ଦେଶରେ ବଢୁଥିବା ହିଂସାକୁ ରୋକିବା ପାଇଁ ପ୍ରତ୍ୟେକ ରାଜ୍ୟକୁ ଟାସ୍କଫୋର୍ସ ଗଠନ କରିବା ପାଈଁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ : ଦେଶର ସୁରକ୍ଷାକୁ ଦିଆଯିବ ପ୍ରାଥମିକତା !

41

କନକ ବ୍ୟୁରୋ : ଦେଶରେ ବର୍ତ୍ତମାନ ସମୟରେ ହିଂସା ବଢିବାରେ ଲାଗିଛି । ତେବେ ଏପରି ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ରୁଜୁ ହେବା ପରେ କୋର୍ଟ ତିନ୍ତା ପ୍ରକଟ କରିଛନ୍ତି । ପ୍ରତ୍ୟେକ ସମୟରେ ଏପରି ମାମଲା ବଢିବାରେ ଲାଗିଛି । ତେଣୁ ସରକାର ଏ ଦିଗରେ କୈାଣସି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି । ଏହାସହ କୋର୍ଟ କହିଛନ୍ତି ଏବେ ଯେଉଁଭଳି ପିଲାଚୋର ଓ ଗୋଚାଲାଣ ସନ୍ଦେହ କରି ଅନେକ ସମୟରେ ହିଂସା ହେଉଥିବାର ଦେଖାଯାଇଛି । ଯାହା ପାଇଁ ଦେଶରେ ଅଯଥାରେ ସାମ୍ପ୍ରତିକ ପରିସ୍ଥିତି ଦେଖାଯାଉଛି । ଯଦି ଏପରି ଓ ସବୁବେଳେ ଏପରି ସମସ୍ୟା ଦେଖାଯାଏ ତେବେ ଅଶାନ୍ତିର ବାତାବରଣ ଦେଖାଯାଇ ପାରେ । ତେଣୁ ଦେଶରେ ଭିଡ଼ହିଂସା ଘଟଣା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ନିମନ୍ତେ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ଆରକ୍ଷୀ ନିରୀକ୍ଷକ ପାହ୍ୟାର ନୋଡାଲ୍ ଅଧିକାରୀ ନିଯୁକ୍ତି ପାଇଁ କୁହାଯାଇଛି।

ସେହିଭଳି ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟିକାରୀ ବାର୍ତ୍ତା ଉପରେ ନଜର ରଖିବା ଲାଗି ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ ନିମନ୍ତେ କୁହାଯାଇଛି। ଏହାଦ୍ୱାରା ଗୋରକ୍ଷା ନାମରେ କିମ୍ବା ପିଲାଚୋରି ସନ୍ଦେହରେ ସମ୍ଭାବ୍ୟ ଭିଡ଼ହିଂସାକୁ ରୋକାଯାଇ ପାରିବ ବୋଲି କେନ୍ଦ୍ର ଦର୍ଶାଇଛି। ଅନ୍ୟପକ୍ଷରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭିଡ଼ହିଂସା ରୋକିବା ଲାଗି ରାଜ୍ୟଗୁଡ଼ିକ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। କିନ୍ତୁ ଏ ସମ୍ପର୍କିତ ଘଟଣାର ପ୍ରତିକାର, ତଦନ୍ତ ଅଥବା ଅନ୍ୟ କୌଣସି କ୍ଷେତ୍ରରେ ପୁଲିସ ଅଧିକାରୀ ବା ଅନ୍ୟ ସରକାରୀ ଅଧିକାରୀ ବିଫଳ ହେଲେ ବା ନିର୍ଦ୍ଦେଶାବଳିର ଉଲ୍ଲଂଘନ କରାଗଲେ ସେହି ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ ନିର୍ଦ୍ଦେଶକୁ ବାରମ୍ବାର ଉଲ୍ଲଂଘନ ଏବଂ ଜାଣିଶୁଣି ଅବହେଳା କରିବା କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀ ଏଭଳି କାର୍ୟ୍ୟାନୁଷ୍ଠାନର ଶିକାର ହେବେ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଉଲ୍ଲେଖଯୋଗ୍ୟ, ସୁପ୍ରିମ୍କୋର୍ଟଙ୍କ ଜୁଲାଇ ୧୭ ନିର୍ଦ୍ଦେଶ ପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏପଟେ କୋର୍ଟଙ୍କ ଏପରି ନିର୍ଦ୍ଦେସ ଆସିବା ପରେ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳଗୁଡ଼ିକ ଘେରିଛନ୍ତି। ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଭିନ୍ନ ଦଳର ସାଂସଦମାନେ ସରକାରଙ୍କୁ ସମାଲୋଚନା କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ବିରୋଧୀଙ୍କୁ ଜବାବ ଦେଇ ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ନେଇଛି। ଦରକାର ପଡ଼ିଲେ ଏଭଳି ହିଂସାର ମୁକାବିଲା ଲାଗି ଆଇନ ଆସିବ ବୋଲି ସେ କହିଛନ୍ତି। ଭିଡ଼ ହିଂସା ଜନିତ ଘଟଣାର ମୁକାବିଲା ପାଇଁ ପରାମର୍ଶ ଦେବା ଲାଗି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

ଲୋକସଭାରେ ମଙ୍ଗଳବାର ପ୍ରଶ୍ନକାଳ ସମୟରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଭଳି ପ୍ରମୁଖ ବିରୋଧୀ ଦଳ ଭିଡ଼ହିଂସା ପ୍ରସଙ୍ଗ ଉଠାଇଥିଲେ। ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ମଧ୍ୟ ଭିଡ଼ହିଂସା ପ୍ରସଙ୍ଗକୁ ନେଇ ବିଜେପିକୁ ଦୋଷାରୋପ କରିଛନ୍ତି। ଏଥିପାଇଁ ସେ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ବିଜେପି ନେତା ଓ ସେମାନଙ୍କ ସମର୍ଥକଙ୍କ ସଂକୀର୍ଣ୍ଣ ମନୋଭାବ ଯୋଗୁ ଭିଡ଼ ହିଂସା ଭଳି ଘଟଣା ବଢୁଛି ବୋଲି ମାୟାବତୀ କହିଛନ୍ତି । ଦେଶର ବର୍ତ୍ତମାନ ସମୟରେ ଯେପରି ଭାବରେ ବିଶୃଙ୍ଖଳା ଦେଖାଯାଉଛି ତାହା ଉପରେ ସରକାର ଆବଶ୍ୟକୀୟ ଆଇନ ଆଣିବା ଦରକାର ବୋଲି ମାୟାବତୀ କହିଛନ୍ତି ।