ଦ୍ୱିତୀୟ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! ଛାଡ଼ପତ୍ର ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ଥିଲେ ରହିବନି ସମସ୍ୟା ।

63

କନକ ବ୍ୟୁରୋ : ଛାଡ଼ପତ୍ର ଓ ଦ୍ୱିତୀୟ ବିବାହ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଛାଡ଼ପତ୍ରକୁ ନେଇ ଯଦି ଆପୋଷ ବୁଝାମଣାରେ ଦୁଇ ପକ୍ଷ ମଧ୍ୟରେ ସହମତି ହୋଇଥିବ, ତେବେ ଛାଡ଼ପତ୍ର ବିରୋଧରେ ହୋଇଥିବା ଆବେଦନ କୋର୍ଟରେ ଅଟକି ଥିଲେ ବି ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରିପାରିବ । ଅର୍ଥାତ୍ ଦ୍ୱିତୀୟ ବିବାହ ପାଇଁ ଆବେଦନର ଚୂଡାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ହିନ୍ଦୁ ବିବାହ ଆଇନର ଧାରା ୧୫ରେ ଦ୍ୱିତୀୟ ବିବାହ ନେଇ ଥିବା ଶକ୍ତ କଟକଣା ପ୍ରାୟ ଅକାମୀ ହୋଇଯାଇଛି ।

ବିଚାରପତି ଏସ୍ ଏ ବୋବଡେ ଓ ଏଲ୍ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ କହିଛନ୍ତି, ଛାଡ଼ପତ୍ର ବିରୋଧରେ ହେଉଥିବା ଆବେଦନର ଶୁଣାଣି ପୂର୍ବରୁ ଛାଡ଼ପତ୍ର ପାଇଁ ଯଦି ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୁଏ, ତା’ହେଲେ ଦ୍ୱିତୀୟ ବିବାହ ଉପରେ ରୋକ୍ ଲଗାଯାଇ ପାରିବନାହିଁ । ଅର୍ଥାତ୍ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇପାରିଲେ କୌଣସି ଅସୁବିଧା ରହିବ ନାହିଁ । ଦ୍ୱିତୀୟ ବିବାହ ପାଇଁ ସମସ୍ୟା ରହିବ ନାହିଁ ।

ହିନ୍ଦୁ ବିବାହ ଆଇନର ଧାରା ୧୫ ଅନୁସାରେ ଛାଡ଼ପତ୍ର ମାମଲା କୋର୍ଟରେ ଥିବା ପର୍ଯ୍ୟନ୍ତ ଦମ୍ପତିଙ୍କ ମଧ୍ୟରୁ କେହି ବି ଦ୍ୱିତୀୟ ବିବାହ କରିପାରିବେ ନାହିଁ । ଆବେଦନର ରାୟ ପ୍ରକାଶ ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ଏହା ମଧ୍ୟରେ ବିବାହ କରିଥିଲେ, ତାହା ବୈଧ ହେବନାହିଁ । ତେବେ ଦିଲ୍ଲୀର ଜନୈକ ବ୍ୟକ୍ତଙ୍କ ଆବେଦନର ଶୁଣାଣି କରି ଏହି ଧାରାକୁ ଏକପ୍ରକାର ଅକାମୀ କରିଦେଇଛନ୍ତି ସୁପ୍ରିମକୋର୍ଟ ।

ଦିଲ୍ଲୀର ଜୈନିକ ବ୍ୟକ୍ତିଙ୍କ ପତ୍ନୀ ଛାଡପତ୍ର ପାଇଁ ତିସ୍ ହଜାରୀ କୋର୍ଟରେ ଆବେଦନ କରିଥିଲେ । ୨୦୦୯ ଅଗଷ୍ଟ ୩୧ରେ ପତ୍ନୀଙ୍କ ସପକ୍ଷରେ କୋର୍ଟ ରାୟ ଦେଇଥିଲେ । ଏହା ବିରୋଧରେ ସଂପୃକ୍ତ ବ୍ୟକ୍ତି ଦିଲ୍ଲୀ ହାଇକୋର୍ଟରେ ଅପିଲ୍ କରିଥିଲେ । ତେବେ ପତ୍ନୀଙ୍କ ସହ ବୁଝାମଣା ହେବା ପରେ ଛାଡ଼ପତ୍ର ବିରୋଧରେ କରିଥିବା ଅପିଲକୁ ଫେରାଇ ନେବାକୁ ଆବେଦନ କରିଥିଲେ । ହାଇକୋର୍ଟ ମଧ୍ୟ ତାଙ୍କ ଆବେଦନ ଗ୍ରହଣ କରି ପୂର୍ବ ଅପିଲକୁ ଖାରଜ କରି ଦେଇଥିଲେ । ମାତ୍ର ଏ ନେଇ ରାୟ ଆସିବା ପୂର୍ବରୁ ୨୦୧୧ ଡିସେମ୍ବର ୬ ତାରିଖରେ ସେ ଦ୍ୱିତୀୟ ବିବାହ କରିଥିଲେ । ପରେ ଦ୍ୱିତୀୟ ପତ୍ନୀ ମଧ୍ୟ ତାଙ୍କଠାରୁ ଛାଡ଼ପତ୍ର ଚାହିଁଥିଲେ । ଯୁକ୍ତି ଦର୍ଶାଇଥିଲେ ଯେ ହାଇକୋର୍ଟର ରାୟ ଆସିବା ପୂର୍ବରୁ ତାଙ୍କର ବିବାହ ହୋଇଥିବାରୁ ତାହା ବୈଧ ନୁହେଁ । ଏହି ଯୁକ୍ତିକୁ ଗ୍ରହଣ କରି ହାଇକୋର୍ଟ ରାୟ ଦେଇଥିଲେ । ତେବେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସଂପୃକ୍ତ ବ୍ୟକ୍ତି । ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟଙ୍କ ରାୟକୁ ଖାରଜ କରିବା ସହ ଏହି ବିବାହକୁ ବୈଧ ଘୋଷଣା କରିଛନ୍ତି ।