ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ! କଳାକାରଙ୍କ ସ୍ୱାଧୀନତା ହସ୍ତକ୍ଷେପ ବେଳେ ଯତ୍ନବାନ ହେବାକୁ କହିଲେ କୋର୍ଟ

13

ପଦ୍ମାବତୀ ଫିଲ୍ମକୁ ନେଇ ଅନେକ ବିବାଦ ଚାଲିଥିବା ବେଳେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କଳାକାରଙ୍କ ସ୍ୱାଧିନତାକୁ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟ । କଳାକାରଙ୍କ ସ୍ୱାଧିନତା ସମ୍ପର୍କରେ କୌଣସି ହସ୍ତକ୍ଷେପ କରିବା ସମୟରେ କୋର୍ଟକୁ ଅଧିକ ଯତ୍ନବାନ ହେବାର ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ନିର୍ମାଣ ମୁଭି ‘ଏନ ଇନସିଗନିଫିକେଂଟ ମ୍ୟାନ’ ର ରିଲିଜ ଉପରେ ରୋକ ଲଗାଇବା ପାଇଁ ହୋଇଥିବା ମାମଲାକୁ ଖାରଜ କରିବା ବେଳେ ଏପରି କହିଛନ୍ତି କୋର୍ଟ ।

ମୁଖ୍ୟ ବିଚାରପତି ଦୀପକ ମିଶ୍ର, ବିଚାରପତି ଏଏମ ଖାନବିଲକର ଓ ବିଚାରପତି ଡି. ଚନ୍ଦ୍ରଚୁଡଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ପଦ୍ମାବତୀ ସିନେମା ଉପରେ ବି ଟିପ୍ପଣୀ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ଚିନ୍ତା କରିବା ପାଇଁ ପ୍ରେରଣା ଯୋଗାଉଥିବା ସିନେମାର ମାନେ ଏହା ନୁହଁ ଯେ ସମ୍ପୃକ୍ତ ସିନେମାଟି ସମ୍ପୂର୍ଣ୍ଣ ଭାବରେ ଶୁଦ୍ଧ ହୋଇଥିବ । ଏହାସହ କୌଣସି ମୁଭିର ଅବିଭ୍ୟକ୍ତି ଏପରି ହେବା ଦରକାର ଯାହା ଦର୍ଶକଙ୍କ ଚେତନ ଓ ଅବଚେତନକୁ ଜାଗ୍ରତ କରିପାରିବ ବୋଲି କୋର୍ଟ କହିଛନ୍ତି । ଏହାଦ୍ୱାରା ପଦ୍ମାବତୀ ମୁଭିକୁ ନେଇ ହେଉଥିବା ହିଂସାତ୍ମକ ପ୍ରତିବାଦକୁ ମଧ୍ୟ କୋର୍ଟ ଭୁଲ୍ ଦର୍ଶାଇଛନ୍ତି ।

ସେପଟେ ସଂଜୟ ଲୀଳା ବଂଶାଲୀଙ୍କ ଅପକମିଂ ଚଳଚିତ୍ର ପଦ୍ମାବତୀକୁ ନେଇ ବିବାଦ କମିବାର ନାଁ ନେଉନି । ରାଜପୁତ ସମାଜ ଏହି ଫିଲ୍ମକୁ ରିଲିଜ କରାଇ ନଦେବାକୁ ଜିଦ ଧରିବସିଛି । ନିର୍ମାତା ସଂଜୟ ଲୀଳା ବଂଶାଲୀଙ୍କୁ ମୁଣ୍ଡକାଟ ଧମକ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାକ କାଟିବାକୁ ଧମକ ପରେ ଉଗ୍ର ହୋଇଉଠିଛି ପଦ୍ମାବତୀ ବିବାଦ । ଡିସେମ୍ବର ୧ରେ ଏହି ଫିଲ୍ମ ରିଲିଜ ହେଲେ ଦେଶରେ ଭୟଙ୍କର ହିଂସାକାଣ୍ଡ ଘଟିବ ବୋଲି ଚେତାବନୀ ଦେଇଛି କରନି ସେନା ।