କ୍ଷମତାର ଲଢ଼େଇରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: କହିଲେ, ନିର୍ବାଚିତ ସରକାର ଚଳାଇବେ ଦିଲ୍ଲୀ । ଉପରାଜ୍ୟପାଳଙ୍କର ନାହିଁ ସ୍ୱତନ୍ତ୍ର ଅଧିକାର

29

କନକ ବ୍ୟୁରୋ: ନିର୍ବାଚିତ ସରକାର ଚଳାଇବେ ଦିଲ୍ଲୀ । ଉପରାଜ୍ୟପାଳ ନୁହନ୍ତି ଦିଲ୍ଲୀର ପ୍ରଶାସନିକ ମୁଖ୍ୟ । ଦିଲ୍ଲୀ ଶାସନ ନେଇ ଗୁରୁତପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ଶାସିତ ଅଂଚଳ ଦିଲ୍ଲୀରେ ନିର୍ବାଚିତ ସରକାର ନା ଉପରାଜ୍ୟପାଳ କାହା ପାଖରେ କ୍ଷମତା ରହିବ ସେ ନେଇ ଯେଉଁ ବିବାଦ ରହିଥିଲା, ତା ଉପରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ସର୍ବୋଚ୍ଚ ଅଦାଲତ୍ କହିଛନ୍ତି, ଉପରାଜ୍ୟପାଳଙ୍କର ସ୍ୱତନ୍ତ୍ର ଅଧିକାର ନାହିଁ । କ୍ୟାବିନେଟ ପରାମର୍ଶ ଅନୁଯାୟୀ ଉପରାଜ୍ୟପାଳଙ୍କୁ କାମ କରିବାକୁ ପଡ଼ିବ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କହିଛନ୍ତି ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ସହ ମିଶି କାମ କରିବା ଉଚିତ । ଅନ୍ୟ କେନ୍ଦ୍ରଶାସିତ ଅଂଚଳଠାରୁ ଦିଲ୍ଲୀ ସ୍ୱତନ୍ତ୍ର ହୋଇଥିବାରୁ ସମସ୍ତେ ମିଳିମିଶି କାମ କରିବା ଉଚିତ ବୋଲି ସେ କହିଛନ୍ତି । ସମ୍ବିଧାନର ପାଳନ ସମସ୍ତଙ୍କର ଦାୟିତ୍ୱ ଓ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ଜରୁରୀ ବୋଲି ସେ କହିଛନ୍ତି । ସେହିପରି ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ଦେଶ ସେତେବେଳେ ବିଫଳ ହୁଏ ଯେତେବେଳେ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ କାମ କରିବା ବନ୍ଦ କରି ଦିଅନ୍ତି । ମତଭେଦ ସତ୍ୱେ ଅଧିକାରୀ ଓ ରାଜନେତା ମିଳିମିଶି କାମ କରିବା ଉଚିତ ବୋଲି ସେ କହିଛନ୍ତି । ଉପରାଜ୍ୟପାଳ ମନ୍ତ୍ରୀମଣ୍ଡଳର ନିଷ୍ପତିକୁ ଝୁଲାଇ ରଖିପାରିବେ ନାହିଁ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ସ୍ପଷ୍ଟ କରିଛନ୍ତି ।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ନେଇ ଗଠିତ ୫ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ରାୟ ଶୁଣାଇଥିବା ବେଳେ ଖଣ୍ଡପୀଠରେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ୍ ଏକେ ସିକ୍ରି, ଜଷ୍ଟିସ୍ ଏଏମ୍ ଖାନବିଲ୍କର୍, ଜଷ୍ଟିସ୍ ଅଶୋକ ଭୂଷଣ ରହିଛନ୍ତି । ପୂର୍ବରୁ ୨୦୧୬, ଅଗଷ୍ଟ ୪ ତାରିଖରେ ଦିଲ୍ଲୀ ହାଇକୋର୍ଟ ଉପଜିଲ୍ଲାପାଳଙ୍କୁ ଦିଲ୍ଲୀର ପ୍ରଶାସନିକ ମୁଖ୍ୟ କହିଥିଲେ ଓ ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଓ ଉପରାଜ୍ୟପାଳ ମୁହାଁମୁହିଁ ହୋଇଥିଲେ ।

ସେପଟେ, ସୁପ୍ରିମକୋର୍ଟଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ଦିଲ୍ଲା ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଲୋକତନ୍ତ୍ରରେ ଜନତାଙ୍କୁ ହିଁ ଅଧିକାର ମିଳେ । ଜନତାଙ୍କ ସପକ୍ଷରେ ରହିଛି ସୁପ୍ରିମକୋର୍ଟଙ୍କ ମତ । ଦିଲ୍ଲୀରେ ଆଉ ଉପରାଜ୍ୟପାଳଙ୍କ ମନମାନି ଚଳିବନାହିଁ, ନିର୍ବାଚିତ ଦଳ ଏବେ ଦିଲ୍ଲୀ ଚଳାଇବେ ବୋଲି ମନିଷ ସିସୋଦିଆ କହିଛନ୍ତି ।