ଦେଶରେ ବିଢିଚାଲିଥିବା ଦୁଷ୍କର୍ମ ମାମଲାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ : ଦୁଷ୍କର୍ମ ମାମଲାରେ ସରକାର କି ପଦକ୍ଷେପ ନେଉଛନ୍ତି ତାହା କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ

25

କନକ ବ୍ୟୁରୋ : ବର୍ତ୍ତମାନ ଦେଶରେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଏପରି ସଙ୍ଗୀନ ଅଭିଯୋଗ ଆସୁଛି । ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଭାରତରେ ଏପରି ମାମଲା ବଢିବାରେ ଲାଗିଛି । ପରିସ୍ଥିତି ଏପରି ହେଲାଣି ଯେ, ଛାତ୍ରୀମାନଙ୍କୁ ଆଶ୍ରୟସ୍ଥଳୀରେ ମଧ୍ୟ ସୁରକ୍ଷା ଦିଆଯାଇପାରୁନାହିଁ । ଶହଶହ ମାମଲା ତଳ କୋର୍ଟରେ ବିଚାର ହୋଇ ନପାରି ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖକୁ ଯାଉଛି । ଏପରି ସଙ୍ଗୀନ ମାମଲାରେ ସରକାର ନୂଆ ଆଇନ ଆଣିଲେ ହେଲେ କୈାଣସି ସୁଫଳ ମିଳିପାରିନାହିଁ । ଗୋଟିଏ ଘଟଣା ଉପରେ ବିଚାର କରାଯିବା ବେଳକୁ ଅନ୍ୟ ଏକ ଘଟଣା ଘଟୁଛି । ତେବେ ଦେଶରେ ଦୁଷ୍କର୍ମ ଘଟଣା ବଢ଼ିଚାଲିଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଏ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ବିଶେଷକରି ବିହାର ଓ ଉତ୍ତର ପ୍ରଦେଶ ଆଶ୍ରୟସ୍ଥଳରେ ଦୁଇଟି ବଡ଼ ଦୁଷ୍କର୍ମ ଘଟଣା ପଦାକୁ ଆସିବା ପରେ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ଏଭଳି ଉଦବେଗ ପ୍ରକାଶ ପାଇଛି। ବିଚାରପତି ଏମ୍ ବି ଲୋକୁର, ଦୀପକ ଗୁପ୍ତା ଓ କେ ଏମ୍ ଯୋଶେଫଙ୍କ ଖଣ୍ଡପୀଠ ଦୁଷ୍କର୍ମ ଘଟଣା ବୃଦ୍ଧିକୁ ନେଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦେଶରେ ଏ କ’ଣ ଚାଲିଛି ବୋଲି ଗତକାଲି ସରକାରଙ୍କୁ ଏନେଇ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

 

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ତଥ୍ୟକୁ ଆଧାର କରି ଖଣ୍ଡପୀଠ ଦର୍ଶାଇଛନ୍ତି ଯେ ଦେଶରେ ଏବେ ପ୍ରତି ୬ ଘଣ୍ଟାରେ ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି। ସେହିଭଳି ୨୦୧୬ରେ ଭାରତରେ ୩୮,୯୪୭ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ପ୍ରତି ବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ହେଲେ ମହିଳାମାନେ କେମିତି ସୁରକ୍ଷିତ ରହିବେ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ଘଟଣାକୁ ନେଇ ଖଣ୍ଡପୀଠ ବିହାର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସରକାରୀ ଅନୁଦାନରେ ଚାଲୁଥିବା ଆଶ୍ରୟସ୍ଥଳରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଚାଲିଥିଲା, କିନ୍ତୁ ସରକାରଙ୍କୁ ଏ ବାବଦରେ କିପରି କିଛି ଜାଣିପାରିଲେ ନାହିଁ ? ଏଥିରୁ ଜଣାପଡୁଛି, ସରକାରଙ୍କ ପ୍ରୋତ୍ସାହନରେ ହିଁ ଏ ସବୁ କାର୍ଯ୍ୟ ଚାଲିଥିଲା ବୋଲି ଖଣ୍ଡପୀଠ କହିଛନ୍ତି। ବିହାର ଆଶ୍ରୟସ୍ଥଳ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତର ପତ୍ନୀଙ୍କୁ ତୁରନ୍ତ ଗିରଫ ପାଇଁ ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାମାନଙ୍କର ନାମ, ଫଟୋ କିମ୍ବା ଅନ୍ୟ କୌଣସି ବିବରଣୀ ପ୍ରକାଶ ନ କରିବା ଲାଗି ସର୍ବୋଚ୍ଚ ଅଦାଲତ ନିକଟରେ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ସମ୍ପୃକ୍ତ ଅଭିଯୁକ୍ତର ପତ୍ନୀ ନିଜ ଫେସ୍ବୁକ୍ ଆକାଉଣ୍ଟରେ ପୀଡ଼ିତାମାନଙ୍କର ନାମ ପ୍ରକାଶ କରିଛି।

 

ଏହା ସର୍ବୋଚ୍ଚ ଅଦାଲତଙ୍କ ସାମ୍ନାକୁ ଆସିବା ପରେ ଖଣ୍ଡପୀଠ ଏଭଳି କାର୍ଯ୍ୟ।ନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କେଉଁ ଭିତ୍ତିରେ ମୁଜାଫରପୁର ଆଶ୍ରୟସ୍ଥଳକୁ ସରକାରୀ ପାଣ୍ଠି ଯୋଗାଇ ଦିଆଯାଇଛି ଏବଂ ପାଣ୍ଠି ଯୋଗାଣ ପୂର୍ବରୁ ଉକ୍ତ ସଂସ୍ଥାର ପିଛିଲା ରେକର୍ଡ ଯାଞ୍ଚ କରାଯାଇଛି କି ନାହିଁ ସେ ନେଇ ଜଣାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବିହାର ଦୁଷ୍କର୍ମ ଘଟଣାରେ ଦିଲ୍ଲୀ ମହିଳା ଆୟୋଗ ପକ୍ଷରୁ ହୋଇଥିବା ଏକ ପିଟିସନ୍କୁ ସର୍ବୋଚ୍ଚ ଅଦାଲତ ଆଜି ଖାରଜ କରିବା ସହିତ ବର୍ଷିଛନ୍ତି। ବିହାର ଘଟଣାରେ ହସ୍ତକ୍ଷେପ କରିବା ଆବଶ୍ୟକ ନାହିଁ। ମୁଜାଫରପୁର ଆଶ୍ରୟସ୍ଥଳରେ ମୋଟ ୪୨ ନାବାଳିକାଙ୍କ ମଧ୍ୟରୁ ୩୪ ଜଣଙ୍କୁ ଦୀର୍ଘଦିନ ଧରି ଦୁଷ୍କର୍ମ କରାଯାଉଥିଲା। ଖାଦ୍ୟରେ ନିଶା ମିଶାଯାଇ ସେମାନଙ୍କୁ ଦୁଷ୍କର୍ମ କରାଯାଉଥିଲା। ଏହାଛଡ଼ା ମୁହଁ ନ ଖୋଲିବା ପାଇଁ ଶାରୀରିକ ନିର୍ଯାତନା ଦିଆଯିବା ସାଙ୍ଗକୁ ଅଧିକାଂଶ ସମୟରେ ଉପାସରେ ରଖାଯାଉଥିଲା। ତେବେ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ୍ ସାଇନ୍ସେସ୍ ପକ୍ଷରୁ ଯାଞ୍ଚ କରାଯିବା ପରେ ଘଟଣାର ପର୍ଦାଫାସ ହୋଇଥିଲା। ଏବେ ସୁଦ୍ଧା ଘଟଣାରେ ୧୧ରୁ ଊର୍ଧ୍ୱ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କେବଳ ବିହାର ଓ ଉତ୍ତରପ୍ରଦେଶରେ ଏପରି ଘଟଣା ଘଟୁଛି ତାହା ନୁହେଁ ସାରା ଦେଶରେ ସ୍ଥିତି ଏପରି ସଙ୍ଗୀନ । ଓଡିଶାରେ ଅନେକ ମାମଲା ଏପରି ରୁଜୁ ହୋଇଛି ହେଲେ ବର୍ତ୍ତମାନ ସମୟରେ ମଧ୍ୟ ପୀଡିତାଙ୍କୁ ନ୍ୟାୟ ମିଳିପାରିନାହିଁ । ଅନେକ ଘଟଣାରେ ଏବେ ମଧ୍ୟ ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇ ବସିରହିଛନ୍ତି । କେବଳ ଅଭିଯୋଗ ବଢିବାରେ ଲାଗିଛି ହେଲେ ପୀଡିତା ନ୍ୟାୟକୁ ଅପେକ୍ଷା କରି ଆଖିବୁଜୁଛନ୍ତି । ତେଣୁ ସେମାନଙ୍କୁ ଯଥାଶୀଘ୍ର ନ୍ୟାୟ ଦେବାସହ ଏପରି ମାମଲା କିପରି ଭାବରେ ବନ୍ଦ ହେବ ସେନେଇ ସରକାର ଆବଶ୍ୟକୀୟ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ।