ଆପଣଙ୍କର ପିଲା ସ୍କୁଲ ବସରେ ଯାଉଛନ୍ତି କି ? ତେବେ ଜାଣି ରଖନ୍ତୁ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବସରେ କେଉଁ ବ୍ୟବସ୍ଥା ରହିବା ଆବଶ୍ୟକ

192

ଉତ୍ତରପ୍ରଦେଶରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ବର୍ଷରୁ କମ ୧୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । କୁଶିନଗର ଠାରେ ଏକ ଫାଟକ ବିହୀନ ଲେବଲ କ୍ରସିଂ ପାର ହେଉଥିବା ବେଳେ ସ୍କୁଲ ବସକୁ ଧକ୍କା ଦେଇଥିଲା ପାସେଞ୍ଜର ଟ୍ରେନ । ଆଉ ଘଟଣାସ୍ଥଳରେ ୧୩ ନିରୀହ ଶିଶୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ସେହିଭଳି ଦିଲ୍ଲୀରେ ମଧ୍ୟ ଏକ କ୍ଷୀର ଟ୍ୟାଙ୍କର ସ୍କୁଲ ବସକୁ ଧକ୍କା ଦେବାରୁ ଜଣେ ୭ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସ୍କୁଲ ଭ୍ୟାନରେ ଥିବା ଅନ୍ୟ ୧୭ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍କୁଲ ବସ ଦୁର୍ଘଟଣା ଭାରତରେ ପ୍ରଥମ ଥର ପାଇ ହୋଇନାହିଁ । ଏହାପୂର୍ବରୁ ଦୁଇ ବର୍ଷ ପୂର୍ବେ ଭଦୋହୀ ଜିଲ୍ଲାରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା । ମାନବ ରହିତ ରେଲୱେ କ୍ରସିଂ ପାର କରୁଥିବା ବେଳେ ଟ୍ରେନ ଧକ୍କାରେ ୧୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

ଗତକାଲି ଉତ୍ତରପ୍ରଦେଶରେ ହୋଇଥିବା ଘଟଣା ପାଇଁ ଡ୍ରାଇଭରକୁ ଦାୟୀ କରାଯାଉଛି । କାରଣ ରେଲୱେ କ୍ରସିଂ ପାର କରୁଥିବା ବେଳେ ଡ୍ରାଇଭର ଜଣକ କାନରେ ଇୟରଫୋନ ଦେଇଥିଲା ଯେଉଁଥିପାଇଁ ୧୩ ଜଣ ଶିଶୁ ଅକାଳରେ ପ୍ରାଣ ହରାଇଥିଲେ । ତେବେ ସବୁଠୁ ବଡ କଥା ହେଲା, ବାରମ୍ବାର ଏଭଳି ଦୁର୍ଘଟଣା ହେଉଥିଲେ ମଧ୍ୟ ଏହାର ସମାଧାନ କାହିିଁକି ବାହାର କରା ଯାଉନାହିଁ । କଣ ପାଇଁ ବେପାରୁଆ ଡ୍ରାଇଭରଙ୍କ ଯୋଗୁଁ ନିରୀହ ଛାତ୍ରଛାତ୍ରୀ ପ୍ରାଣ ହରାଉଛନ୍ତି । ଏଥିପାଇଁ ଦାୟୀ କିଏ ସ୍କୁଲ ବସ ଚଲାଉଥିବା ବେପାରୁଆ ଡ୍ରାଇଭର ନା ସ୍କୁଲ କର୍ତ୍ତୃପକ୍ଷ ଯେଉଁମାନେ ଏଭଳି ଡ୍ରାଇଭରଙ୍କୁ ନିଯୁକ୍ତି ଦେଇଛନ୍ତି ।

ପ୍ରତିଦିନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବା ପାଇଁ ହଜାର ହଜାର ସ୍କୁଲ ଭ୍ୟାନ ଚଳାଚଳ କରୁଛି । କିନ୍ତୁ କେବେ ଭାବିଛନ୍ତି ଆପଣଙ୍କ ପିଲା ଯାଉଥିବା ସ୍କୁଲ ବସ କେତେ ସୁରକ୍ଷିତ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ ବସରେ କଣ ବ୍ୟବସ୍ଥା ରହିବା ଆବଶ୍ୟକ । ଯାହାଫଳରେ ଛାତ୍ରଛାତ୍ରୀ ସୁରକ୍ଷିତ ରହି ପାରିବେ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଚାଲୁଥିବା ବସ ପାଇଁ ସୁପ୍ରିମକୋର୍ଟ କିଛି ନିୟମ ଜାରି କରିଛନ୍ତି । କିନ୍ତୁ ଏହି ନିୟମକୁ କେତେ ସ୍କୁଲ ବସ ପାଳନ କରୁଛନ୍ତି ତାହା ଆପଣ ଜାଣିଛନ୍ତି କି । ଯଦି ନାଁ ତେବେ ଜାଣି ରଖନ୍ତୁ ସ୍କୁଲ ବସ ପାଇଁ ସୁପ୍ରିମକୋର୍ଟ ଆଣିଥିବା କିଛି ନିୟମ ବିଷୟରେ ।

ସ୍କୁଲ ବସ ପାଇଁ ସୁପ୍ରିମକୋର୍ଟ ଜାରି କରିଥିବା ଗାଇଡ଼ଲାଇନ :
• ପ୍ରତ୍ୟେକ ସ୍କୁଲ ବସ ହଳଦିଆ ରଙ୍ଗର ହେବା ଆବଶ୍ୟକ । ଏହାସହ ଏହି ବସର ମଝିରେ ନୀଳ ରଙ୍ଗର ପଟି ଉପରେ ସ୍କୁଲ ନାଁ ରହିବା ଆବଶ୍ୟକ
• ଇସରେ ସ୍କୁଲର ନାମ ଓ ଫୋନ ନମ୍ବର ଲେଖା ରହିବା ଆବଶ୍ୟକ
• ସ୍କୁଲ ଭ୍ୟାନ ଚଳାଉଥିବା ଡ୍ରାଇଭରଙ୍କ ସର୍ବନିମ୍ନ ୫ ବର୍ଷ ଗାଡି ଚଳାଇବାର ଅଭିଜ୍ଞତା ରହିବା ଦରକାର । ଏହାଛଡା ବସରେ ଜିପିଏସ ଲାଗିବା ଆବଶ୍ୟକ
• ବସଟି କେବଳ ସ୍କୁଲର ଛାତ୍ରଛାତ୍ରୀଙ୍କ ପରିବହନ ପାଇଁ ବ୍ୟବହାର କରାଯାଇପାରିବ
• ବସରେ ଅଗ୍ନି ନିର୍ବାପକ ସାମଗ୍ରୀ ରହିବା ଆବଶ୍ୟକ
• ସେହିଭଳି ସିଟ୍ ତଳେ ବାଲିବସ୍ତା ରଖିବା ପାଇଁ ବ୍ୟବସ୍ଥା
• ବସର ଦ୍ୱାର କବାଟ ତାଲା ପଡିବା ଆବଶ୍ୟକ
• ବସରେ ଜଣେ କଣ୍ଡକ୍ଟର ରହିବା ଅପରିହାଯ୍ୟ
• ପ୍ରାଥମିକ ଚିକିତ୍ସା ପାଇଁ ବସରେ ଫାଷ୍ଟ ଏଡ ବକ୍ସ ଉପଲବ୍ଧ ରହିବ
• ବସର ଝରକାରେ ଲୁହା ଗ୍ରୀଲ ଲାଗିଥିବ
• ବସ ଭିତରେ ସିସିଟିଭି ରହିବା ନିତାନ୍ତ ଆବଶ୍ୟକ । ଯାହାଫଳରେ ବସ ଭିତରେ କୌଣସି ଦୁର୍ଘଟଣା ହେଲେ ସିସିଟିଭିରୁ ଏହାର ସୁରାକ ମିଳିପାରିବ
• ସ୍କୁଲ ବସରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ନାଁ ଓ ଫୋନ ନମ୍ବର ଲେଖାଥିବା ଆବଶ୍ୟକ
• ପେଟ୍ରୋଲ ଅଟୋରେ ୫ଜଣ, ଡିଜେଲ ଅଟୋରେ ୮, ଛୋଟ ଭ୍ୟାନରେ ୧୦ରୁ ୧୨ ଜଣ, ମିନି ବସରେ ୨୮ରୁ ୩୨ ଜଣ, ବଡ଼ ବସରେ ଡ୍ରାଇଭରଙ୍କ ସମେତ ୪୫ ଜଣ ଛାତ୍ରଛାତ୍ରୀ ଯାତାୟତ କରିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି
• ବସ ଡ୍ରାଇଭରଙ୍କ ନାଁରେ କୌଣସି ମାମଲା ନଥିବ
• କୌଣସି ଡ୍ରାଇଭରଙ୍କୁ ନିଯୁକ୍ତି ଦେବା ପୂର୍ବରୁ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବା ଉଚିତ
• ବସରେ ଦୁଇ ଜଣ ଲେଖାଏଁ ଡ୍ରାଇଭର ରହିବା ଉଚିତ
• ବସରେ ଜଣେ ଶିକ୍ଷକ ରହିବେ ଯିଏ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବେ
କିନ୍ତୁ ଏହି ନିୟମ କେତୋଟି ସ୍କୁଲ ବସ କରୁଛନ୍ତି ତାହା ଅଭିଭାବକ ମାନେ ଜାଣିବା ଉଚିତ । ଯାହାଫଳରେ ପିଲାମାନେ ସୁରକ୍ଷିତ ଭାବେ ସ୍କୁଲରୁ ଘରକୁ ଫେରି ପାରିବେ ।