ତିନି ତଲାକ ମାମଲାରେ ଆଜି ପ୍ରକାଶ ପାଇବ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ !

32

କନକ ବ୍ୟୁରୋ : ବହୁଚର୍ଚ୍ଚିତ ତିନି ତଲାକ ମାମଲାରେ ସୁପ୍ରିମ୍ କୋର୍ଟ ରାୟ ଆଜି ପ୍ରକାଶ ପାଇବ। ପ୍ରଧାନ ବିଚାରପତି ଜଷ୍ଟିସ ଜେଏସ୍ ଖେହରଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନ ପୀଠ ଏହି ରାୟ ଶୁଣାଇବେ । ଏହି ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟ ପୂର୍ବାହ୍ନ ସାଢ଼େ ୧୦ଟା ସୁଦ୍ଧା ଆସିବା ସମ୍ଭାବନା ରହିଛି । ତିନି ତଲାକ ମାମଲାରେ ଗତ ମେ ମାସ ୧୧ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା । ଏହାପରେ ସର୍ବୋଚ୍ଚ ନ୍ୟାଳାଳୟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ ।

କେନ୍ଦ୍ର ସରକାର ଏହି ମାମଲାରେ ତାଙ୍କର ପକ୍ଷ ରଖି ତିନି ତଲାକ୍ ପ୍ରଥାକୁ ଅସାମ୍ବିଧାନିକ ବୋଲି ଦର୍ଶାଇଥିଲ ଏବଂ ଏହାର ପରିସମାପ୍ତି ପାଇଁ ଅନୁରୋଧ କରିଥିଲେ । ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଏହି ମାମଲାରେ ନିଜ ପକ୍ଷ ରଖି କହିଥିଲେ ଯେ ମହିଳାଙ୍କ ରାୟକୁ ସମ୍ମାନ ଦେଇ କାଜିମାନେ ନିଷ୍ପତ୍ତି ଗ୍ରହଣ କରିବାକୁ ନିର୍ଦ୍ଦେଶାବଳୀ ଜାରି କରାଯିବ । ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଜେଏସ୍ ଖେହର ଆଗାମୀ ୨୭ ତାରିଖ ଦିନ ଅବସର ଗ୍ରହଣ କରିବେ । ତେଣୁ ନିୟମ ମୁତାବକ ଯେଉଁ ପୀଠ ଶୁଣାଣି ପ୍ରକ୍ରିୟା କରିଥିଲେ ସେହି ପୀଠ ହିଁ ରାୟ ଶୁଣାଇବେ ।