ଆଜି ଆସିବ ଅଯୋଧ୍ୟା ରାୟ : ରାମ ମନ୍ଦିର ଜମି ବିବାଦ ନେଇ ରାୟ ଶୁଣାଇବେ ସୁପ୍ରିମକୋର୍ଟ

82

କନକ ବ୍ୟୁରୋ : ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଏକ ଗରୁତ୍ୱପୂର୍ଣ୍ଣ ରାୟ ଦେଇସାରିଥିବା ବେଳେ ଆଜି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପ୍ରସଙ୍ଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେବାକୁ ଯାଉଛନ୍ତି । ରାମ ମନ୍ଦିର ପ୍ରସଙ୍ଗରେ ଥିବା ଜମି ବିବାଦ ସହ ମସଜିଦ ମୁସଲମାନ ମାନଙ୍କ ପ୍ରାର୍ଥନା ପାଇଁ ଏକ ଜରୁରୀ ସ୍ଥାନ କି ନୁହେଁ ସେ ସମ୍ପର୍କରେ ବି ନିଜର ରାୟ ଶୁଣାଇବେ ସୁପ୍ରିମକୋର୍ଟ । ରାମ ମନ୍ଦିର ସମ୍ପର୍କିତ ମାମଲା ଏକ ବୃହତ୍ ଖଣ୍ଡପୀଠକୁ ସ୍ଥାନାନ୍ତର ହେବ କି ନାହିଁ ସେହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବେ । ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ସୁପ୍ରମିକୋର୍ଟ ରଦ୍ଦ କରିବା ପରେ ଏହି ମାମଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଚାଲିଛି ।

୧୫୨୮ରେ ମୋଗଲ ସମ୍ରାଟ ବାବର ବାବ୍ରି ମସଜିଦର ପ୍ରତିଷ୍ଠା କରିଥିଲେ । ୯୦ ଦଶକରେ କିଛି ଗୋଷ୍ଠୀ ଦାବି କରିଥିଲେ ଯେ ରାମ ମନ୍ଦିରକୁ ଭଙ୍ଗାଯାଇ ଏଠାରେ ମସଜିଦର ନିର୍ମାଣ ହୋଇଛି । ଏହା ସହ ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ଘଟଣା ସାମ୍ନାକୁ ଆସିଥିଲା । ପରବର୍ତ୍ତୀ ସମୟରେ ଏ ସମ୍ପର୍କିତ ମାମଲାର ଶୁଣାଣି ପାଇଁ ଆହ୍ଲାବାଦ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ଏହି ମାମଲାରେ ହିନ୍ଦୁ ମହାସାଭ,ସୁନ୍ନି ୱାକଫ ଓ ନିର୍ମୋହି ଆଖଡା ପକ୍ଷଭୁକ୍ତ ଅଛନ୍ତି ।

ଅଯୋଧ୍ୟାରେ ରାମ ମନ୍ଦିର ପ୍ରସଙ୍ଗରେ ମୁଖ୍ୟତଃ ଜମି ବିବାଦ ରହିଛି । ଏହି ମାମଲା ଆହ୍ଲାବାଦ ହାଇକୋର୍ଟରେ ଚାଲୁଥିବା ବେଳେ ପ୍ରତି ପକ୍ଷଙ୍କୁ ଏକ ତୃତୀୟାଂଶ ଜମି ଦେବା ପାଇଁ ରାୟ ଦେଇଥିଲେ ହାଇକୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ହିନ୍ଦୁ ମହାସଭା ଓ ସୁନ୍ନି ୱାକଫ ତରଫରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ଏହାର ସମାଧାନ ପାଇଁ ଉଚ୍ଚସ୍ତରୀୟ ଖଣ୍ଡପୀଠ ଗଠନ ପାଇଁ ମୂଳ ମାମଲାରେ ଆବେଦନ ହୋଇଥିଲା ।