କାଉଡିଆଙ୍କ ଉତ୍ପାତ ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ । କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ଦେଲେ ନିର୍ଦ୍ଦେଶ ।

25

କନକ ବ୍ୟୁରୋ : କାଉଡିଆଙ୍କ ଭଙ୍ଗାରୁଜା ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ । ଦେଶର ବିଭିନ୍ନ ସହରରେ କାଉଡିଆଙ୍କ ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆଇନକୁ ହାତକୁ ନେଇଥିବା କାଉଡିଆମାନଙ୍କ ପ୍ରତି ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏପରିକି ଭିଡତନ୍ତ୍ର ଦ୍ୱାରା ପୀଡିତ ବ୍ୟକ୍ତି ଏତଲା ନ ଦେଲେ ବି ପୁଲିସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଗତକାଲି ଭିଡତନ୍ତ୍ର ଦ୍ୱାରା ବ୍ୟକ୍ତିଗତ ସଂପତି ନଷ୍ଟ ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ କାଉଡିଆଙ୍କ ଉତ୍ପାତକୁ ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଧାନ ବିଚାରପତି ଦିପକ ମିଶ୍ରଙ୍କ ଖଣ୍ଡପୀଠ ଆଗରେ ଏଜି କହିଥିଲେ ମହାରାଷ୍ଟ୍ର, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ କାଉଡିଆମାନେ ଗାଡି ଭାଙ୍ଗୁଥିବା ଭିଡିଓ ଭାଇରାଲ ହୋଇଛି । ଏହାସହ ଅଣାୟତ କାଉଡିଆ ଓ ଶ୍ରଦ୍ଧାଳୁଙ୍କୁ ଠିକ ଭାବେ ପୁଲିସ ନିୟନ୍ତ୍ରଣ କରିପାରି ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ଏଜି । ଏହା ସହ ଦେଶରେ ବଢୁଥିବା ଭିଡତନ୍ତ୍ରକୁ ନେଇ ଏଜି କହିଥିଲେ, ଶିକ୍ଷିତ ଯୁବକମାନେ ଗଣ୍ଡଗୋଳ କରୁଛନ୍ତି, ଯାହା ଏକ ସଭ୍ୟ ଦେଶରେ କେବେ ବି ବରଦାସ୍ତ କରାଯିବ ନାହିଁ ।