ୟୁରୋ : ଆଶ୍ରମକୁ ଫେରିଲେ ସୁର ବାବା । ଯେଉଁ ସୁର ବାବାଙ୍କୁ ନେଇ ଦୁଇବର୍ଷ ତଳେ ସାରା ଓଡିଶା ଉଠୁଥିଲା ପଡୁଥିଲା । ଯାହାଙ୍କ ନାଁରେ ଲକ୍ଷ ଲକ୍ଷ ଲୋକଙ୍କ ସହ ବିଶ୍ୱାସଘାତ କରିବାର ଅଭିଯୋଗ ଥିଲା । ବେଆଇନ ଜମି ଜବରଦଖଲଠାରୁ ଆରମ୍ଭ କରି ବ୍ୟାଙ୍କ ବାଲାନ୍ସ ବଢାଇବା ନେଇ ଅଭିଯୋଗର ବିରାଟ ଫର୍ଦ୍ଦ ରହିଥିଲା । ସେହି ସୁର ବାବା ସୁପ୍ରିମକୋର୍ଟରୁ ଜାମିନ ପାଇ ଭୁବନେଶ୍ୱର ଝାରପଡା ଜେଲରୁ ମୁକୁଳିଛନ୍ତି । ବାବାଙ୍କ ପ୍ରତ୍ୟାବର୍ତନ ସହ ଚଳଚଂଚଳ ହୋଇଉଠିଛି ଝିଂଟିରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମ, ସକ୍ରିୟ ହୋଇଉଠିଛନ୍ତି ଶ୍ରଦ୍ଧାଳୁ । କଥା ଉଠୁଛି ବାବାଙ୍କ କୁହକ ପୋଥୀ ଏବେ କ୍ରାଇମବ୍ରାଂଚ କବଜାରେ । ତେଣୁ ବାବା ଏବେ କେମିତି କହିବେ ଲୋକଙ୍କ ଆଗତ ଭବିଷ୍ୟତ? ଦୀର୍ଘ ଦୁଇବର୍ଷ ଭିତରେ ଦୂରେଇ ଯାଇଥିବା ଭକ୍ତ କଣ ପୁଣି ଫେରିବେ? ପୋଥୀ ନଥାଇ କେମିତି ପତିଆରା ବଢାଇବେ ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବା?

trahi achyuta ashram୩୦ ଅଗଷ୍ଟ ୨୦୧୫ରେ ବାବାଙ୍କ ଝିଂଟିସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ ଉପରେ କଳାବାଦଲର ଧୂଆଁ ଦେଖିବାକୁ ମିଳିଥିଲା । ଭୁବନେଶ୍ୱର ଉପକଂଠ ବାଲିଅନ୍ତାରେ ଥିବା ସୁରେନ୍ଦ୍ର ମିଶ୍ର ଓରଫ ସୁର ବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମରେ ଜଳିଲା ନିଆଁ । ବାବାଙ୍କ ସୁଦୃଶ୍ୟ ଆଶ୍ରମରେ ସବୁକିଛି ଜାଳିପୋଡି ଛାରଖାର କରିଦେଲେ ଉତ୍ୟକ୍ତ ଜନତା । ଆତ୍ମଘୋଷିତ ବାବା, ଲୋକଙ୍କ ବିଶ୍ୱାସ ସହ ଖେଳ ଖେଳିଥିବା ଅଭିଯୋଗରେ ତାତି ଯାଇଥିଲେ ଲୋକେ ।

ଏହି ଘଟଣାକୁ ଗୋଟିଏ ଦିନ ବିତି ନଥିବା ବେଳେ କୁହୁକ ପୋଥୀ ଦେଖି ଲୋକଙ୍କ ଭବିଷ୍ୟତ କହିଦେଉଥିବା ବାବାଙ୍କୁ ଝିଂଟିସ୍ଥିତ ଆଶ୍ରମରୁ ଗିରଫ କଲା କମିଶନରେଟ ପୁଲିସ । ଠକେଇ, ହତ୍ୟା ଷଡଯନ୍ତ୍ର, ବେଆଇନ ଜମି ଜବରଦଖଲ ସହ ଅସ୍ତ୍ରଶସ୍ତ୍ର ଓ ଗୁଣ୍ଡା ବାହୀନି ରଖିବା ଅଭିଯୋଗରେ ବାବାଙ୍କ ହାତରେ ହତକଡି ପକାଇଲା ପୁଲିସ । ଏହାପରେ ବାବାଙ୍କ ବିଶାଳ ସାମ୍ରାଜ୍ୟର ଭେଦ ଖୋଲିଲା କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା । ସୁଦୃଶ୍ୟ ଆଶ୍ରମରେ କିପରି ବିଳାସ ବ୍ୟସନରେ ବାବା ଦିନ କାଟୁଥିଲେ ତାର ପର୍ଦ୍ଦାଫାସ ହେଲା । ସୁର ବାବା ଓ ତାଙ୍କ ଦୁଇ ପୁଅଙ୍କ ଅଢେଇ କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ବାଲାନ୍ସ ସହ ପ୍ରାୟ ୧୫ କୋଟି ଟଙ୍କାର ସଂପତିକୁ ଜବତ କଲା ଅର୍ଥନୈତିକ ଅପରାଧ ଶାଖା । ଏହାପରେ ବାବାଙ୍କୁ ପଠାଯାଇଥିଲା ଜେଲ ।

vlcsnap-2017-12-02-19h26m10s471ତେବେ ଜେଲରେ ରହିବାର ପ୍ରାୟ ୨ ବର୍ଷ ପରେ ଝାରପଡା ଜେଲରୁ ମୁକଳିଛନ୍ତି ସୁର । ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ମୁକୁଳିଛନ୍ତି ସୁରବାବା । ଆଉ ବାବାଙ୍କ ଆସିବା ପୂର୍ବରୁ ପୁଣିଥରେ ଚଳଚଞ୍ଚଳ ହୋଇ ଉଠିଛି ଝିଂଟିସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମ । ବାବା ଜେଲ ଚାଲିଯିବା ପରେ ଏଠାରେ କାଉ, କୋଇଲି ଦେଖିବାକୁ ମିଳୁନଥିଲେ । ହେଲେ ପୁଣି ଭକ୍ତଙ୍କ ଭଜନ କୀର୍ତନରେ କମ୍ପିଛି ଆଶ୍ରମ ପରିବେଶ । ଗେରୁଆ ଖୋଳପା ତଳେ ଲୁଚିରହିଥିବା ବାବାଙ୍କ ଗୁମର ଖୋଲିଛି, ହେଲେ ସମର୍ଥକଙ୍କ ଆସ୍ଥା ତୁଟିନି । ବାବା ମଧ୍ୟ ଆଜି ସକାଳ ୭ଟା ୩୦ରେ ଆଶ୍ରମରେ ପ୍ରବଚନ ଦେଇଛନ୍ତି ।
ଏବେ ପ୍ରଶ୍ନ ଉଠୁଛି..
– କ’ଣ ପୁଣି ଖୋଲିବ ସୁର ବାବାଙ୍କ କୁହୁକ ପୋଥୀ?
– ପୁଣି ପୋଥୀ ଦେଖି ବାବା କହିବେ ଲୋକଙ୍କ ଭବିଷ୍ୟତ?
– ପୁଣି ଆଶ୍ରମକୁ ଛୁଟିବ ଭକ୍ତ ଓ ବଡବଡିଆଙ୍କ ଧାଡି?
– ପୁଣି ତ୍ରାହି ଅଚ୍ୟୁତ ଆଶ୍ରମରେ ସକ୍ରିୟ ହେବେ ଗୁଣ୍ଡା ବାହିନୀ?

ସୂଚନା ଅନୁସାରେ ସୁର ବାବାଙ୍କ ନାଁରେ ଥିଲା ୭ଟି ମାମଲା । ହାଇକୋର୍ଟ ଓ ଭୁବନେଶ୍ୱର କୋର୍ଟ ତାଙ୍କୁ ୬ଟି ମାମଲାରେ ଜାମିନ ଦେଇସାରିଥିବାବେଳେ ଗଞ୍ଜାମ ଛତ୍ରପୁରରେ ଏକ ଜମି ଜାଲିଆତି ମାମଲାରେ ସୁପ୍ରିମକୋର୍ଟ ବାବାଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । ଆଉ ଏହାରି ଭିତରେ ଚର୍ଚ୍ଚା ହେଉଛି ସୁର ବାବାଙ୍କ ପୂର୍ବରୁ ଗିରଫ ହୋଇଥିବା ସାରଥୀ ବାବାଙ୍କର କ’ଣ ହେବ । ସୁରଙ୍କ ପରି ସାରଥୀ ବି ସମସ୍ତ ମାମଲାରେ ଜାମିନ ପାଇଁ ପୁଣି ଫେରିଆସିବେ କେନ୍ଦ୍ରାପଡାସ୍ଥିତ ବାରିମୂଳ ଆଶ୍ରମକୁ?