ସୁପ୍ରିମକୋର୍ଟ ଦୋହରାଇଲେ ନିଜ ନିଷ୍ପତ୍ତି । ଚଳିତ ମାସ ଶେଷ ସୁଦ୍ଧା ଶତପ୍ରଚତିଶତ ଜରିମାନା ଦେବାରୁ ଖଣିଲିଜଧାରୀଙ୍କୁ ନିର୍ଦ୍ଦେଶ ।

42

କନକ ବ୍ୟୁରୋ : ଡିସେମ୍ବର ୩୧ ସୁଦ୍ଧା ଖଣି ଲିଜଧାରୀମାନଙ୍କୁ ଶତପ୍ରତିଶତ ଜୋରିମାନା ଦେବାକୁ ପଡ଼ିବ । ଏକଥା ପୁଣି ଥରେ ଦୋହରାଇଛନ୍ତି ସୁପ୍ରିମକୋର୍ଟ । ଜୋରିମାନା ନଦେଲେ ଖଣିରୁ ଲୁହାପଥର କିମ୍ବା ମାଙ୍ଗାନିଜ ପଥର ଉତୋଳନ କରିପାରିବେ ନାହିଁ ଲିଜଧାରୀ । ଅଗଷ୍ଟ ୨ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର ୧୫୨ଜଣ ଖଣି ଲିଜଧାରୀଙ୍କ ବିରୋଧରେ ଜୋରିମାନା ଆଦାୟ ପାଇଁ ନୋଟିସ ଜାରି କରିଥିଲେ । ଅନୁମତିଠାରୁ ଅଧିକ ଖଣି ଖୋଳିଥିବା ତଥା ପରିବେଶ ମଂଜୁରୀ ନେଇନଥିବା ଖଣିଲିଜଧାରୀଙ୍କଠାରୁ ଶତପ୍ରତିଶତ ଜୋରିମାନା ଆଦାୟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଖଣି ଲିଜଧାରୀମାନେ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଓଡ଼ିଶାରେ ବେଆଇନ ଲୁହାପଥର ଓ ମାଙ୍ଗାନିଜ ଉତ୍ତୋଳନ କରିଥିବା ଖଣି ଲିଜ୍ଧାରୀଙ୍କୁ ଚଳିତ ମାସ ୩୧ ତାରିଖ ସୁଦ୍ଧା ଶତ ପ୍ରତିଶତ ଜରିମାନା ଅର୍ଥ ପୈଠ କରିବାକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ଅବଧିରେ ଯଦି ଖଣି ଲିଜଧାରୀମାନେ ଜରିମାନା ଅର୍ଥ ପୈଠ ନକରିବେ ତାହାଲେ ଖଣିରୁ ଉତ୍ତୋଳନ ବନ୍ଦ ହେବ। ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଖଣି ଲିଜଧାରୀମାନଙ୍କ ପକ୍ଷରୁ ଆଗତ ଏକାଧିକ ଆବେଦନକୁ ଅଗ୍ରାହ୍ୟ କରି ଏଭଳି ନିର୍ଦେଶ ଦେଇଛନ୍ତି। ଖଣ୍ଡପୀଠ ଓଡ଼ିଶାର ବେଆଇନ ଖଣି ଖନନ ଉପରେ ଗତ ଅଗଷ୍ଟ ୨ ତାରିଖରେ ଯେଉଁ ରାୟ ଶୁଣାଇଥିଲେ ତାହା କାଏମ ରଖିଛନ୍ତି।

ଗତ ଅଗଷ୍ଟ ୨ ତାରିଖରେ ଓଡ଼ିଶାର ଖଣି ଦୁର୍ନୀତି ପ୍ରସଙ୍ଗ ରାୟରେ ସୁପ୍ରିମକୋର୍ଟ ବିନା ପରିବେଶ ଓ ଜଙ୍ଗଲ ମଂଜୁରିରେ ଖଣିଜ ପଦାର୍ଥ ଉତ୍ତୋଳନ କରାଯାଇଥିବାରୁ ଖଣି ଲିଜଧାରୀଙ୍କୁ ଏବାବଦରେ କ୍ଷତିଭରଣା ପାଇଁ ଶତ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ ବୋଲି ଉଲ୍ଲେଖ କରିଥିଲେ। ସୁପ୍ରିମକୋର୍ଟଙ୍କ ଶତ ପ୍ରତିଶତ ଜରିମାନା ଆଦାୟ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଖଣି ଲିଜଧାରୀମାନଙ୍କୁ ଡିମାଣ୍ଡ ନୋଟିସ ଜାରି କରି କ୍ଷତିଭରଣା ପାଇଁ ଶତ ପ୍ରତିଶତ ଜରିମାନା ସମ୍ପର୍କିତ ରାଶି ନିର୍ଦ୍ଧାରଣ କରିଥିଲେ। ରାଜ୍ୟ ସରକାରଙ୍କ ଡିମାଣ୍ଡ ନୋଟିସରେ ଜରିମାନା ପରିମାଣରେ ଅସଙ୍ଗତି ଦର୍ଶାଇ କିଛି ଖଣି ଲିଜଧାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅସଙ୍ଗତି ଓ ଦ୍ୱନ୍ଦ୍ୱଗୁଡ଼ିକ ପରିମାର୍ଜିତ ଲାଗି ସିଇସିଙ୍କ ଦ୍ୱାରସ୍ଥ ହେବାପାଇଁ ସୁପ୍ରିମକୋର୍ଟ ଖଣି ଲିଜଧାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କ୍ରମରେ ଖଣି ଲିଜଧାରୀ ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଆଲୋଚନା କରି ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ପ୍ରଦାନ ପାଇଁ ସିଇସିଙ୍କୁ ସୁପ୍ରିମକୋର୍ଟ ଅକ୍ଟୋବର ୨୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ସିଇସି ରାଜ୍ୟ ସରକାର ଓ ଖଣି ଲିଜଧାରୀମାନଙ୍କ ସହ ନଭେମ୍ବର ଶେଷ ସପ୍ତାହରେ ଦୁଇ ଦିନ ଧରି ଅସଙ୍ଗତି ଦୂର କରିବାପାଇଁ ଆଲୋଚନା କରିଥିଲେ। ଦୁଇ ଦିନର ବୈଠକରେ ୧୩୭ ଖଣି ଲିଜଧାରୀ ଅସଙ୍ଗତି ମାର୍ଜିତ କରିବାପାଇଁ ପୁନଃ ମୂଲ୍ୟାୟନ ପାଇଁ ଆବଶ୍ୟକ ପଡ଼ୁଥିବା ନଥିପତ୍ରକୁ ଦାଖଲ କରିଥିଲେ। ଏହାପରେ ୧୩୫ ଖଣି ଲିଜଧାରୀମାନଙ୍କୁ ସିଇସିଙ୍କ ଗାଇଡ଼ଲାଇନ ଅନୁସାରେ ସଂଶୋଧିତ ଡିମାଣ୍ଡ ନୋଟିସ ପଠାଇବାପାଇଁ ସିଇସିଙ୍କ ଦ୍ୱାରା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସିଇସିଙ୍କ ଦ୍ୱାରା ଡିସେମ୍ବର ୫ ତାରିଖରେ ରିପୋର୍ଟ ଦାଖଲ କରାଯାଇଥିଲା।

ସିଇସିଙ୍କ ଦ୍ୱାରା ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି ସେଥିରେ ରୟାଲଟି, ଟ୍ୟାକ୍ସ ତଥା ଉତ୍ପାଦନ ଖର୍ଚ୍ଚକୁ ବାଦ ଦେବାପାଇଁ ଲିଜଧାରୀ ମାନଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ନିକଟରେ ଆବେଦନ କରାଯାଇଥିଲା। କିନ୍ତୁ ଆଜିର ଶୁଣାଣି ସମୟରେ ଖଣ୍ଡପୀଠ ସିଇସିଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ଚୂଡ଼ାନ୍ତ ବୋଲି କହି ସମସ୍ତ ଲିଜଧାରୀମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଏବଂ କୌଣସି ପ୍ରକାର ଆଶ୍ୱସ୍ତି ଦେଇନଥିଲେ।

ଖଣ୍ଡପୀଠ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଡିସେମ୍ବର ୩୧ ସୁଦ୍ଧା ନିର୍ଦ୍ଧାରିତ ଜରିମାନା ପୈଠ କରିବାକୁ ପଡ଼ିବ ନଚେତ ଖଣି ଗୁଡ଼ିକ ବନ୍ଦ କରିଦିଆଯିବ। ଆଜିର ଶୁଣାଣି ସମୟରେ ଖଣି ଲିଜଧାରୀମାନଙ୍କ ପକ୍ଷରୁ କୁହାଯାଇଥିଲା ରୟାଲଟି, ଇନକମ ଟ୍ୟାକ୍ସ, ଓ କଷ୍ଟ ଅଫ ପ୍ରଡକ୍ସନ ଖଣି ଲିଜଧାରୀମାନେ ଲାଭ ମାଧ୍ୟମରେ ହାସଲ କରୁନାହାନ୍ତି। ଏହା ଲାଭ ଶ୍ରେଣୀରେ ଆସୁନାହିଁ ତେଣୁ ଜରିମାନା ଦେୟରେ ଏହାକୁ କାହିଁକି ସାମିଲ କରାଯାଉଛି ବୋଲି ପ୍ରଶ୍ନ କରାଯିବା ସହ ଯୁକ୍ତି ମଧ୍ୟ ଉପସ୍ଥାପନ କରାଯାଇଥିଲା। ଏହାକୁ ବାଦ ଦେବାପାଇଁ ଅନୁରୋଧ କରାଯାଇଥିଲା। ହେଲେ ସିଇସିଙ୍କ ଦ୍ୱାରା ଚୁଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବା ସମୟରେ ଲିଜଧାରୀମାନଙ୍କ ଦ୍ୱାରା ଯେଉଁସବୁ ଆପତ୍ତି ଅଭିଯୋଗ କରାଯାଇଥିଲା ସେସବୁକୁ ସାମିଲ କରାଯାଇଥିବା କୁହାଯାଇଥିଲା।

ସିଇସିଙ୍କ ଦ୍ୱାରା ରୟାଲଟି, ଇନକମଟ୍ୟାକ୍ସ ଓ ପ୍ରଡକ୍ସନ କଷ୍ଟକୁ ଜରିମାନା ଦେୟରେ ସାମିଲ କରିବା ଡବଲ ଟ୍ୟାକ୍ସ ଭଳି ବୋଲି ଖଣି ଲିଜଧାରୀମାନଙ୍କ ପକ୍ଷରୁ ଯୁକ୍ତିରେ ଦର୍ଶାଯାଇଥିଲା। ହେଲେ ଲିଜଧାରୀମାନଙ୍କ ସମସ୍ତ ଯୁକ୍ତିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ଲିଜଧାରୀମାନଙ୍କ ଦ୍ୱାରା ଅସଙ୍ଗତି ଦୂର କରିବାପାଇଁ ତଥା ପୁନଃ ମୂଲ୍ୟାୟନରେ ଯେଉଁସବୁ ତଥ୍ୟ ପ୍ରଦାନ କରାଯାଇଥିଲା ତାକୁ ସିଇସି ଦ୍ୱାରା ରିପୋର୍ଟ ପ୍ରସ୍ତୁତ କରିବା ସମୟରେ ବିଚାରକୁ ନିଆଯାଇନଥିଲା ବୋଲି କୋର୍ଟଙ୍କ ଦ୍ୱାରା ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହେଲେ ସିଇସି ଦ୍ୱାରା ଖଣି ଲିଜଧାରୀମାନଙ୍କ ଯେଉଁସବୁ ପ୍ରସଙ୍ଗରେ ସେମାନଙ୍କୁ ଅବଗତ କରାଯାଇଛି ତା’ର ଉଚିତ ବିଚାର କରାଯାଇଛି ବୋଲି କୁହାଯାଇଛି। ଶୁଣାଣି ସମୟରେ ଜରିମାନା ପୈଠ କରିବାର ସମୟସୀମା ଅବଧି ବୃଦ୍ଧି କରିବା, କିସ୍ତିରେ ଜରିମାନା ଅର୍ଥ ପୈଠ କରିବା ଆଦି ନେଇ ଖଣି ଲିଜଧାରୀମାନଙ୍କ ଆବେଦନକୁ ମଧ୍ୟ ଖାରଜ କରିଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ ଓଡ଼ିଶାରେ ବେଆଇନ ଖଣିଜ ପଦାର୍ଥ ଉତ୍ତୋଳନ ଓ ଦୁର୍ନୀତି ଅଭିଯୋଗ କରି କମନ କଜ ନାମକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା। ଜନସ୍ୱାର୍ଥ ମାମଲାରେ ଅଭିଯୋଗକାରୀଙ୍କ ଦ୍ୱାରା ସିବିଆଇ ତଦନ୍ତ ଦାବି କରାଯାଇଥିଲା। ଅଗଷ୍ଟ ୨ ତାରିଖରେ ମାମଲାର ରାୟ ପ୍ରକାଶ ପାଇଥିଲା। ଖଣି ଲିଜଧାରୀମାନଙ୍କୁ ବିନା ପରିବେଶ ଓ ଜଙ୍ଗଲ ମଞ୍ଜୁରୀରେ କଣିଜ ପଦାର୍ଥ ଉତ୍ତୋଳନ କରୁଥିବାରୁ ୨୦୦୦-୦୧ରୁ ଶତ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ଥିଲା। ଦେଶରେ ଅନ୍ୟାନ୍ୟ ଭାଗରେ ବେଆଇନ ଖଣି କାରବାର ହେଉଥିବାରୁ ଜାତୀୟ ଖଣି ନୀତି ୨୦୦୮କୁ ସମୀକ୍ଷା କରି ନୂତନ ଖଣି ନୀତି ଡିସେମ୍ବର ୩୧ ସୁଦ୍ଧା ଚୁଡ଼ାନ୍ତ କରିବାପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।